ଲୋୟର ସୁକତେଲ ପ୍ରକଳ୍ପ ସ୍ତରୀୟ ଥଇଥାନ ଓ ପୂନର୍ବାସ ବୈଠକ

  • ପ୍ରକଳ୍ପର ସମ୍ପୂର୍ଣ୍ଣ ଏବଂ ବିସ୍ଥାପିତଙ୍କ ଉଚିତ କ୍ଷତିପୂରଣ ଉପରେ ଗୁରୁତ୍ୱ ଦେଲେ ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଦୀର୍ଘ ଲଢେଇ ପରେ ଆଜି ଲୋୟର ସୁକତେଲ ଆରମ୍ଭ ହେବାକୁ ଯାଉଛି । ପ୍ରତ୍ୟେକ ପ୍ରଭାବିତ ଲୋକେ ବର୍ତ୍ତମାନ ଲୋୟର ସୁକତେଲ ହେଉ ବୋଲି ଚାହୁଁଛନ୍ତି କିନ୍ତୁ କିଛି ଲୋକଙ୍କ କିଛି ସମସ୍ୟାକୁ ନେଇ ଯେଉଁ ଅସଂଗତି ଅଛି ସେ ସବୁକୁ ସରକାର ହୃଦୟତା ସହ ପୂରଣ କରନ୍ତୁ । ଏହା ମଧ୍ୟ ସତ ଯେ ସରକାର ଲୋକଙ୍କ ସମସ୍ୟାକୁ ନେଇ ବହୁ ସକରାତ୍ମକ ଚିନ୍ତାଧାରା ପୋଷଣ କରୁଛନ୍ତି । ଲୋକଙ୍କ ସବୁ ପ୍ରକାର ଥଇଥାନ ଓ ପୂନର୍ବାସ କରିବା ପାଇଁ ରାଜି ଅଛନ୍ତି । ତେଣୁ ଲୋକେ ଏବଂ ଅଧିକାରୀ ନିଜ ଉପରେ ସମନ୍ୱୟ ରଖି ପ୍ରକଳ୍ପ ଯେମିତି ଶୀଘ୍ର ସମ୍ପୂର୍ଣ୍ଣ ହେବ ସେ ଦିଗରେ ତତ୍ପରତାର ସହ ଧ୍ୟାନ ଦେଇ କାମ କରନ୍ତୁ ବୋଲି ଆଜି ସ୍ଥାନୀୟ ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ କାର୍ଯ୍ୟାଳୟର ସଭାଗୃହରେ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ଅଧ୍ୟକ୍ଷତାରେ ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପର ବନଛୋରପାଲି, ଗଡଶଙ୍କରଡୁଙ୍ଗୁରିପାଲି ଓ ଉଚ୍ଚବାହାଲ ଗାଁର ପ୍ରକଳ୍ପ ସ୍ତରୀୟ ଥଇଥାନ ଓ ପୁନର୍ବାସ ବୈଠକରେ ଯୋଗଦେଇ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର କହିଛନ୍ତି । ଲୋଇସିଂହା ବିଧାୟକ ପ୍ରତିନିଧି, ପ୍ରକଳ୍ପର ମୁଖ୍ୟଯନ୍ତ୍ରୀ, ପ୍ରକଳ୍ପ ନିର୍ଦ୍ଦେଶକ ମହେନ୍ଦ୍ର ମହାପାତ୍ର, ସ୍ୱତନ୍ତ୍ର ଭୂଅର୍ଜନ ଅଧିକାରୀ କୁମାର ନାଗଭୂଷଣଙ୍କ ସମେତ ପ୍ରଭାବିତ ଅଞ୍ଚଳର ସରପଞ୍ଚ, ପଞ୍ଚାୟତ ସମିତି ସଭ୍ୟ, ସାମାଜିକ କର୍ମୀ ଓ ବୁଦ୍ଧିଜୀବୀ ଉପସ୍ଥିତ ରହି ପ୍ରକଳ୍ପ ଦ୍ୱାରା ପ୍ରଭାବିତ ଲୋକମାନେ କିପରି ଠିକ୍‌ ହିସାବରେ ପୂନର୍ବାସ ଓ ଥଇଥାନ ହୋଇପାରିବେ ସେ ଉପରେ ଆଲୋଚନା ହୋଇଥିଲା । ବିଭାଗ ତରଫରୁ ପ୍ରଥମେ ଉପରୋକ୍ତ ତିନୋଟି ଗାଁରେ ବିସ୍ଥାପିତ, ଥଇଥାନ ଓ ପୂନର୍ବାସକୁ ନେଇ ସରକାରଙ୍କ ତରଫରୁ ଦିଆଯାଇଥିବା ବିଭିନ୍ନ ସୁବିଧା ସୁଯୋଗର ସବିଶେଷ ବିବରଣୀ ସଭାଗୃହରେ ପ୍ରଦାନ କରାଯାଇଥିଲା । ପରେ ଉପସ୍ଥିତ ସରପଞ୍ଚ, ସାମାଜିକ କର୍ମୀ ତଥା ପ୍ରଭାବିତ ବ୍ୟକ୍ତି ସେମାନେ ପ୍ରକଳ୍ପ ଦ୍ୱାରା ଦିଆଯାଉଥିବା କ୍ଷତିପୂରଣ ଉପରେ ଥିବା ଅସଂଗତି ଉପରେ ପ୍ରଶ୍ନ କରିଥିଲେ ଯାହାକି ଜିଲ୍ଲାପାଳ ସେମାନଙ୍କୁ ତାର ଉତ୍ତର ରଖିଥିଲେ । ସେ କହିଥିଲେ ସରକାର ପ୍ରକଳ୍ପକୁ ନେଇ ବିଶେଷ ଯତ୍ନବାନ ଅଛନ୍ତି । ବର୍ତ୍ତମାନ ଚାଲିଥିବା ପୂନର୍ବାସ ଓ ଥଇଥାନରେ ଯଦି କୌଣସି ଲୋକେ ଅସନ୍ତୁଷ୍ଟ ହେବେ ତେବେ ତାଙ୍କ କଥା ପରବର୍ତ୍ତୀ ସମୟରେ ସରକାର ନିଶ୍ଚୟ ଶୁଣିବେ । ଏପରି କି ଯେଉଁ ଗାଁର ଲୋକଙ୍କ ସମ୍ପୂର୍ଣ୍ଣ ଜମି ପ୍ରକଳ୍ପ ଦ୍ୱାରା ପ୍ରଭାବିତ ହେଉଛି ସେମାନଙ୍କ ଜୀବନ ଜୀବିକା ଠିକ୍‌ ହିସାବରେ ଚାଲିପାରିବ ସେ ଉପରେ ମଧ୍ୟ ସରକାର ବହୁ ଯତ୍ନବାନ ଅଛନ୍ତି ବୋଲି ସେ କହିଥିଲେ । ବିଧାୟକ ଶ୍ରୀ ମିଶ୍ର ଫଳନ୍ତି ବୃକ୍ଷ ଯଥା ଆମ୍ବ, ମହୁଲ, ନିମ୍ବ ଗଛ ପ୍ରଭୃତି କ୍ଷତିପୂରଣ ଠିକ୍‌ ହେଉ ନଥିବା ଦର୍ଶାଇ ଏହା ଉପରେ ଜିଲ୍ଲାପାଳ ସରକାରଙ୍କୁ ଲେଖନ୍ତୁ ବୋଲି କହିଥିଲେ । ତା’ସହ ସ୍ଥାନୀୟ ସରପଞ୍ଚ ଓ ଲୋକଙ୍କ ଅଭିଯୋଗ ଅନୁଯାୟୀ ମାଟିବନ୍ଧରେ ଖରାପ ମାଟି ପକାଯାଉଥିବାରୁ ତା’ ଉପରେ କ୍ଷୋଭ ପ୍ରକାଶ କରିବା ସହ ମାଟିବନ୍ଧରେ ଉନ୍ନତମାନର ମାଟିକାମ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ପୂନର୍ବାସ ଓ ଥଇଥାନ କଲୋନୀମାନଙ୍କରେ ଥିବା ପିଇବା ପାଣି ଓ ବିଜୁଳି ସମସ୍ୟା ତୁରନ୍ତ ସମସ୍ୟାର ସମାଧାନ କରିବା ପାଇଁ ଆଲୋଚନା ହୋଇଥିଲା । ଶେଷରେ ପ୍ରକଳ୍ପ ମୁଖ୍ୟଯନ୍ତ୍ରୀ ଧନ୍ୟବାଦ ଦେବା ପରେ ସଭା ଶେଷ ହୋଇଥିଲା ।

Leave A Reply

Your email address will not be published.

thirteen − 8 =