ନୂଆ-ଓ-ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନ୍ତର୍ଗତ ଖେଳକୁଦ ପ୍ରତିଯୋଗିତାର ଦ୍ୱିତୀୟ ଦିନରେ ଫୁଟ୍ବଲ୍ ଓ କବାଡ଼ି ଆୟୋଜିତ
ରାଉରକେଲା, (ସସ୍ମିତା ପ୍ରଧାନ) : ସରକାରୀ ସ୍ୱୟଂ ଶାସିତ ମହାବିଦ୍ୟାଳୟ, ରାଉରକେଲା ପକ୍ଷରୁ ସମନ୍ୱିତ ଯୁବ ବିକାଶ ଯୋଜନାରେ ନୂଆ-ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନ୍ତର୍ଗତ ଖେଳ – କୁଦ ପ୍ରତିଯୋଗିତାର ଦ୍ୱିତୀୟ ଦିନରେ କବାଡ଼ି ଓ ଫୁଟ୍ବଲ୍ ଖେଳ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମର ଯୁକ୍ତ ଦୁଇ ପାଇଁ ନୋଡାଲ ଅଧିକାରୀ ଅଜୟ କୁମାର ବେହେରା ଓ ଯୁକ୍ତ ତିନି ଓ ସ୍ନାତକୋତ୍ତର ସ୍ତର ପାଇଁ ନୋଡାଲ ଅଧିକାରୀ ମାୟାଧର ବାରିକଙ୍କ ତତ୍ତ୍ୱାବଧାନରେ ଏହି ପ୍ରତିଯୋଗିତା ଚାଲିଛି । ପ୍ରତିଯୋଗିତାଗୁଡ଼ିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବର୍ଗ ପାଇଁ ସଂଯୋଜକ ପ୍ରଦୀପ ଖେସ୍ ଓ ସ୍ନାତକ ଓ ସ୍ନାତକୋତ୍ତର ପାଇଁ ସଂଯୋଜକ ସମୀର ସୌରଭ ପୃଷ୍ଟିଙ୍କ ଦ୍ୱାରା ପରିଚାଳିତ ହେଉଛି । ଦ୍ୱିତୀୟ ଦିନରେ ଯୁକ୍ତ ଦୁଇ ସହିତ ସ୍ନାତକ ଓ ସ୍ନାତକୋତ୍ତର ବର୍ଗରେ କବାଡ଼ି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । କବାଡ଼ିର ଯୁକ୍ତ ଦୁଇ ବାଳିକା ଓ ବାଳକ ବର୍ଗରେ ପ୍ରଥମ ବର୍ଷ ଦଳ ବିଜେତା ଏବଂ ଦ୍ୱିତୀୟ ବର୍ଷ ଉପବିଜେତା ହୋଇଛନ୍ତି । ସ୍ନାତକ ଓ ସ୍ନାତକୋତ୍ତର ବର୍ଗରେ ଯୁକ୍ତତିନି ଦ୍ୱିତୀୟ ବର୍ଷ ଦଳ ବିଜୟୀ ଏବଂ ଯୁକ୍ତ ତିନି ପ୍ରଥମ ବର୍ଷ ଦଳ ଉପବିଜେତା ହୋଇଛନ୍ତି । ସେହିଭଳି ବାଳକ ବର୍ଗରେ ଯୁକ୍ତତିନି ଦ୍ୱିତୀୟ ବର୍ଷ ଦଳ ବିଜୟୀ ଏବଂ ସ୍ନାତକୋତ୍ତର ଶେଷ ବର୍ଷ ଦଳ ଉପବିଜେତା ହୋଇଛନ୍ତି । ଅନ୍ୟପକ୍ଷରେ ସ୍ନାତକ ଓ ସ୍ନାତକୋତ୍ତର ଦଳ ଏବଂ ମହିଳା କର୍ମଚାରୀଙ୍କ ଦଳ ମଧ୍ୟରେ ହୋଇଥିବା ଆକର୍ଷଣୀୟ ଖେଳରେ ୨୧-୧୯ ରେ କର୍ମଚାରୀ ଦଳକୁ ହରାଇଛନ୍ତି । କବାଡ଼ି ଖେଳକୁ କ୍ରୀଡ଼ା ଶିକ୍ଷକ କ୍ୟାପ୍ଟେନ ମୀନା ଦାସଙ୍କ ସମେତ ଜାତୀୟ କବାଡ଼ି ଖେଳାଳୀ ହିମାଂଶୁ ଶେଖର ତ୍ରିପାଠୀ, ସୁରେଶ ମହାପାତ୍ର ଓ ଶୁଭମ ଦାସ ପରିଚାଳନା କରିଥିଲେ । ସେହିପରି ଫୁଟ୍ବଲ୍ ଖେଳର ଯୁକ୍ତଦୁଇ ବାଳକ ବର୍ଗରେ ବିଷ୍ଣୁଙ୍କ ନେତୃତ୍ୱରେ ଦ୍ୱିତୀୟ ବର୍ଷ ଦଳ ବିଜୟୀ ଏବଂ ସୁଧାଂଶୁଙ୍କ ନେତୃତ୍ୱାଧୀନ ପ୍ରଥମ ବର୍ଷ ଦଳ ଉପବିଜେତା ହୋଇଛନ୍ତି । ଅନ୍ୟପକ୍ଷରେ ଯୁକ୍ତ ଦୁଇ ବାଳଳ ଫୁଟ୍ବଲ୍ ଦଳ ସହ କର୍ମଚାରୀ ଓ ଅଧ୍ୟାପକମାନଙ୍କର ଏକ ମିଳିତ ଖେଳରେ ବାଳକ ଦଳ ୪-୨ ବିଜୟୀ ହେବା ଦ୍ୱିତୀୟ ଦିନ ଖେଳର ଅନ୍ୟତମ ଆକର୍ଷଣ ଥିଲା । ସ୍ନାତକ ଓ ସ୍ନାତକୋତ୍ତର ପୁରୁଷ ବର୍ଗର ଫୁଟ୍ବଲ୍ ଖେଳ ବେଶ୍ ରୋମାଞ୍ଚକର ହୋଇ ଶେଷ ପର୍ୟ୍ୟନ୍ତ ଅମିମାଂସିତ ରହିଥିଲା । ଶେଷରେ ପେନାଲ୍ଟି ସୁଟ୍ଆଉଟ ମାଧ୍ୟମରେ ସ୍ନାତକ ବର୍ଗର ପ୍ରଥମ ବର୍ଷ ଦଳ ବିଜୟୀ ଏବଂ ଦ୍ୱିତୀୟ ବର୍ଷ ଦଳ ଉପବିଜେତା ହୋଇଛି । ଅନ୍ୟପକ୍ଷରେ ଭଲିବଲ୍ର ସ୍ନାତକ ଓ ସ୍ନାତକୋତ୍ତର ବର୍ଗର ପୁରୁଷ ବିଭାଗରେ ଟିମ୍ ବୁମର ଦଳ ଚିତ୍ତାକର୍ଷକ ପ୍ରଦର୍ଶନ ମାଧ୍ୟମରେ ଟିମ୍ ଅନ୍ଏକ୍ସପେକ୍ଟେଡ ଦଳକୁ ହରାଇ ବିଜୟୀ ହୋଇଛି । ଫୁଟବଲ୍ ଖେଳକୁ କୁଆଁରମୁଣ୍ଡା ପଦ୍ମପୁର ଉଚ୍ଚ ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ଇଗ୍ନେଶ ମାଝିଙ୍କ ନେତୃତ୍ୱରେ ପୋଟଲ ଏକ୍କା, ପ୍ରେମାନନ୍ଦ ନାୟକ ଓ ସୁରେଶ ଲାକ୍ରା ପରିଚାଳନା କରିଥିଲେ । ସମସ୍ତ ଖେଳକୁ ମହାବିଦ୍ୟାଳୟର ଅଧ୍ୟାପିକା ଓ ଅଧ୍ୟାପକମାନେ ସଞ୍ଚାଳନ କରିଥିଲେ ।