ଲାଇନ୍ସ ଭୋକେସେନାଲ ପବ୍ଲିକ ସ୍କୁଲର ପୂର୍ବତନ ସଭାପତି ଟଙ୍କା ଆତ୍ମସାତ ନେଇ ଥାନାରେ ଏତଲା

  • ୪୫ ଲକ୍ଷ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ

ପାଟଣାଗଡ, (କେପିଏନ୍‌ଏସ୍‌) : ପାଟଣାଗଡ଼ ସ୍ଥିତ ଲାଇନ୍ସ ଭୋକେସେନାଲ ପବ୍ଲିକ ସ୍କୁଲର ପୂର୍ବତନ ସଭାପତି ମନୋଜ ନନ୍ଦ ସ୍କୁଲ ଫଣ୍ଡ ଟଙ୍କା ଆତ୍ମସାତ କରୁଥିବା ନେଇ ଦାୟିତ୍ୱରେ ଥିବା ସ୍କୁଲ ଏକାଉଣ୍ଟାଣ୍ଟ ମାନଭଞ୍ଜନ ଠାକୁର ପାଟଣାଗଡ଼ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁସାରେ ୨୦୧୯ ମସିହାରେ ମନୋଜ କୁମାର ନନ୍ଦ ଲାଇନ୍ସ ଭୋକେସେନାଲ ପବ୍ଲିକ ସ୍କୁଲର ସଭାପତି ଭାବରେ ଅବସ୍ଥାପିତ ହେଲେ । ସେହି ଦିନ ଠାରୁ ସ୍କୁଲର ସମସ୍ତ ଟଙ୍କା ତାଙ୍କ ଠାରେ ଜମା ହୋଇ ଆସୁଥିଲା । ଏପରି କି କିଛି ଟଙ୍କା ତାଙ୍କର ୟୁପିଆଇ ମାଧ୍ୟମରେ ତାଙ୍କର ଜମାଖାତାରେ ଟଙ୍କା ଜମା ହୋଇ ଅଛି । ତାଙ୍କ ଠାରେ ବିଗତ ତିନି ବର୍ଷର ପ୍ରାୟ ୪୫ ଲକ୍ଷ ଟଙ୍କା ଜମା ହୋଇଅଛି । ନୂତନ ଭାବରେ ଦାୟିତ୍ୱ ଗ୍ରହଣ କରିଥିବା ସଭାପତି ଓ ପରିଚାଳନା କମିଟି ସହ କାର୍ଯ୍ୟରତ ପ୍ରିନ୍ସପାଲ ଉକ୍ତ ଟଙ୍କାତକ ତାଙ୍କୁ ଫେରସ୍ତ କରିବାକୁ ବାରମ୍ବାର କହି ଆସୁଥିଲେ ସୁଦ୍ଧା ସେ ଟାଳଟୁଳ ନୀତି ଅବଲମ୍ବନ କରିଆସୁଥିଲେ । ପରେ କିନ୍ତୁ ପୂର୍ବତନ ସଭାପତି ତନ୍ମଧ୍ୟରୁ ୧୩ ଲକ୍ଷ ୭୦ ହଜାର ଟଙ୍କାର ଏକ ଚେକ୍ ସ୍କୁଲ କମିଟିକୁ ପ୍ରଦାନ କରିଥିଲେ । ଉକ୍ତ ଚେକକୁ ନେଇ ଏକାଉଣ୍ଟାଣ୍ଟ ବ୍ୟାଙ୍କକୁ ଯାଇଥିଲେ । କିନ୍ତୁ ଶ୍ରୀ ନନ୍ଦଙ୍କ ବ୍ୟାଙ୍କ ଜମା ଖାତାରେ ସେତେ ପରିମାଣର ଟଙ୍କା ଜମା ହୋଇ ନଥିବାରୁ ଉକ୍ତ ଚେକଟି ବାଉନ୍ସ ହୋଇଯାଇଥିଲା । ବର୍ତ୍ତମାନ ସ୍କୁଲରେ ଟଙ୍କା ଅଭାବରୁ କାର୍ଯ୍ୟରତ ଶିକ୍ଷକ ଓ କର୍ମଚାରୀ ଦୀର୍ଘ ୧୪ ମାସରୁ ଅଧିକ ହେବ ଦରମା ପାଇବାରୁ ବଞ୍ଚିତ ହୋଇ ରହିଛନ୍ତି । ଟଙ୍କା ଅଭାବରୁ ଆବଶ୍ୟକ ମୁତାବକ ସ୍କୁଲ ବସ ମଧ୍ୟ ଯାତାୟାତ କରୁନାହିଁ । ଯାହାଫଳରେ ଦଶମ ଶ୍ରେଣୀ ଛାତ୍ର ଛାତ୍ରୀମାନେ ଶିକ୍ଷାଦାନରୁ ବଞ୍ଚିତ ହୋଇ ରହିଛନ୍ତି । ଏହାକୁ ନେଇ ଅପରାହ୍ନ ସମୟରେ ସ୍କୁଲର ନୂତନ ପରିଚାନା କମିଟି, ଅଭିଭାବକ, ପ୍ରିନ୍ସପାଲଙ୍କ ସହ ଶିକ୍ଷକ ମାନଙ୍କୁ ନେଇ ଏକ ଜରୁରୀକାଳୀନ ବୈଠକ କରାଯାଇଥିଲା । ଅନୁଷ୍ଠିତ ବୈଠକରେ ସର୍ବ ସମ୍ମତି କ୍ରମେ ଏକାଉଣ୍ଟାଣ୍ଟ ଶ୍ରୀ ଠାକୁର ପୂର୍ବତନ ସଭାପତିଙ୍କ ନାମରେ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଥାନାରେ ଏତଲା ଦେବା ସମୟରେ ତାଙ୍କ ସହିତ ଲାୟନ୍ସ କ୍ଲବ କର୍ମକର୍ତ୍ତା, ନୂତନ ସଭାପତି କେଶବ ଛାପିଡିଆ, ସଂପାଦକ ସୁନୀଲ ଅଗ୍ରୱ।ଲ, ପ୍ରିନ୍ସପାଲ ନାରାୟଣ ପ୍ରସାଦ ପଟ୍ଟନାୟକ, ମୁନା ମହାନ୍ତି, ପ୍ରିତିଷ କୁମାର ମିଶ୍ର, ଆଇନଜୀବୀ ଦର୍ପଗଞ୍ଜନ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଏ ସମ୍ପର୍କରେ ଥାନା ଅଧିକାରୀ ଅନନ୍ତ ପ୍ରଧାନଙ୍କୁ ପଚାରିବାରୁ ସ୍କୁଲ ଏକାଉଣ୍ଟାଣ୍ଟ ଶ୍ରୀ ଠାକୁର ପୂର୍ବତନ ସଭାପତି ଟଙ୍କା ଆତ୍ମାସାତ କରିଥିବା ନେଇ ଲିଖିତ ଅଭିଯୋଗ କରିଛନ୍ତି । କିନ୍ତୁ ଏତଲା ସହ ଅଡିଟ୍ ରିପୋର୍ଟ ଦେଇ ନଥିବାରୁ କେସ ଦାଏର କରାଯାଇନାହିଁ । ଅଡିଟ୍ ରିପୋର୍ଟ ଦେଲା ପରେ କେସ ଦାଏର କରାଯିବ ବୋଲି କହିଥିଲେ ।

Leave A Reply

Your email address will not be published.

15 − eleven =