pakka

ଜେଲ ପରିସର ଭିତରେ ଗୋବିନ୍ଦ ସୋହୁଙ୍କ ମୃତ୍ୟୁ : ହତ୍ୟା ନା ଆତ୍ମହତ୍ୟାକୁ ନେଇ ଦ୍ୱନ୍ଦ

bbehera

ବଲାଙ୍ଗିର/ଟିଟିଲାଗଡ, (ଦେବାଶିଷ ମିଶ୍ର) : ମଙ୍ଗଳବାର ସକାଳୁ ଜେଲ ପରିସର ଭିତରେ ଗୋବିନ୍ଦ ସାହୁଙ୍କ ମୃତ୍ୟୁ ଘଟିଛି । ତାଙ୍କୁ ବହୁ ଚର୍ଚ୍ଚିତ ମମିତା ମେହେର ଘଟଣାର ମୁଖ୍ୟ ଅଭିଯୁକ୍ତ ଭାବେ କଣ୍ଟାବାଞ୍ଜି ଜେଲରେ ବିଚାରାଧୀନ କଏଦି ଭାବେ ରଖାଯାଇଥିଲା । ସକାଳୁ ପ୍ରାୟ ୯ ଟା ସମୟରେ ଗୋବିନ୍ଦ ଶୌଚ ପାଇଁ ଯାଇ ପିନ୍ଧିଥିବା ଗାମୁଛାରେ ଆତ୍ମହତ୍ୟା କରିଥିଲେ । ଖବର ପାଇ ଜେଲ କର୍ତ୍ତୃପକ୍ଷଙ୍କ ଦ୍ୱାରା ଗୋବିନ୍ଦଙ୍କୁ କଣ୍ଟାବାଞ୍ଜି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିବା ବେଳେ ଡାକ୍ତରି ମାଇନା ପରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା । ଗୋବିନ୍ଦଙ୍କ ମୃତ୍ୟୁ ଖବର ଆସୁ ଆସୁ ରାଜନୈତିକ ମହଲରେ ଚାଞ୍ଚଲ୍ୟ ଖେଳିଯାଇଛି । ତେବେ, ଅତି ସମ୍ବେଦନଶୀଳ ଏହି ଘଟଣାରେ ଜେଲ ପରିସର ଭିତରେ କିପରି ଗୋବିନ୍ଦଙ୍କ ମୃତ୍ୟୁ ହେଲା । ଏହା ହତ୍ୟା ନା ଆତ୍ମହତ୍ୟା ତାହାକୁ ନେଇ ଆଲୋଡନ ସୃଷ୍ଟି ହୋଇଛି । ଅନ୍ୟପଟେ ଘଟଣାର ଗୁରୁତ୍ୱକୁ ଧ୍ୟାନ ଦେଇ ରାଜ୍ୟ ସରକାର ଘଟଣାର ତଦନ୍ତ ଦାୟିତ୍ୱ କ୍ରାଇମବ୍ରାଞ୍ଚକୁ ଦେଇଛନ୍ତି । ସେହି କ୍ରମରେ ଉତ୍ତରାଞ୍ଚଳ ଡିଆଇଜି ଦୀପକ କୁମାର ଓ ବଲାଙ୍ଗିର ଆରକ୍ଷୀ ଅଧିକ୍ଷକ ନତିନ କୁଶଲକର କଣ୍ଟାବାଞ୍ଜି ଗସ୍ତ କରିଥିବା ସୂଚନା ରହିଛି । ଗତ ବର୍ଷ ଅକ୍ଟୋବର ମାସରେ ସନ ସାଇନ ପବ୍ଲିକ ସ୍କୁଲର ପ୍ରିନ୍ସପାଲ ଭାବରେ ଥିବା ମମିତା ମେହେର ଅପହରଣ ପରେ ହତ୍ୟା ଘଟଣା ଦେଶରେ ଚହଳ ପକାଇଥିଲା । ମହାଳିଙ୍ଗ କଲେଜରେ ଅନୈତିକ କାର୍ଯ୍ୟ ଚାଲୁଥିବା ଘଟଣା ସର୍ବସମ୍ମୁଖକୁ ଆସିଥିଲା । ଆଉ ଏଥିରେ ଅନେକ ନେତା, ବିଧାୟକ, ମନ୍ତ୍ରୀ ସାମିଲ ଥିବା ନେଇ ଅଭିଯୋଗ ହୋଇଥିଲା । ଯାହାକୁ ନେଇ ରାଜ୍ୟର ରାଜନୀତି ବେଶ ସରଗରମ ହୋଇଥିଲା । ତେବେ ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ଭାବରେ ଗୋବିନ୍ଦ ସାହୁ ସମେତ ତାର ଜଣେ ସହଯୋଗୀ ରାଧେଶ୍ୟାମ ଚଣ୍ଡୀଙ୍କୁ ପୋଲିସ ଗିରଫ କରିଥିଲା । ଏହି ଘଟଣାରେ ମମିତା ମେହେରଙ୍କ ବଡ଼ବାପା କୌଶିକ ମେହେର ଏବଂ ବାପା ସୁଚନ୍ଦ୍ର ମେହେରଙ୍କ ସହ ମା’ଙ୍କ ସାକ୍ଷ ବି ଦିଆସରିଛି । ଏମିତି ସ୍ଥଳରେ କଣ୍ଟାବାଞ୍ଜି ଏଡିଜେ କୋର୍ଟରେ ଗୋବିନ୍ଦ ସାହୁ ଆଜି ହାଜିର ହେବାର ଥିଲା । ଚାରି ଜଣଙ୍କ ସାକ୍ଷ ବି ଗ୍ରହଣ କରିବା ପାଇଁ ଆଜି ଦିନ ଧାର୍ଯ୍ୟ ହୋଇଥିଲା । ଏମିତି ସ୍ଥଳରେ ଗୋବିନ୍ଦର ସନ୍ଦେହଜନକ ମୃତ୍ୟୁ ଘଟଣାକୁ ଆହୁରି ରହସ୍ୟବୃତ୍ତ କରିଛି । ଗୋବିନ୍ଦ ସାହୁ ଆତ୍ମହତ୍ୟା କରିଛନ୍ତି ନା ଷଡଯନ୍ତ୍ରର ଶିକାର ହୋଇଛନ୍ତି ତାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ସେପଟେ ଏହି ଘଟଣାକୁ ନେଇ ଉତ୍ତରାଞ୍ଚଳ ଡିଆଇଜି ଦୀପକ କୁମାର ଆଜି ବଲାଙ୍ଗିର ପହଂଚି ଏସ୍‌ପିଙ୍କ ସହ ଆଲୋଚନା କରିଛନ୍ତି । ଗୋବିନ୍ଦ ସାହୁ ଅତ୍ୟଧିକ ଚାପରେ ଥିବା ଯୋଗୁଁ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ଡିଆଇଜି ଦୀପକ କୁମାର କହିଛନ୍ତି । ଅନ୍ୟପଟେ ଗୋବିନ୍ଦ ସାହୁ ଆତ୍ମହତ୍ୟା କରିଛନ୍ତି ନା କୌଣସି ଷଡଯନ୍ତ୍ରର ଶିକାର ହୋଇଛନ୍ତି ତାହାକୁ ନେଇ ଏବେ ନାନା କଳ୍ପନା ଜଳ୍ପନା ଜାରି ରହିଛି ।

jay balangir
Leave A Reply

Your email address will not be published.

17 − 8 =