ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଡ଼.ରାମଚନ୍ଦାନୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଶୁଭେଚ୍ଛୁଙ୍କ ଭଲପାଇବା ରକ୍ଷା କରିଦେଲା ଡ଼. ରାମଚନ୍ଦାନୀଙ୍କୁ । ମର୍ମନ୍ତୁଦ ସଡ଼କ ଦୁର୍ଘଟଣାଗ୍ରସ୍ତ ହୋଇଛନ୍ତି ଡାକ୍ତର ଶଙ୍କର ରାମଚନ୍ଦାନୀ । ମିଳିଥିବା ସୂଚନା ମୁତାବକ ପାଇକମାଲ ବ୍ଲକର କେର୍ମେଲାବାହାଲ ପଞ୍ଚାୟତ ଅଧୀନରେ ଥିବା ହରଡାଟାଲ ଗ୍ରାମରେ ଅଜଣା ରୋଗ ଯୋଗୁଁ କିଛିଦିନ ମଧ୍ୟରେ ତିନିଜଣଙ୍କ ମୃତ୍ୟୁ ହୋଇଯାଇଛି । ଏହି ଖବରଟି ଗତ କାଲି ‘କୋଶଳ ପ୍ରବାହ ଲାଇଭ୍‌’ ପୋର୍ଟାଲରେ ପ୍ରକାଶିତ ହୋଇଥିଲା । ଏହି ଖବରଟି ଜାଣିବା ପରେ ସବୁବେଳେ ଅସହାୟ ଗରିବ ଲୋକଙ୍କ ପାଇଁ ଚିନ୍ତିତ ଥିବା ତଥା ନିଜ ଅଞ୍ଚଳର ଜନସାଧାରଣ କିପରି ଉତ୍ତମ ସ୍ବାସ୍ଥ୍ୟସେବା ପାଇବେ ବୋଲି ଉଦ୍ୟମ କରୁଥିବା ବୁର୍ଲା ଭୀମସାର ସିନିୟର ଡାକ୍ତର ଶଙ୍କର ରାମଚନ୍ଦାନୀ ଭାବପ୍ରବଣ ହୋଇ ପଡ଼ିଥିଲେ। ସେ ସଙ୍ଗେ ସଙ୍ଗେ ତାଙ୍କର ଜଣେ ସହଯୋଗୀ ଡାକ୍ତର ତ୍ରିବିକ୍ରମଙ୍କୁ ସାଙ୍ଗରେ ନେଇ ଉକ୍ତ ଗ୍ରାମକୁ ଯିବା ପାଇଁ ମନସ୍ଥ କରିଥିଲେ । ଆଜି ଅପରାହ୍ନ ସମୟରେ ଉଭୟ ଡାକ୍ତର ବୁର୍ଲାରୁ ବାହାରି ହର୍ଡାଟାଲ ଗ୍ରାମ ଯିବା ସମୟରେ ସୋହେଲା ନିକଟସ୍ଥ ସରଧାପାଲି ଠାରେ ତାଙ୍କ କାର୍‌କୁ ବିପରୀତ ପଟୁ ଆସୁଥିବା ଓଡି୧୭ ପି ୩୧୩୧ ନମ୍ବର ଥିବା ଏକ କାର୍ ଧକ୍କା ଦେଇଥିଲା । ଏହି ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଡାକ୍ତର ଶଙ୍କର ରାମଚନ୍ଦାନୀଙ୍କ ଗାଡ଼ିର ଅଧିକାଂଶ ଅଂଶ ନଷ୍ଟ ହୋଇଯାଇଛି । କିନ୍ତୁ ଡାକ୍ତର ରାମଚନ୍ଦାନୀ ଏବଂ ତାଙ୍କ ସହଯୋଗୀ ଅଳ୍ପ ଆହତ ହୋଇଛନ୍ତି । ଗାଡ଼ି ନଷ୍ଟ ହୋଇଥିଲେ ମଧ୍ୟ ନିଜର କିଛି କ୍ଷତ ହୋଇ ନଥିବାରୁ ସମସ୍ତ ଶୁଭେଚ୍ଛୁଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଡାକ୍ତର ରାମଚନ୍ଦାନୀ ।

Leave A Reply

Your email address will not be published.