pakka

ବାଇକ-ବୋଲେରୋ ଧକ୍କାରେ ଛାତ୍ରୀ ଗୁରୁତର, ଭୀମଭୋଇ ମେଡିକାଲରେ ଭର୍ତ୍ତି

bbehera

ତରଭା, (କେପିଏନଏସ୍) : ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିବା ଏକ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି। ସୂଚନା ଅନୁସାରେ ସୋନପୁର ଜିଲ୍ଲା ତରଭା ବ୍ଲକ ଅନ୍ତର୍ଗତ ଜାମକାନୀ ଗ୍ରାମରେ ଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ ଘରକୁ ଫେରୁଥିବା ବୋଲେରୋ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି । ଏକ ବାଇକ ସହିତ ମୁହାଁମୁହିଁ ଧକ୍କା ହୋଇ ଗାଡ଼ିଟି ଓଲଟି ପଡ଼ିଥିବା ବେଳେ ଏଥିରେ ବାଇକ ଚାଳକ, ଓଏଭି ଛାତ୍ରଛାତ୍ରୀଙ୍କୁ ନେଇ ଆସୁଥିବା ଗାଡିର ଡ଼୍ରାଇଭର ଓ ୩ ଜଣ ଛାତ୍ରୀ ଗୁରୁତର ଆହତ ହୋଇଛନ୍ତି । ଆହତ ଛାତ୍ରୀମାନେ ହେଲେ କାୟଲ ଦାସ, ଦେବସ୍ମିତା ସାହୁ ଓ ସ୍ମୃତି ଶ୍ରୀୟା ବିଶ୍ଵାଳ। ସମସ୍ତଙ୍କୁ ଭୀମଭୋଇ ମେଡିକାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି । ଇତି ମଧ୍ୟରୁ ସ୍ମୃତି ଶ୍ରୀୟାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବୁର୍ଲା ସ୍ଥାନାନ୍ତର କରିବାକୁ ଡ଼ାକ୍ତର ପରାମର୍ଶ ଦେଇଥିବା ଜଣାପଡିଛି ।
ସୂଚନା ଅନୁସାରେ ମଙ୍ଗଳବାର ସନ୍ଧ୍ୟାରେ ସ୍କୁଲ ଛୁଟି ହେବା ପରେ ଡ୍ରାଇଭର ସନ୍ତୋଷ କୁମାର ସାହୁ ତାଙ୍କ ବାଲେରୋ ଗାଡ଼ିରେ ୧୦ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଘରକୁ ଫେରୁଥିଲେ । ଗାଡ଼ିରେ ଜଣେ ଛାତ୍ର ଓ ୯ ଜଣ ଛାତ୍ରୀ ରହିଥିଲେ। ଏହି ସମୟରେ ବଳରାମ ଦ୍ୱାରି ଏକ ସିଡି ଡିଲକ୍ସ ବାଇକରେ କମସରା ଗ୍ରାମକୁ ମିଠା ଆଣିବାକୁ ଯାଇ ଘରକୁ ଫେରୁଥିଲେ । ସ୍କୁଲ ଠାରୁ ମାତ୍ର ୨୫୦ ମିଟର ଦୂରରେ ଉଭୟ ଗାଡ଼ି ସାମ୍ନାସାମ୍ନି ଧକ୍କା ହୋଇଥିଲେ । ଏଥିରେ ବାଲେରୋ ଗାଡ଼ି ରାସ୍ତା କଡ଼କୁ ଓଲଟି ପଡିଥିଲା। ସ୍ଥାନୀୟ ଲୋକଙ୍କ ସହାୟତାରେ ସମସ୍ତ ଛାତ୍ରଛାତ୍ରୀ ଓ ଡ଼୍ରାଇଭରଙ୍କୁ ଉଦ୍ଧାର କରି ପ୍ରଥମେ ତରଭା ଡ଼ାକ୍ତରଖାନା ଓ ପରେ ଭୀମଭୋଇ ମେଡିକାଲକୁ ଅଣାଯାଇଥିଲା । ଦୁର୍ଘଟଣାରେ ଡ୍ରାଇଭର ସନ୍ତୋଷ ସାହୁଙ୍କ ହାତ ଭାଙ୍ଗିଥିବା ବେଳେ ବାଇକ ଚାଳକ ବଳରାମଙ୍କ ହାତ ଓ ଗୋଡ଼ ଭାଙ୍ଗିଛି। ସନ୍ତୋଷ ସାହୁଙ୍କ କହିବା ଅନୁସାରେ ବାଇକଟି ସାମ୍ନାକୁ ଆସିବାରୁ ସେ ବାଇକ ଚାଳକକୁ ବଞ୍ଚାଇବାକୁ ଯାଇ ଗାଡ଼ି ତଳକୁ ଓହ୍ଲାଇ ଦେଇଥିଲେ । ଅପରପକ୍ଷେ ବଲେରୋ ଗାଡ଼ି ସାମ୍ନା ପଟୁ ପିଟିବାରୁ ସେ ଦୁର୍ଘଟଣାଗ୍ରସ୍ତ ହୋଇଛନ୍ତି ବୋଲି ବାଇକ ଚାଳକ ବଳରାମ ଦ୍ଵାରି ଅଭିଯୋଗ କରିଛନ୍ତି। ଉଭୟ ଡ୍ରାଇଭରଙ୍କ ଦୋଷ ଲଦାଲଦି ମଧ୍ୟରେ ତିନି ଜଣ ଛାତ୍ରୀଙ୍କ ଜୀବନ ବିପଦରେ ପଡ଼ିଛି। ଏନେଇ ସ୍କୁଲ କର୍ତ୍ତୃପକ୍ଷଙ୍କୁ ମଧ୍ୟ ପଚାରିବାରୁ ସେମାନେ କିଛି ଜାଣିନଥିବା ପ୍ରକାଶ କରିଛନ୍ତି। ଯଥା ଶୀଘ୍ର ଏହି ଘଟଣାର ତଦନ୍ତ କରିବାକୁ ଆହତ ଛାତ୍ରୀଙ୍କ ଅବିଭାବକ ମାନେ ଦାବୀ କରିଛନ୍ତି

jay balangir
Leave A Reply

Your email address will not be published.

13 + seven =