ତେଲେଙ୍ଗାନାରୁ ପ୍ରବାସୀ ଶ୍ରମିକଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେଲେ ଦୀପା ବାରିକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଟେମରୀ, ଲହଣ୍ଡିପୁର ଏବଂ ଘୁଚାପାଲି ଗ୍ରାମର କିଛି ପ୍ରବାସୀ ଶ୍ରମିକ ସୁଦୁର ତେଲେଙ୍ଗାନା ରାଜ୍ୟର ପେଦାପଲ୍ଲୀ ଅଞ୍ଚଳରେ ଇଟାଭାଟିରେ କାମ କରୁଥିଲେ ଏବଂ ନିର୍ଯ୍ୟାତନାର ଶିକାର ହେଉଥିବା ପାଇକମାଲ ବ୍ଲକ ଟେମରି ଗ୍ରାମର ସାମାଜିକ କର୍ମୀ ଦୀପା ବାରିକଙ୍କୁ ଯୋଗାଯୋଗ କରିଥିଲେ । ସେଠାରେ ଇଟା ଭାଟି ଶ୍ରମିକମାନଙ୍କୁ ମାଡ଼ ମାରିବା ସହ ଦିନରାତି କାମ କରିବା ପାଇଁ ବାଧ୍ୟ କରୁଥିଲା ବୋଲି ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ ପାଇକମାଲ ବ୍ଲକର ଘୁଚାପାଲି, ଲହଣ୍ଡିପୁର ଏବଂ ଟେମରି ଗ୍ରାମର ପ୍ରାୟ ୨୩ ଜଣ ଦାଦନ ଶ୍ରମିକ ତେଲେଙ୍ଗାନା ରାଜ୍ୟର ପେଦାପଲ୍ଲୀର ରାଘବପୁର ଅଞ୍ଚଳରେ କାମ କରିବାକୁ ଯାଇଥିଲେ । ଦୀପା ବାରିକ ପ୍ରଥମେ ଟ୍ଵିଟର ମାଧ୍ୟମରେ ତେଲେଙ୍ଗାନା ରାଜ୍ୟ ପୋଲିସ ସହ ଯୋଗାଯୋଗ କରିବା ପରେ ରଚକୋଣ୍ଡା ପୋଲିସ ତରଫରୁ ତତ୍ପରତା ପ୍ରକାଶ ପାଇଥିଲା । ତାଙ୍କ ନିର୍ଦ୍ଦେଶ ପରେ ପେଦାପଲ୍ଲୀ ପୋଲିସର ଏକ ଦଳ ଇଟାଭାଟିକୁ ଯାଇଥିଲେ । ଇତି ମଧ୍ୟରେ ପୋଲିସକୁ ଖବର ଦେଇଛୁ ବୋଲି ଟେମରି ଗ୍ରାମର ପ୍ରବାସୀ ଶ୍ରମିକ ନିରନ ବାଗଙ୍କୁ ଇଟାଭାଟି ମାଲିକ ଜଙ୍ଗଲକୁ ନେଇ ଅକଥନୀୟ ଅତ୍ୟାଚାର କରିବା ସହ ଲୁହାଛଡ଼ରେ ନିର୍ଧୁମ ମାଡ଼ ଦେଇଥିଲେ । ପେଦାପଲ୍ଲୀ ପୋଲିସ ପରେ ଘଟଣା ସ୍ଥଳରେ ପହଞ୍ଚି ଦାଦନ ଶ୍ରମିକମାନଙ୍କୁ ଉଦ୍ଧାର କରିଥିଲେ ଏବଂ ଓଡ଼ିଶାରୁ ଦାଦନ ଶ୍ରମିକ ନେଇ ଯାଇଥିବା ଦୁଇଟି ବୋଲେରୋ ମାଧ୍ୟମରେ ଓଡ଼ିଶାକୁ ପଠେଇବା ପାଇଁ ବ୍ୟବସ୍ଥା କରିଥିଲେ କିନ୍ତୁ ରାତି ଅଧରେ ସେହି ବୋଲେରୋ ଦ୍ୱୟ ପ୍ରବାସୀ ଶ୍ରମିକମାନଙ୍କୁ ପେଦାପଲ୍ଲୀ ରେଳ ଷ୍ଟେସନରେ ଛାଡ଼ି ଦେଇଥିଲେ । ଶୁକ୍ରବାର ସକାଳୁ ପୁଣି ଦୀପା ବାରିକ ତେଲେଙ୍ଗାନା ପୋଲିସକୁ ଯୋଗାଯୋଗ କରିବା ପରେ ଟ୍ରେନ ମାଧ୍ୟମରେ ଓଡ଼ିଶା ପଠେଇବା ବ୍ୟବସ୍ଥା କରିଛନ୍ତି । ଫେରୁଥିବା ଶ୍ରମିକମାନେ ହେଲେ ପାଇକମାଲ ବ୍ଲକ ଘୁଚାପଲି ଗ୍ରାମର ଉମା ଲୁହାର, ହରି ଲୁହାର, ନିର୍ମଳ ଲୁହାର, ନିରନ ବାଗ (ଟେମରି), ଆରତୀ ବାଗ, ସୁଦାମ ମହାନନ୍ଦ, ଭାଗ୍ୟ ମହାନନ୍ଦ ଲହଣ୍ଡିପୁର, ବିଣା ମହାମନ୍ଦ, ରାଗିଣୀ ମହାନନ୍ଦ ଏବଂ ସମ୍ରାଟ ମହାନନ୍ଦ ଘରକୁ ଫେରିଲେ । ୩୧ ତାରିଖ ସକାଳେ ଟ୍ରେନ ଯୋଗେ ଟେମରି ଗାଁକୁ ପହଞ୍ଚିଥିଲେ ନିରନ ବାଗ ଏବଂ ଅନ୍ୟ ୬ ଜଣ ଦୀପା ତାଙ୍କ ଘରକୁ ଯାଇ ଦେଖିବା ପରେ ନିରନର ଦେହସାରା ପ୍ରବଳ ମାଡ଼ ହୋଇଥିବା ଯୋଗୁଁ ଅତି କଷ୍ଟ ପାଉଥିବା ଅନୁଭବ କଲେ । ଦୀପା ତୁରନ୍ତ ୧୦୮ ଆମ୍ବୁଲାନ୍ସକୁ ଡାକି ପାଇକମାଲ ଡାକ୍ତରଖାନାକୁ ନେଇଥିଲେ ଏବଂ ଚିକିତ୍ସା କରେଇ ଔଷଧ କିଣିବା ପାଇଁ ସହାୟତା କରିଥିଲେ । ଏହା ସହ ପୋଲିସକୁ ମଧ୍ୟ ଯୋଗାଯୋଗ କରିଥିଲେ । ଜଣେ ସାଧାରଣ ମହିଳା ହୋଇ ଦୀପାଙ୍କ ଏହି ଅସାଧାରଣ କାମକୁ ବୁଦ୍ଧିଜୀବୀ ମହଲରେ ଉଚ୍ଚ ପ୍ରଶଂସା କରାଯାଇଛି ଏବଂ ଇଟାଭାଟି ମାଲିକ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେଉ ବୋଲି ଦାବୀ କରିଛନ୍ତି ।

jittmm
Leave A Reply

Your email address will not be published.