jayashree

ସୁବର୍ଣ୍ଣପୁରରେ ବିଶ୍ୱ ଆଦିବାସୀ ଦିବସ

  • ସୁବର୍ଣ୍ଣପୁରକୁ ସ୍ୱତନ୍ତ୍ର ଉନ୍ନୟନ ପରିଷଦରେ ସାମିଲ ଦାବୀ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ବିଶ୍ୱ ଆଦିବାସୀ ଦିବସ ଅବସରରେ ରବିବାର ସୁବର୍ଣ୍ଣପୁର ଠାରେ ଆଦିବାସୀ ଏକତା, ଅସ୍ମିତା, ସ୍ୱାଭିମାନ, ସଂସ୍କୃତି ଓ ସାମ୍ବିଧାନିକ ଅଧିକାରର ଶକ୍ତିଶାଳୀ ସ୍ୱର ପ୍ରତିଧ୍ୱନିତ ହୋଇଛି । ଏହି ଦିବସ କେବଳ ଉତ୍ସବରେ ସୀମିତ ନ ରହି ଜଳ, ଜଙ୍ଗଲ ଓ ଜମି, ଗ୍ରାମସଭାର ଅଧିକାର ଏବଂ ଆଦିବାସୀ ସମାଜର ସାମ୍ବିଧାନିକ ସୁରକ୍ଷାକୁ ନେଇ ଏକ ବିଶାଳ ଜନସ୍ୱରରେ ପରିଣତ ହୋଇଥିଲା । ପାରମ୍ପରିକ ବେଶଭୂଷାରେ ସଜ୍ଜିତ ହଜାର ହଜାର ପୁରୁଷ ଓ ମହିଳା ଆଦିବାସୀ ନୃତ୍ୟ, ଗୀତ, ଢାପ, ଡକା, ମାଦଳ, ନିଶାନ ସମେତ ବିଭିନ୍ନ ପାରମ୍ପରିକ ବାଦ୍ୟର ତାଳେ ବିଶାଳ ଶୋଭାଯାତ୍ରାରେ ସୁବର୍ଣ୍ଣପୁର ସହର ପରିକ୍ରମା କରିଥିଲେ । ଆଦିବାସୀ ନୃତ୍ୟ, ସଙ୍ଗୀତ, ପରମ୍ପରା ଓ ସାଂସ୍କୃତିକ ବୈଭବର ଅପୂର୍ବ ସମାଗମରେ ସମଗ୍ର ସହର ଉତ୍ସବମୁଖର ହୋଇଉଠିଥିଲା । ପରେ ସୁବର୍ଣ୍ଣପୁର ଟାଉନ ହଲ୍‌ରେ ଏକ ବିଶାଳ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା ବେଳେ ସଭାରେ ପୂର୍ବତନ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି, ସୁବର୍ଣ୍ଣପୁର ଜିଲ୍ଲାପାଳ ଡ. ନୃପରାଜ ସାହୁ, ବୌଦ୍ଧ ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଡମ୍ବରୁଧର କହଁର, ସୁବର୍ଣ୍ଣପୁର ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ସଭାପତି ଯୋଗେନ୍ଦ୍ର ଭୋଇ, ଗୁପ୍ତେଶ୍ୱର ମଲ୍ଲିକ, ଜଗନ୍ନାଥ ଧରୁଆ, ପ୍ରଫୁଲ୍ଲ ତୁମୁନିଆଁ, ରାମଚନ୍ଦ୍ର ମୁର୍ମୁଙ୍କ ସମେତ ସମସ୍ତ ବ୍ଲକ୍‌ର ସଭାପତି ଓ ସମ୍ପାଦକ, ଜିଲ୍ଲା ଓ ବ୍ଲକ୍‌ସ୍ତରୀୟ ପଦାଧିକାରୀ, ଆଦିବାସୀ ନେତୃବୃନ୍ଦ, ମହିଳା, ଯୁବକ-ଯୁବତୀ ଏବଂ ବହୁସଂଖ୍ୟକ ଆଦିବାସୀ ମହିଳା ଓ ପୁରୁଷ ପ୍ରମୁଖ ଯୋଗ ଦେଇଥିଲେ । ସଭାରେ ଆଦିବାସୀ ସମାଜର ସାମ୍ବିଧାନିକ ଅଧିକାର, ଜଳ ଓ ଜଙ୍ଗଲ,ଜମି ର ସୁରକ୍ଷା ଏବଂ ଅଧିକାର, ସାମାଜିକ ଓ ଅର୍ଥନୈତିକ ନ୍ୟାୟ, ଆଦିବାସୀ ଭାଷା, ସଂସ୍କୃତି, ପରମ୍ପରାର ସଂରକ୍ଷଣ, ଗ୍ରାମସଭାର ଅଧିକାର ଏବଂ ଆଦିବାସୀ ସମାଜ ସମ୍ମୁଖୀନ ହେଉଥିବା ବିଭିନ୍ନ ଜ୍ୱଳନ୍ତ ସମସ୍ୟା ଉପରେ ବିସ୍ତୃତ ଆଲୋଚନା ହୋଇଥିଲା । ବକ୍ତାମାନେ କହିଥିଲେ ଯେ, ଭାରତୀୟ ସମ୍ବିଧାନ ଅନୁସୂଚିତ ଜନଜାତିଙ୍କୁ ପ୍ରଦାନ କରିଥିବା ସୁରକ୍ଷା, ସଂରକ୍ଷଣ ଓ ଅଧିକାର କେବଳ ଆଇନର ପୃଷ୍ଠାରେ ସୀମିତ ରହିଲେ ଚଳିବ ନାହିଁ । ଏହାର ନିଷ୍ଠାପର, ପାରଦର୍ଶୀ ଓ ପ୍ରଭାବଶାଳୀ କାର୍ଯ୍ୟାନ୍ୱୟନ ତୃଣମୂଳସ୍ତରରେ ସୁନିଶ୍ଚିତ ହେବା ଆବଶ୍ୟକ । ଆଦିବାସୀଙ୍କ ବିକାଶ ସହ ସେମାନଙ୍କ ଅସ୍ମିତା, ପାରମ୍ପରିକ ଅଧିକାର, ଭାଷା, ସଂସ୍କୃତି ଓ ସ୍ୱାଭିମାନର ସୁରକ୍ଷାକୁ ସମାନ ଗୁରୁତ୍ୱ ଦିଆଯିବା ଉପରେ ମଧ୍ୟ ଜୋର ଦିଆଯାଇଥିଲା । ଏହି ଐତିହାସିକ ସମାବେଶ ଅବସରରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ, ସୁବର୍ଣ୍ଣପୁର ପକ୍ଷରୁ ଆଦିବାସୀ ସମାଜର ବିକାଶ, ଅଧିକାର ଓ ସୁରକ୍ଷା ସମ୍ପର୍କିତ ୯ ଦଫା ଦାବି ସମ୍ବଳିତ ସ୍ମାରକପତ୍ର ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ଜରିଆରେ ଭାରତର ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଥିଲା । ଏହି ସମାବେଶରେ ହଜାର ହଜାର ଆଦିବାସୀ ସକ୍ରିୟ ଭାବେ ଯୋଗ ଦେଇଥିଲେ ।

Leave A Reply

Your email address will not be published.