jayashree

୭୬ ତମ କଳାହାଣ୍ଡି ଜିଲ୍ଲା ଗଠନ ଦିବସ ପାଳିତ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ସଂସ୍କୃତି ପରିଷଦର ମିଳିତ ଉଦ୍ୟମରେ ଆଜି ଭବାନୀପାଟଣାରେ ଜିଲ୍ଲା ସ୍ତରୀୟ ୭୬ ତମ କଳାହାଣ୍ଡି ଗଠନ ଦିବସ ପାଳନ କରାଯାଇଛି ।୧୯୪୯ ନଭେମ୍ବର ୧ ତାରିଖ ଦିନ କଳାହାଣ୍ଡି ଏକ ସ୍ୱତନ୍ତ୍ର ଜିଲ୍ଲାର ମାନ୍ୟତା ପାଇଥିଲା । ଜିଲ୍ଲା ମାନ୍ୟତା ପାଇବାର ୭୫ ବର୍ଷ ଅତିକ୍ରାନ୍ତ ହୋଇଥିବାବେଳେ ଆଜି ଜିଲ୍ଲା ମୁଖ୍ୟାଳୟ ସମେତ ଜିଲ୍ଲାର ବିଭିନ୍ନ ବ୍ଲକରେ ୭୬ ତମ ଜିଲ୍ଲା ଗଠନ ଦିବସ ପାଳନ କରାଯାଇଛି । ଏହି ପରିପ୍ରେକ୍ଷୀରେ ଭବାନୀପାଟଣା ସହରର ଜେଲ ଛକଠାରୁ ଜିଲ୍ଲାପାଳ କାର୍ଯ୍ୟାଳୟ ରାସ୍ତାରେ ପଥୋତ୍ସବ ପାଳନ କରାଯାଇଛି । ଏହି ପଥୋତ୍ସବରେ ରଙ୍ଗୋଲି ପ୍ରତିଯୋଗିତା, ନୃତ୍ୟ ପ୍ରତିଯୋଗିତା ଆଦି ଆୟୋଜନ କରାଯାଇଥିଲା । ସହରବାସୀ ତଥା ବିଭିନ୍ନ ଅଞ୍ଚଳରୁ ଆସିଥିବା ଦର୍ଶକ ମାନେ କଳାକାର ମାନଙ୍କ ବିଭିନ୍ନ କଳାକୃତି ଓ ଛାତ୍ରଛାତ୍ରୀମାନଙ୍କ ନୃତ୍ୟକୁ ମନଭରି ଉପଭୋଗ କରିଥିଲେ । ସେଭଳି ସ୍ଥାନୟ ଟାଉନ ହଲରେ ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ସଂସ୍କୃତି ପରିଷଦ ଦ୍ୱାରା ଆୟୋଜିତ ୭୬ ତମ କଳାହାଣ୍ଡି ଜିଲ୍ଲା ଗଠନ ଦିବସ ପାଳନ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ମୁଖ୍ୟ ଅତିଥୀ ଏବଂ ମା ମାଣିକେଶ୍ୱରୀ ବିଶ୍ୱ ବିଦ୍ୟାଳୟର ଭାରପ୍ରାପ୍ତ କୁଳପତି ଡ଼. ନିବେଦିତା ନାଥ ମୁଖ୍ୟବକ୍ତା ଭାବେ ଯୋଗଦେଇ ରତ୍ନଗର୍ଭା କଳାହାଣ୍ଡି ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ଶିଳ୍ପକ୍ଷେତ୍ରରେ କିଭଳି ପ୍ରତିଷ୍ଠିତ ହୋଇପାରିଛି । ଏକଦା ଭୋକର ଭୂଗୋଳ ଭାବେ ବିଶ୍ୱ ଦରବାରରେ କୁଖ୍ୟାତି ଅର୍ଜନ କରିଥିବା କଳାହାଣ୍ଡି ଏବେ ଶସ୍ୟ ଶ୍ୟାମଳା ହୋଇ ଭାତହାଣ୍ଡିରେ ପରିଣତ ହୋଇଛି । ସେଭଳି ଧାନ ଉତ୍ପାଦନରେ ରାଜ୍ୟରେ ଦ୍ଵିତୀୟ ସ୍ଥାନରେ ରହିଛି । ଏହି ଜିଲ୍ଲାର ବହୁମୁଖୀ ଇନ୍ଦ୍ରାବତୀ ପ୍ରକଳ୍ପ ଜିଲ୍ଲା କୃଷକ ମାନଙ୍କ ଆର୍ଥିକ ମାନଦଣ୍ଡକୁ ସୁଦୃଢ କରିଥିବାବେଳେ ରାଜ୍ୟ ରାଜକୋଷକୁ କୋଟି କୋଟି ଟଙ୍କା ରାଜସ୍ୱ ଯୋଗାଉଛି । ସେଭଳି କଳାହାଣ୍ଡିର ମାଟିତଳେ ଥିବା ଖଣିଜ ସମ୍ପଦ ଜିଲ୍ଲାକୁ ଆହୁରି ସୁଦୃଢ କରିପାରିଛି । ବୀର ବାଦ୍ୟ ଘୁମୁରା ବିଶ୍ୱ ଦରବାରରେ ନିଜର ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛି । ଖଇର ପଦରର କାଠକାମ ବିଶ୍ୱ ପ୍ରସିଦ୍ଧି ଲାଭ କରିଛି । ହାବସପୁରୀ ପାଟର ଚାହିଦା ବଢ଼ି ଚାଲିଛି । ଜିଲ୍ଲାରେ ମେଡିକାଲ କଲେଜ, ଇଞ୍ଜିନିୟରିଙ୍ଗ କଲେଜ ସାଙ୍ଗକୁ କୃଷି ବିଜ୍ଞାନକେନ୍ଦ୍ର ଖୋଲାଯାଇଛି, ସେଭଳି କକାହାଣ୍ଡି ମହାବିଦ୍ୟାଳୟ ମା’ ମାଣିକେଶ୍ୱରୀ ବିଶ୍ୱ ଵିଦ୍ୟାଳୟର ମାନ୍ୟତା ପାଇଛି । କଳାହାଣ୍ଡି ପ୍ରତ୍ୟେକ କ୍ଷେତ୍ରରେ ଆଗକୁ ଯାଉଥିବାବେଳେ ଆହୁରି ବିକାଶର ପଥରେ ଆଗେଇଯିବ ବୋଲି ଅତିଥିମାନେ ନିଜ ନିଜ ବକ୍ତବ୍ୟରେ ମତବ୍ୟକ୍ତ କରିଥିଲେ । ଅନ୍ୟତମ ଅତିଥୀ ଭାବେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ ଦରୱାନ, ଜିଲ୍ଲା ଉନ୍ନୟନ ଅଧିକାରୀ ଦୟାମୟ ପାଢ଼ୀ, ସାଂସଦ ପ୍ରତିନିଧି ଜୟ ଶଙ୍କର ନାଏକ, ଜିଲ୍ଲା ସାଂସ୍କୃତିକ ଅଧିକାରୀ ବିବେକାନନ୍ଦ ମହାନନ୍ଦ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ମାନଙ୍କୁ ଅତିଥୀ ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ, ବୁଦ୍ଧିଜୀବୀ, ଜିଲ୍ଲା ସ୍ତରୀୟ ଅଧିକାରୀ ଏବଂ କଳାହାଣ୍ଡି ଜିଲ୍ଲାର ଅନେକ କୃତୀ ସନ୍ତାନ ଯୋଗ ଦେଇଥିଲେ ।

Leave A Reply

Your email address will not be published.