ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ଖଣ୍ଡଦେଉଳି ଠାରେ ଅବସ୍ଥାପିତ ସହୀଦ ଭଗତ ସିଂ ମହାବିଦ୍ୟାଳୟରେ ସମ୍ବିଧାନ ଦିବସ ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ମୀନତି ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା । ଉକ୍ତ ସଭାରେ ଇତିହାସ ବିଭାଗୀୟ ମୁଖ୍ୟ ଆନନ୍ଦ ଗୌଡ଼ ସମ୍ବିଧାନର ଇତିହାସ ବିବରଣୀ ପ୍ରଦାନ କରିବା ସହିତ ଶିକ୍ଷାର୍ଥୀମାନଙ୍କ ମଧ୍ୟରେ ଥିବା ଲୁକ୍କାୟିତ ଗୁଣକୁ ବିଭିନ୍ନ ପ୍ରତିଯୋଗିତା ମାଧ୍ୟମରେ ପରିପ୍ରକାଶ କରିବାକୁ ସଚେତନ କରିଥିଲେ । ସଭାର ସଭାପତି ଶ୍ରୀମତୀ ମୀନତି ପଟ୍ଟନାୟକ ସାମ୍ବିଧାନିକ ଅଧିକାର ଏବଂ ଆଇନ କିପରି ନାଗରିକ ମାନଙ୍କ ଜୀବନ ସୁରକ୍ଷା କରେ ସେ ବିଷୟରେ ଶିକ୍ଷାର୍ଥୀ ମାନଙ୍କୁ ଧାରଣା ପ୍ରଦାନ କରିଥିଲେ । ରାଜନୀତି ବିଭାଗୀୟ ମୁଖ୍ୟ ଲିଙ୍ଗରାଜ ସାହୁ ସମ୍ବିଧାନର ଲକ୍ଷ, ଆଦର୍ଶ ଏବଂ ସାମ୍ବିଧାନିକ ଧାରା ଓ ଅନୁଚ୍ଛେଦ ବର୍ଣ୍ଣନା କରିବା ସହିତ ଆଗାମୀ ଦିନରେ ଛାତ୍ରଛାତ୍ରୀମାନେ ଦେଶ ତଥା ଜାତିର ଗଠନରେ କିପରି ମୁଖ୍ୟ ଭୂମିକା ଗ୍ରହଣ କରିବେ ସେଥିପ୍ରତି ଆହ୍ୱାନ ଦେଇଥିଲେ । ଓଡ଼ିଆ ବିଭାଗୀୟ ମୁଖ୍ୟ ଡ଼ଃ. ଜୟନ୍ତୀ ବେହେରା ଏବଂ ଅଧ୍ୟାପିକା ଏନ୍. ପଦ୍ମାବତୀ ଏବଂ ରାଜନୀତି ଅଧ୍ୟାପକ ଆଖଣ୍ଡଳମଣି ବେହେରା ସମ୍ବିଧାନର ମୌଳିକ ଉପାଦାନ ବିଷୟରେ ମତାମତ ପ୍ରଦାନ କରିଥିଲେ । ଜାତୀୟ ସମ୍ବିଧାନ ଦିବସ ପାଳନ ଅବସରରେ ବିଭିନ୍ନ ପ୍ରତିଯୋଗିତାମାନ କରାଯାଇ କୃତି ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷା ବିଭାଗୀୟ ମୁଖ୍ୟ ବସନ୍ତ କୁମାର ଗୌଡ଼ଙ୍କ ଦ୍ୱାରା ମାନପତ୍ର ପ୍ରଦାନ କରାଯାଇଥିଲା । ସଭା ଶେଷରେ ଇତିହାସ ବିଭାଗୀୟ ଅଧ୍ୟାପକ ଡ଼ଃ. ଦେବୀପ୍ରସାଦ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରି ସଭାକାର୍ଯ୍ୟ ଶେଷ କରିଥିଲେ । ମହାବିଦ୍ୟାଳୟର ସମସ୍ତ ଅଣଶିକ୍ଷକ କର୍ମଚାରୀ ଏଥିରେ ସହଯୋଗ କରିଥିଲେ ।