jayashree

ବାରିପଦାରେ ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ

  • ବରିଷ୍ଠ ନାଗରିକଙ୍କ ପାଇଁ ଭବ୍ୟ ଯୋଗ ଶିବିର

ବାରିପଦା, (ଦେବସ୍ମିତ ଚୌଧୁରୀ) : ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ-୨୦୨୬ ପାଳନ ଅବସରରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ବାରିପଦା ସହିଦ ସ୍ମୃତି ଭବନ ପରିସରରେ ଏକ ଭବ୍ୟ ଯୋଗ ଶିବିର ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ଏହି ଯୋଗ ଶିବିରରେ ବହୁ ସଂଖ୍ୟକ ବରିଷ୍ଠ ନାଗରିକ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ । ଶିବିରରେ ବାରିପଦା ସହରରେ କାର୍ଯ୍ୟରତ ୩ଟି ବରିଷ୍ଠ ନାଗରିକ ସଂଘର ୧୦୫ ଜଣ ସଦସ୍ୟ, ବାରିପଦା ବ୍ଲକରୁ ୨୦ ଜଣ ଏବଂ ବୃଦ୍ଧାଶ୍ରମରୁ ୨୫ ଜଣ ଅଂଶଗ୍ରହଣ କରିଥିଲେ । ଏହିପରି ମୋଟ ୧୫୦ ଜଣ ବରିଷ୍ଠ ନାଗରିକ ଯୋଗ ଶିବିରରେ ସାମିଲ ହୋଇ ଯୋଗାଭ୍ୟାସ କରିଥିଲେ । ଶିବିରରେ ‘ଆର୍ଟ ଅଫ୍ ଲିଭିଂ’ ଯୋଗ ସଂସ୍ଥା ପକ୍ଷରୁ କୌଶିକ କୁମାର ସାହୁ ଯୋଗଦେଇ ବରିଷ୍ଠ ନାଗରିକମାନଙ୍କୁ ବିଭିନ୍ନ ଯୋଗାସନ, ପ୍ରାଣାୟାମ ଓ ଶ୍ୱାସକ୍ରିୟା ସମ୍ପର୍କିତ ଅଭ୍ୟାସର ଶିକ୍ଷା ପ୍ରଦାନ କରିଥିଲେ । ବୟସ ବଢ଼ିବା ସହିତ ଶାରୀରିକ ଓ ମାନସିକ ସୁସ୍ଥତା ବଜାୟ ରଖିବାରେ ନିୟମିତ ଯୋଗାଭ୍ୟାସର ଗୁରୁତ୍ୱ ସମ୍ପର୍କରେ ମଧ୍ୟ ଅବଗତ କରାଯାଇଥିଲା । ବରିଷ୍ଠ ନାଗରିକଙ୍କ ମଧ୍ୟରେ ସୁସ୍ଥ ଜୀବନଶୈଳୀ, ମାନସିକ ଶାନ୍ତି ଓ ଶାରୀରିକ ସକ୍ରିୟତା ବୃଦ୍ଧି କରିବା ଏହି ଯୋଗ ଶିବିରର ମୁଖ୍ୟ ଉଦ୍ଦେଶ୍ୟ ଥିଲା । ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ଅବସରରେ ଏଭଳି କାର୍ଯ୍ୟକ୍ରମ ବରିଷ୍ଠ ନାଗରିକଙ୍କ ମଧ୍ୟରେ ଉତ୍ସାହ ଓ ସଚେତନତା ସୃଷ୍ଟି କରିବା ସହ ସେମାନଙ୍କ ସୁସ୍ଥ ଓ ସକ୍ରିୟ ଜୀବନଧାରା ପାଇଁ ଏକ ସକାରାତ୍ମକ ପଦକ୍ଷେପ ବୋଲି ଆୟୋଜକମାନେ କହିଛନ୍ତି ।

Leave A Reply

Your email address will not be published.