csstore

ସ୍ୱରାଜ ହସ୍ପିଟାଲ ଏବଂ ରିସର୍ଚ୍ଚ ଇନଷ୍ଟିଚ୍ୟୁଟରେ ଆନ୍ତର୍ଜାତୀୟ ନର୍ସ ଦିବସ ପାଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ୱରାଜ ହସ୍ପିଟାଲ ଏବଂ ରିସର୍ଚ୍ଚ ଇନଷ୍ଟିଚ୍ୟୁଟରେ ୧୨ ମେ ୨୦୨୬ ତାରିଖରେ ଆନ୍ତର୍ଜାତୀୟ ନର୍ସ ଦିବସ ଉତ୍ସାହ ଓ ଗରିମାର ସହିତ ପାଳନ କରାଯାଇଥିଲା । ଏହି ବର୍ଷର ବିଷୟବସ୍ତୁ “ଆମ ନର୍ସ, ଆମ ଭବିଷ୍ୟତ” ନର୍ସମାନଙ୍କ ଗୁରୁତ୍ୱ ଏବଂ ସୁସ୍ଥ ସମାଜ ଗଠନରେ ସେମାନଙ୍କ ଅବଦାନକୁ ଉଜାଗର କରିଥିଲା । ଏହି କାର୍ଯ୍ୟକ୍ରମ ନର୍ସମାନଙ୍କର ନିଷ୍ଠା, ସେବାଭାବ ଏବଂ ରୋଗୀ ସେବା ପ୍ରତି ସେମାନଙ୍କର ନିସ୍ଵାର୍ଥ ଅବଦାନକୁ ସମ୍ମାନ ଜଣାଇବା ପାଇଁ ଆୟୋଜିତ ହୋଇଥିଲା । ଏହି ଅବସରରେ ନର୍ସିଂର ଜନନୀ ଏବଂ “ଲେଡି ଓଇଥ ଦ ଲ୍ୟାମ୍ପ” ଭାବେ ପରିଚିତ ଫ୍ଲୋରେନ୍ସ ନାଇଟିଏଙ୍ଗେଲଙ୍କ ଜୀବନ ଓ ଶିକ୍ଷାକୁ ସ୍ମରଣ କରାଯାଇଥିଲା । ହସ୍ପିଟାଲର ସମସ୍ତ ନର୍ସ ମହମବତୀ ଧାରଣ କରି ନର୍ସିଂ ଶପଥ ପୁନରାବୃତ୍ତି କରିଥିଲେ । ଯାହା ମାନବ ସେବା ପ୍ରତି ସେମାନଙ୍କ ଅଙ୍ଗୀକାରକୁ ପ୍ରତିଫଳିତ କରିଥିଲା । ଏହି କାର୍ଯ୍ୟକ୍ରମରେ ସ୍ୱରାଜ ହସ୍ପିଟାଲ ଏବଂ ରିସର୍ଚ୍ଚ ଇନଷ୍ଟିଚ୍ୟୁଟର ଚେୟାରମ୍ୟାନ ଡାଃ ସୁଜ୍ଞାନେନ୍ଦ୍ର ମିଶ୍ର, ବିବିଏମସିଏଚର ଡିନ ଏବଂ ପ୍ରିନ୍ସିପାଲ ଡାଃ ସ୍ୱୟଂପ୍ରଭା ପ୍ରଧାନ, ସିଡିଏମ ଏବଂ ପିଏଚଓ ବଲାଙ୍ଗିର ଡାଃ ପୁଷ୍ପାଞ୍ଜଳି ମିଶ୍ର ଏବଂ ବାଲାଜି କଲେଜ ଅଫ ନର୍ସିଂର ପ୍ରିନ୍ସିପାଲ ଦେବାଶିଷ ପାଣ୍ଡିଆ ଉପସ୍ଥିତ ଥିଲେ । ସଭାକୁ ସମ୍ବୋଧିତ କରି ଡାଃ ସ୍ୱୟଂପ୍ରଭା ପ୍ରଧାନ ହସ୍ପିଟାଲରେ ନର୍ସମାନଙ୍କ ଭୂମିକା ବିଷୟରେ ଆଲୋଚନା କରିଥିଲେ ଏବଂ କହିଥିଲେ ଯେ, ନର୍ସମାନଙ୍କର ସେବାମୟ ହାତ ରୋଗୀଙ୍କୁ ସାହସ, ସାନ୍ତନା ଓ ଆଶା ପ୍ରଦାନ କରେ । ଡାଃ ପୁଷ୍ପାଞ୍ଜଳି ମିଶ୍ର ଫ୍ଲୋରେନ୍ସ ନାଇଟିଏଙ୍ଗେଲଙ୍କ ପ୍ରେରଣାଦାୟକ ଜୀବନ ଉପରେ ଆଲୋକପାତ କରିଥିଲେ ଏବଂ କିପରି ତାଙ୍କର ସେବା ଭାବନା ସମାଜର ବିଭିନ୍ନ ଶ୍ରେଣୀର ଲୋକଙ୍କୁ ନର୍ସିଂ ପେଶାକୁ ଆସିବା ପାଇଁ ପ୍ରେରିତ କରିଥିଲା ତାହା ବର୍ଣ୍ଣନା କରିଥିଲେ । ଡାଃ ସୁଜ୍ଞାନେନ୍ଦ୍ର ମିଶ୍ର ନର୍ସିଂ ପେଶାକୁ ଏକ ମହାନ ଏବଂ ପବିତ୍ର ପେଶା ଭାବେ ବର୍ଣ୍ଣନା କରିଥିଲେ ଏବଂ ଦିନ ରାତି ରୋଗୀ ସେବାରେ ନିଯୁକ୍ତ ନର୍ସମାନଙ୍କର ନିଃସ୍ଵାର୍ଥ ଅବଦାନକୁ ସ୍ୱୀକାର କରି ସେମାନଙ୍କୁ ଧନ୍ୟବାଦ ଜଣାଇଥିଲେ । ନର୍ସିଂ ଶପଥ କାର୍ଯ୍ୟକ୍ରମକୁ ଦେବାଶିଷ ପାଣ୍ଡିଆ ପରିଚାଳନା କରିଥିଲେ ଏବଂ ହସ୍ପିଟାଲର ସମସ୍ତ ନର୍ସ ତାଙ୍କ ସହ ମିଶି ଶପଥ ଗ୍ରହଣ କରିଥିଲେ । ଶେଷରେ ନର୍ସମାନଙ୍କର ଅକ୍ଳାନ୍ତ ପରିଶ୍ରମ, ସମର୍ପଣ ଓ ମାନବ ସେବା ପ୍ରତି ସେମାନଙ୍କ ଅବଦାନକୁ ସମ୍ମାନ ଜଣାଇ କାର୍ଯ୍ୟକ୍ରମ ଶେଷ ହୋଇଥିଲା ।

jayashree
Leave A Reply

Your email address will not be published.