jayashree

କଳାହାଣ୍ଡି ପ୍ରତିଷ୍ଠା ଦିବସ ପାଳିତ

ଜୟପାଟଣା, (ଶେଷଦେବ ବେହେରା) : ତତ୍କାଳୀନ ଓଡ଼ିଶା ରାଜ୍ୟ ସହ କଳାହାଣ୍ଡି ଗଡ଼ଜାତ ରାଜ୍ୟର ଆନୁଷ୍ଠାନିକ ମିଶ୍ରଣ ପରେ କଳାହାଣ୍ଡି ଜିଲ୍ଲା ମାନ୍ୟତା ପାଇଥିଲା । ଜିଲ୍ଲା ଗଠନର ୭୫ତମ ବର୍ଷ ପୂରଣ ପରିପ୍ରେକ୍ଷୀରେ ଜୟପାଟଣା ବ୍ଲକ ସମିତି ପରିସର ସ୍ଥିତ ପ୍ରେକ୍ଷାଳୟ ମଧ୍ୟରେ ଉତ୍ସବ ମୁଖର ପରିବେଶ ଦେଖିବାକୁ ମିଳିଛି । ଅଂଚଳର ଅଧିଷ୍ଠାତ୍ରୀ ଦେବୀ ମା’ ଡୋକରୀଙ୍କୁ ପୂଜାର୍ଚ୍ଚନା ପରେ ପ୍ରାରମ୍ଭିକ ଦେଶାତ୍ମବୋଧକ ସଙ୍ଗୀତ ଗାନ କରାଯାଇଥିଲା । ସ୍ଥାନୀୟ ମିଶନ ଶକ୍ତି ଭବନ ଠାରୁ ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ବୀର ବାଦ୍ୟ ଘୁମୁରାର ତାଳେତାଳେ ଶତାଧିକ କଳାହାଣ୍ଡି ପ୍ରେମୀ ଏକ ସୁଦୃଶ୍ୟ ପଟୁଆରରେ ସଭାସ୍ଥଳକୁ ପହଞ୍ଚି ଥିଲେ । ଗୋଷ୍ଠୀ ଉନ୍ନୟନ ଅଧିକାରୀ ଧର୍ମରାଜ ମାଝୀଙ୍କ ଆବାହକତ୍ୱରେ ଆୟୋଜିତ ସାଧାରଣ ସଭାରେ ମୁଖ୍ୟ ଅତିଥି ଭାବେ ଇନ୍ଦ୍ରାବତୀ ଯୁକ୍ତ ୩ର ଅଧ୍ୟକ୍ଷ ବୈଦ୍ୟନାଥ ପାଢ଼ୀ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ଶେଷଦେବ ବେହେରା ଦୀକ୍ଷାନ୍ତ ଅଭିଭାଷଣ ପ୍ରଦାନ କରିଥିଲେ । ସମ୍ମାନିତ ଅତିଥି ଭାବେ କଳାକାର ତୀର୍ଥରାଜ ଦଳପତି, ସାମ୍ବାଦିକ ଅର୍ଜୁନ ପଟ୍ଟନାୟକ, ସାମ୍ବାଦିକ ପ୍ରାଣ ରଞ୍ଜନ ବେହେରା, ଜିଲ୍ଲା ପରିଷଦ ସଭ୍ୟ ଅଙ୍ଗଦ ମାଝୀ, ପ୍ରମୁଖ କଳାହାଣ୍ଡି କିଭଳି ଏକ ଉନ୍ନତ ଓ ବିକଶିତ ଜିଲ୍ଲାରେ ପରିଣତ ହୋଇଛି, ସେ ସମ୍ପର୍କରେ ମତପ୍ରକାଶ କରିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଭାବେ ବ୍ଲକ ବିଜେପି ସଭାପତି ଅରବିନ୍ଦ ପଣ୍ଡା, ସରପଞ୍ଚ ସଂଘ ସଭାପତି କୈଳାସ ସାହୁ, ସଂପାଦକ ଯଦୁମଣି ସାହୁ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁରେନ୍ଦ୍ର ମୋହନ ଯୋଶୀ, ଡାକ୍ତର ପ୍ରଭାତ କୁମାର ପଣ୍ଡା, ସମିତି ସଭ୍ୟ ଅନନ୍ତ ପଟ୍ଟନାୟକ, ସାମ୍ବାଦିକ ଅଶରଫ ଅଲ୍ଲୀ, ସତ୍ୟନାରାୟଣ ଅଗ୍ରୱାଲ, ପ୍ରମୁଖ ଆସନ ଅଳଙ୍କୃତ କରିଥିଲେ । ଏହି ଉପଲକ୍ଷେ ଆୟୋଜିତ ବକ୍ତୃତା ଓ ସଂଗୀତ ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଶ୍ୱନାଥ ରାଉତ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.