
ବରଗଡ, (ମୁନ୍ନା ସାହୁ) : ଦୀର୍ଘ ବର୍ଷ ଧରି ରହିଆସିଥିଲେ ମଧ୍ୟ ଗାଁକୁ ପହଞ୍ଚିନି ମୌଳିକ ସୁବିଧା । ରାସ୍ତା ଠାରୁ ଆରମ୍ଭ କରି ଆବାସ ଯୋଜନା ପର୍ଯ୍ୟନ୍ତ ବିଭିନ୍ନ ସମସ୍ୟାର ସମାଧାନ ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ଆଗରେ ଧାରଣାରେ ବସିଛନ୍ତି ଧାଙ୍ଗେର ପଞ୍ଚାୟତ ପାଣ୍ଡ୍ରିପଥର ଅଞ୍ଚଳବାସୀ । ସୋମବାର ପାଣ୍ଡ୍ରିପଥର ଗ୍ରାମର ବାସିନ୍ଦାମାନେ ଏକାଠି ହୋଇ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ପ୍ରଦର୍ଶନ କରିଥିଲେ । ଅଞ୍ଚଳବାସୀଙ୍କ କହିବା ଅନୁସାରେ, ଦୀର୍ଘ ବର୍ଷ ଧରି ଏଠାରେ ଅନେକ ପରିବାର ବସବାସ କରୁଛନ୍ତି । କିନ୍ତୁ ଆଜି ପର୍ଯ୍ୟନ୍ତ ଗ୍ରାମରେ ଆବଶ୍ୟକ ଉନ୍ନତିମୂଳକ କାର୍ଯ୍ୟ ହୋଇପାରିନାହିଁ । ଗାଁକୁ ଭଲ ରାସ୍ତା ନଥିବା ସହିତ ଅନେକ ପରିବାର ସରକାରୀ ଆବାସ ଯୋଜନାରୁ ମଧ୍ୟ ବଞ୍ଚିତ ଥିବା ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ । ଏନେଇ ପୂର୍ବରୁ ଜିଲ୍ଲାପାଳ ଓ ସ୍ଥାନୀୟ ବିଧାୟକଙ୍କୁ ଅବଗତ କରାଯାଇଥିଲେ ମଧ୍ୟ ସମସ୍ୟାର ସମାଧାନ ହୋଇନଥିବା ସେମାନେ କହିଛନ୍ତି । ଫଳରେ ବାଧ୍ୟ ହୋଇ ସୋମବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇ ନିଜର ଦାବି ଜଣାଇଛନ୍ତି ପାଣ୍ଡ୍ରିପଥରବାସୀ । ଶୀଘ୍ର ସମସ୍ୟାର ସମାଧାନ କରି ଗାଁକୁ ରାସ୍ତା ଓ ଆବାସ ଭଳି ମୌଳିକ ସୁବିଧା ଯୋଗାଇଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।