
କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ଧାନ ମଣ୍ଡିରେ ଟୋକନ ଅଭାବ ଯୋଗୁଁ ଚାଷୀମାନଙ୍କ ଧାନ ମାସ ମାସ ଧରି ଅବିକ୍ରିତ ଅବସ୍ଥାରେ ପଡ଼ି ରହିଥିବା ଅଭିଯୋଗ ହୋଇଛି । ଧାନ ଉଠାଣରେ ବିଳମ୍ବ ହେବାରୁ ଚାଷୀମାନେ ନିଜ ଅମଳକୁ ଖୋଲା ଆକାଶ ତଳେ ଜଗି ରହିବାକୁ ବାଧ୍ୟ ହେଉଥିବାବେଳେ ବର୍ଷା ଓ ଅନ୍ୟାନ୍ୟ ପ୍ରାକୃତିକ ବିପଦର ଭୟ ମଧ୍ୟ ବଢ଼ି ଚାଲିଛି । ଚାଷୀମାନଙ୍କ ଏହି ସମସ୍ୟାକୁ ନେଇ ବିଜୁ ଜନତା ଦଳର ରାଜ୍ୟ ଯୁବ ସାଧାରଣ ସମ୍ପାଦକ ଅଜିତ ଯୋଶୀ ବଙ୍ଗୋମୁଣ୍ଡା ମଣ୍ଡିରେ ଚାଷୀମାନଙ୍କୁ ନେଇ ଧାରଣାରେ ବସିଥିଲେ । ସେ ତୁରନ୍ତ ଟୋକନ ବ୍ୟବସ୍ଥା ସୁଚାରୁ ଭାବେ କରି ମଣ୍ଡିରେ ପଡ଼ି ରହିଥିବା ଧାନ ଶୀଘ୍ର ଉଠାଇବାକୁ ଦାବି କରିଥିଲେ । ଧାରଣା ସ୍ଥଳରେ ଶ୍ରୀ ଯୋଶୀ ରାଜ୍ୟ ସରକାର ଏବଂ କୃଷି ମନ୍ତ୍ରୀଙ୍କୁ କଟୁ ସମାଲୋଚନା କରି କହିଥିଲେ ଯେ, କୃଷି ମନ୍ତ୍ରୀଙ୍କ ନିଜ ଜିଲ୍ଲାରେ ଯଦି ଚାଷୀମାନେ ଏଭଳି ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି, ତେବେ ରାଜ୍ୟର ଅନ୍ୟ ଅଞ୍ଚଳର ସ୍ଥିତି ସହଜରେ ଅନୁମାନ କରାଯାଇପାରିବ । ଚାଷୀଙ୍କ ପରିଶ୍ରମର ମୂଲ୍ୟ ଦେବାରେ ସରକାର ବିଫଳ ହୋଇଥିବା ସେ ଅଭିଯୋଗ କରିଥିଲେ । ଚାଷୀମାନେ ମଧ୍ୟ ତୁରନ୍ତ ଧାନ ଉଠାଣ ବ୍ୟବସ୍ଥା କରିବା ସହିତ ଟୋକନ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ସରକାରଙ୍କୁ ଦାବି ଜଣାଇଥିଲେ । ସମସ୍ୟାର ଶୀଘ୍ର ସମାଧାନ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି ଚେତାବନୀ ଦିଆଯାଇଛି ।
