
ବରଗଡ, (ମୁନ୍ନା ସାହୁ ) : ଆଖି ଥାଇ ଅନ୍ଧ ପୌର ପ୍ରଶାସନ । ବରଗଡ଼ ଖଜୁରକଟା ବନ୍ଧର ପୁନଃରୁଦ୍ଧାର ଦାବି ନେଇ ଆଖିରେ କଳାପଟି ବାନ୍ଧି ବରଗଡ଼ ପୌର ପରିଷଦ କାର୍ଯ୍ୟାଳୟରେ ଧାରଣା ଦେଲେ ଖଜୁରଟିକ୍ରାବାସୀ । ଗତ ୧୧ ତାରିଖ ବରଗଡ଼ ଛାତ୍ର କଂଗ୍ରେସ ଉପସଭାପତି ଗୌରବ ପତି ଆଜାଦ ଖଜୁରକଟା ବନ୍ଧର ପାଣି ଭାରରେ ବୋହି ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଦେଖାଇବା ସହ ହାତ ଧୋଇବା ପାଇଁ କହିଥିଲେ ଏବଂ ଆସନ୍ତା ୧୬ ତାରିଖ ମଧ୍ୟରେ ଖଜୁରକଟା ବନ୍ଧ ସଫା କରିବା ପାଇଁ ଅନୁରୋଧ ମଧ୍ୟ କରିଥିଲେ । କିନ୍ତୁ ୧୬ ତାରିଖ ବିତି ଯାଇଥିଲେ ମଧ୍ୟ ପୂର୍ବ ପରି ବନ୍ଧ ପଡିରହିଥିବା ବେଳେ ପୌର ପରିଷଦ କାର୍ଯ୍ୟଳୟ ପକ୍ଷରୁ ସଫା କରିବା ପାଇଁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ । ଏନେଇ ବୁଧବାର ରାଜ୍ୟ ଛାତ୍ର କଂଗ୍ରେସର ଉପସଭାପତି ଗୌରବ ପତି ଆଜାଦ ନିଜ ଆଖିରେ କଳାପଟି ବାନ୍ଧି ଖଜୁରଟିକ୍ରା ବାସିନ୍ଦାଙ୍କ ସହ ପୌର ପରିଷଦ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି । ପ୍ରକାଶ ଥାଉ ଯେ, ଗତ ବର୍ଷ ମଧ୍ୟ ପଡାବାସୀ ଗ୍ରୀଷ୍ମ ସମୟରେ ପୌର ପରିଷଦ କାର୍ଯ୍ୟାଳୟରେ ପୁନଃରୁଦ୍ଧାର ଦାବି କରିଥିଲେ । କିନ୍ତୁ ପୌର ପ୍ରଶାସନର ଅବହେଳା ଯୋଗୁଁ ବାରମ୍ବାର ପଡାବାସୀ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏହି ବନ୍ଧରେ ବାଧ୍ୟ ହୋଇ ନିଜ ଦୈନନ୍ଦିନ କାର୍ଯ୍ୟ କରୁଥିବାରୁ ଚର୍ମ ରୋଗ ସହ ଅନେକ ରୋଗରେ ଆକ୍ରାନ୍ତ ମଧ୍ୟ ହେଉଛନ୍ତି ପଡାବାସୀ ଏହା ସବୁ ଦେଖିବା ପରେ ମଧ୍ୟ ପୌର ପ୍ରଶାସନ ଆଖି ବୁଜି ଦେବା ଭଳି କାର୍ଯ୍ୟ କରୁଥିବାରୁ ଆଜି ଆଖି ଥାଇ ମଧ୍ୟ କଳାପଟି ବାନ୍ଧି ପ୍ରତିବାଦ କରାଯାଇଛି ।