
ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସହରରେ ମୁଖ୍ୟତଃ ୯ ଗୋଟି ଅନୁଷ୍ଠାନ ଦ୍ୱାରା ଶୀତଳଷଷ୍ଠୀ ପୂଜା ଅନୁଷ୍ଠିତ କରାଯାଇଛି । ଏଥର ମୁଖ୍ୟମନ୍ତ୍ରୀ ଏହି ୯ ଗୋଟି ଅନୁଷ୍ଠାନକୁ ଶୀତଳଷଷ୍ଠୀ ପୂଜା ଆୟୋଜନ ପାଇଁ ୩୬ ଲକ୍ଷ ଟଙ୍କା ଅନୁଦାନ ଦେଇଥିବା ଜଣାପଡିଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶ କ୍ରମେ ସଂସ୍କୃତି ବିଭାଗ ଓଡିଶା ପତ୍ର ସଂଖ୍ୟା ୮୨୦୦, ତା.୧୭.୦୬.୨୦୨୬ ଅନୁଯାୟୀ ସହରର ସମସ୍ତ ଶୀତଳଷଷ୍ଠୀ ଯାତ୍ରା କମିଟି ଯଥା ଗାନ୍ଧୀନଗରପଡା, ସୁଦପଡା, ରାଧାରଣୀପଡା, ଏବିଏସ୍ଏସ୍ ରୋଡ, ବିବିଏସ୍ଏସ୍, ସାଗରପଡା, ପେଲେସଲାଇନ, କଂସାରିପଡା, ସ୍ୱାଧିନନଗରକୁ ୪ ଲକ୍ଷ ଲେଖାଏଁ ଅନୁଦାନ ରାଶି ଘୋଷଣା କରାଯାଇଛି । ବଲାଙ୍ଗିରରେ ଶୀତଳ ଷଷ୍ଠୀ ମହୋତ୍ସବ ହେଉଛି ଏକ ପୁରୁଣା ପରଂପରା । ପ୍ରଭୁ ଶିବ ଏବଂ ପାର୍ବତୀଙ୍କ ମହା ବିବାହୋତ୍ସବ ପାଳିତ ହୋଇଥାଏ । ଏ ଅବସରରେ କଳା ସଂସ୍କୃତି, ଆଧ୍ୟାତ୍ମିକ ଓ ଭାଇଚାରା ମହାମିଳନ ଦେଖିବାକୁ ମିଳିଥାଏ । ଏ ବର୍ଷ ସରକାରଙ୍କ ଅନୁଦାନ ଘୋଷଣାକୁ ବଲାଙ୍ଗିର ଜନସାଧାରଣ ତଥା ପୂଜା କମିଟିଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳିଯାଇଛି । ଦେବାଳୟ ଓ ଐତିହ୍ୟ ସୁରକ୍ଷା କମିଟି ତରଫରୁ ମୁଖ୍ୟମନ୍ତ୍ରୀଙ୍କ ଏହି ପଦକ୍ଷେପକୁ ଏକ ପ୍ରେସ ବିବୃତ୍ତି ମାଧ୍ୟମରେ ଧନ୍ୟବାଦ ଜ୍ଞାପନ କରାଯାଇଛି ।