mahavir

ପତ୍ର ଦର-ବୋନସ ଘୋଷଣାରେ ବିଳମ୍ବ, କର୍ମଚାରୀ ଉଚିତ୍ ଦରମାରୁ ବଞ୍ଚିତ : ରାଜ୍ୟବ୍ୟାପୀ କେନ୍ଦୁପତ୍ର ଶ୍ରମିକଙ୍କ ଧାରଣା

  • ୨୦୦୦ରୁ ଅଧିକ ପଞ୍ଚାୟତରେ ଆନ୍ଦୋଳନ, ଲକ୍ଷାଧିକ ତୋଳାଳୀ ଶ୍ରମିକଙ୍କ ଯୋଗଦାନ
  • ସୁନ୍ଦରଗଡର ସମସ୍ତ ପଞ୍ଚାୟତରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

ରାଉରକେଲା, (ସସ୍ମିତା ପ୍ରଧାନ) : ସୁନ୍ଦରଗଡ ଡିଭିଜନର ସମସ୍ତ କେନ୍ଦୁପତ୍ର ସଂଗ୍ରହ ହେଉଥିବା ପଞ୍ଚାୟତମାନଙ୍କରେ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇ ପଞ୍ଚାୟତ ଅଧିକାରୀଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ରାଜ୍ୟର ୧୯ଟି କେନ୍ଦୁପତ୍ର ଡିଭିଜନରେ ଏପ୍ରିଲ ୧୦ରୁ ସଂଗ୍ରହ ଆରମ୍ଭ ହୋଇଥିଲେ ମଧ୍ୟ ସରକାର ଏପର୍ଯ୍ୟନ୍ତ କେନ୍ଦୁପତ୍ର କେରି ପ୍ରତି ଦର ନିର୍ଦ୍ଧାରଣ କରିପାରିନାହାନ୍ତି । ତୋଳାଳୀ ଓ ସିଜିନାଲ କର୍ମଚାରୀଙ୍କ ପାଇଁ ବୋନସ, ମାସିକ ମଜୁରୀ ଓ ବନ୍ଧେଇ ଶ୍ରମିକଙ୍କ ପାଇଁ ବଣ୍ଡଲ ଦର ଘୋଷଣା ମଧ୍ୟ ହୋଇନାହିଁ । କେନ୍ଦୁପତ୍ର ଉନ୍ନୟନ ପରିଷଦର ବୈଠକ ନ ବସିବାକୁ ନିନ୍ଦା କରାଯାଇଥିଲା । ଏହି ପରିସ୍ଥିତିକୁ ନେଇ ସଂଘର ସଭାପତି ବିଜୟ କୁମାର ମହାନ୍ତି ଗଭୀର ଉଦବେଗ ପ୍ରକାଶ କରି କହିଛନ୍ତି ଯେ, ଚଳିତ ବର୍ଷ ଏପର୍ଯ୍ୟନ୍ତ ଦର ଓ ବୋନସ ଘୋଷଣା ନ ହେବା ଏକ ଅଭୂତପୂର୍ବ ଘଟଣା । ୨୦୨୪ ଜୁଲାଇରେ ସର୍ବନିମ୍ନ ମଜୁରୀ ଘୋଷଣା ହୋଇଥିଲେ ମଧ୍ୟ ସେହି ଅନୁପାତରେ ମାସିକ ମଜୁରୀ ନିର୍ଦ୍ଧାରିତ ହୋଇନାହିଁ ବୋଲି ସେ ଅଭିଯୋଗ କରିଛନ୍ତି । ବନ୍ଧେଇ ଶ୍ରମିକଙ୍କ ବଣ୍ଡଲ ଦର ବୃଦ୍ଧି ଓ ମୃତ୍ୟୁକାଳୀନ ଆର୍ଥିକ ସହାୟତା ବୃଦ୍ଧି ମଧ୍ୟ ହୋଇନାହିଁ । ସଂଘ ପକ୍ଷରୁ ଏହି ସମସ୍ୟାଗୁଡିକୁ ନେଇ ପୂର୍ବରୁ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ, ଜଙ୍ଗଲ ମନ୍ତ୍ରୀ ଓ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା ହୋଇଥିବା ସତ୍ତ୍ୱେ କୌଣସି ସ୍ପଷ୍ଟ ନିଷ୍ପତ୍ତି ହୋଇନାହିଁ । ଗତ ଫେବୃଆରୀ ୨୦ ଓ ୨୧ରେ ୧୦୦ରୁ ଅଧିକ ରେଞ୍ଜରେ ଗଣଧାରଣା ହୋଇଥିଲା ଏବଂ ଫେବୃଆରୀ ୨୭ରେ ରାସ୍ତାରୋକ ଆନ୍ଦୋଳନ ପୂର୍ବରୁ ସରକାରଙ୍କ ଅନୁରୋଧରେ ସ୍ଥଗିତ ରଖାଯାଇଥିଲା । ମାର୍ଚ୍ଚ ୨ରେ ସଚିବାଳୟରେ ଆଲୋଚନା ହେଲେ ମଧ୍ୟ ଦାବି ପୂରଣରେ ବିଳମ୍ବ ହେଉଥିବାରୁ ଶ୍ରମିକମାନଙ୍କ ଅସନ୍ତୋଷ ବଢ଼ିଛି । ସଂଘ ଅଭିଯୋଗ କରିଛି ଯେ, ଦୁଇ ମାସ ହେଉଛି କେତେକ ଶ୍ରମିକଙ୍କୁ ମଜୁରୀ ମିଳିନାହିଁ ଓ ଏହାର ଫଳରେ ଲକ୍ଷାଧିକ ଶ୍ରମିକ ଆର୍ଥିକ ସଙ୍କଟ ଓ ନିରାଶାରେ ଅଛନ୍ତି । ସୁନ୍ଦରଗଡ ଜିଲ୍ଲା ରାଉରକେଲା ଡିଭିଜନରେ ବିଭିନ୍ନ ପଞ୍ଚାୟତ ହୋଇଥିବା କାର୍ଯ୍ୟକ୍ରମରେ ତୋଳାଳୀ କର୍ମଚାରୀମାନେ ଏକତ୍ରିତ ହୋଇ ତାଙ୍କ ସହିତ ହେଉଥିବା ଅବିଚାରକୁ ନିନ୍ଦା କରିଥିଲେ । ଓଡ଼ିଶାରେ ଜଣେ ଆଦିବାସୀ ମୁଖ୍ୟମନ୍ତ୍ରୀ ଥାଇ ମଧ୍ୟ କେନ୍ଦୁପତ୍ର ସଂସ୍ଥାରେ ଯେଉଁଠି ୯୦% ମହିଳା ଓ ଅଧିକାଂଶ ଆଦିବାସୀ ଓ ପଛୁଆ ବର୍ଗ ନିଜର ଜୀବିକା ଭାବରେ ଗ୍ରହଣ କରିଛନ୍ତି ତାଙ୍କ ନ୍ୟାର୍ଯ୍ୟ ଦାବି ପ୍ରତି ଅବହେଳାକୁ ସମସ୍ତ ବକ୍ତା ନିନ୍ଦା କରିବା ସହ ଅତିଶୀଘ୍ର ଦାବି ପୂରଣ ପାଇଁ ଦାବି କରିଥିଲେ । ଆଜି ବିଭିନ୍ନ ପଞ୍ଚାୟତରେ ହୋଇଥିବା କାର୍ଯ୍ୟକ୍ରମକୁ ଡିଭିଜନ କୋଷାଧ୍ୟକ୍ଷ ଶୋଭାରମ ପ୍ରଧାନ ଓ ରେଞ୍ଜ ସମ୍ପାଦକଙ୍କ ମଧ୍ୟରେ ପ୍ରବୋଧ ତୀରକେୟ, ତ୍ରିଲୋଚନ କିସାନ, ନରହରି ପଟେଲ, ବିରଞ୍ଚି ରାଉତ, ପୁନିଆ ଚୁନିଆ, ନିରାକାର ନାୟକ, ଦୁର୍ଗା ମହାନ୍ତ, ବିରଞ୍ଚି ନାୟକ, ସାମ୍ବରୁ କିସାନ, ଗିରିଧାରୀ ବାଡା, ପର୍ଶୁରାମ ଭାଇନସାଲ, ଅଭିରାମ ସାହୁ, ମଧୁ ଖାଖା, ଜେମା ନାୟକ, ପ୍ରଭା ତୀରକେୟ, କାମିନୀ ନାୟକ, ମୌସୁମୀ ସେଠ, ସରୋଜିନୀ ଲାକ୍ରା, ରଘୁ ନାଗ, ନିରଞ୍ଜନ ବୁଡ଼େକ ପ୍ରମୁଖ ନେତୃତ୍ୱ ନେଇଥିଲେ । ଏଠାରେ ଉଲ୍ଲେଖଥାଉ କି ଆଜି ଓଡ଼ିଶାର ୨୨ଟି ଜିଲ୍ଲାରେ ଦୁଇ ହଜାରରୁ ଅଧିକ ପଞ୍ଚାୟତ ରେ ଏହି ଧାରଣା ସମାବେଶ ହୋଇଥିବା ବେଳେ ଲକ୍ଷାଧିକ ତୋଳାଳୀ କର୍ମଚାରୀ ଭାଗ ନେଇଥିବା ସଂଘର ସଭାପତି ବିଜୟ ମହାନ୍ତି ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.