mahavir

ଚିତ୍ରାମୁଣ୍ଡା ଗ୍ରାମରେ ପରିତ୍ୟକ୍ତ କୂଅରୁ ବିବାହିତା ମହିଳାଙ୍କ ମୃତଦେହ ଉଦ୍ଧାର : ହତ୍ୟା ଅଭିଯୋଗ

  • ୩ ଛୁଆ ବେସାହାରା
  • ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଉତ୍ୟକ୍ତ ଲୋକଙ୍କ ଜାତୀୟ ରାଜପଥ ଅବରୋଧ.
  • ଥାନାରେ ୨ ଅଟକ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଗୋଇମୁଣ୍ଡ ପଞ୍ଚାୟତ ଚିତ୍ରାମୁଣ୍ଡା ଗ୍ରାମର ବିବାହିତା ମହିଳା ଜାନକୀ ଓରଫ ରଞ୍ଜୁତା ସାହୁ(୪୦)ଙ୍କ ମୃତଦେହ ତାଙ୍କ କପା ଚାଷ ଜମିର ଏକ ପରିତ୍ୟକ୍ତ କୂଅରେ ମୁଣ୍ଡକୁ ମାଟିରେ ପୋତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ମହିଳାଙ୍କୁ ହତ୍ୟା କରି ମାଟିରେ ପୋତିଦେବାକୁ ଉଦ୍ୟମ କରାଯାଇଥିବା ଅଭିଯୋଗ କରି ପରିବାର ଓ ଗ୍ରାମବାସୀ ୫୯ ନଂ ଜାତୀୟ ରାଜପଥ ଅବରୋଧ କରିବା ଘଟଣାକୁ ନେଇ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା । ଏହି ହତ୍ୟା ଘଟଣାରେ ସମ୍ପୃକ୍ତ ଅଭିଯୋଗରେ ପୁଲିସ ୨ଜଣଙ୍କୁ ଥାନାରେ ଅଟକ ରଖିଥିବା ଜଣାପଡିଛି । ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ କରି କଠୋର କାର୍ଯ୍ୟାନୁଷ୍ଠାନ ଦାବି କରି ଉତ୍ୟକ୍ତ ପରିବାର ଓ ଗ୍ରାମବାସୀ ଦୀର୍ଘ ସମୟ ପର୍ଯ୍ୟନ୍ତ ବଙ୍ଗୋମୁଣ୍ଡା-ଟିଟିଲାଗଡ଼ ୫୯ ନଂ ଜାତୀୟ ରାଜପଥକୁ ଅବରୋଧ କରିଥିଲେ । କଣ୍ଟାବାଞ୍ଜି ଏସଡିପିଓ ଲକ୍ଷ୍ମୀନାରାୟଣ ମାରାଣ୍ଡି ଓ ଥାନା ଆଇଆଇସି ବୁଲୁ ମୁଣ୍ଡା ପହଞ୍ଚି ଉତ୍ତ୍ୟକ୍ତଙ୍କୁ ବୁଝାସୁଝା କରିଥିଲେ । ମୁରିବାହାଲ ତହସିଲଦାର ଜଗଦୀଶ କର୍ତ୍ତାମୀ ରେଡ଼କ୍ରସରୁ ୨୦ ହଜାର ଟଙ୍କା, ଗୋଇମୁଣ୍ଡ ସରପଞ୍ଚ କାଳିଆ ସରାଫ ପଞ୍ଚାୟତ ହରିଶ୍ଚନ୍ଦ୍ର ଯୋଜନାରୁ ୩ ହଜାର ଟଙ୍କା, ଚାଉଳ ୧ପ୍ୟାକେଟ ଓ ନିଜେ ବ୍ୟକ୍ତିଗତ ଭାବେ ଦୁଇହଜାର ଟଙ୍କା ତଥା ବିଡ଼ିଓ ବାସନ୍ତୀ ସେଠୀ ନିଜେ ବ୍ୟକ୍ତିଗତ କିଛି ଆର୍ଥିକ ଅର୍ଥ ଭଳି ସରକାରୀ ସହାୟତା ଯୋଗାଇଦେବା ତଥା ତିନି ଛୁଆଙ୍କ ଭରଣ ପୋଷଣ ପାଇଁ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବ ବୋଲି ନିଶ୍ଚିତ ପ୍ରତିଶ୍ରୁତି ମିଳିବା ପରେ ରାସ୍ତା ଅବରୋଧରୁ ଓହରିଥିଲେ । ଉତ୍ୟକ୍ତ ଲୋକଙ୍କ ରାସ୍ତା ଅବରୋଧ ଯୋଗୁଁ ଉଭୟ ପାର୍ଶ୍ୱରେ ଶହ ଶହ ଯାନବାହାନ ଅଟକି ରହିଥିଲା । ପ୍ରକାଶ ଥାଉକି ଚିତ୍ରାମୁଣ୍ଡା ଗ୍ରାମର କିଶୋର ସାହୁଙ୍କ ପତ୍ନୀ ତଥା ମୃତା ମହିଳା ଜାନକୀ ଶନିବାର ସକାଳେ ତାଙ୍କ କପା କିଆରୀକୁ କାମ କରିବାକୁ ଯାଇଥିଲେ । ସନ୍ଧ୍ୟା ପର୍ଯ୍ୟନ୍ତ ସେ ଘରକୁ ନ ଫେରିବାରୁ ତାଙ୍କ ବଡ଼ଝିଅ ମାମୁଁ ଘର ଲୋକଙ୍କୁ ଖବର ଦେଇ ବହୁ ସମୟ ଖୋଜାଖୋଜି କରିଥିଲେ । ଶେଷରେ ସେହି ପରିତ୍ୟକ୍ତ କୂଅରେ ମହିଳାଙ୍କ ମୃତଦେହ ଦେଖିବାକୁ ମିଳିଥିଲା । ମୃତ ମହିଳାଙ୍କ ବାପ ଘର ଲୋକ ଆସି ସବୁ ଦେଖିଲା ପରେ ଏହା ଏକ ହତ୍ୟା ମାମଲା ବୋଲି ଥାନାରେ ଅଭିଯୋଗ କରିଥିଲେ । ମୃତ ମହିଳାଙ୍କ ସ୍ଵାମୀ କିଶୋର ଦୀର୍ଘ ୪ବର୍ଷରୁ ଉର୍ଦ୍ଧ୍ୱ ହେବ ଦାଦନ ଶ୍ରମିକ ଭାବେ ବାହାର ରାଜ୍ୟକୁ କାମ କରିବାକୁ ଯାଇଥିବା ବେଳେ ସେ ପରିବାର ଲୋକଙ୍କ ସହିତ କୌଣସି ସମ୍ପର୍କ ରଖୁନାହାନ୍ତି । ଘରେ ଥିବା ତାଙ୍କର ୨ଝିଅ ଓ ଗୋଟିଏ ପୁଅ ଏବେ ବାପା ଓ ମାଆ ଉଭୟ ସ୍ନେହରୁ ବଞ୍ଚିତ ହୋଇ ସମ୍ପୂର୍ଣ୍ଣ ବେସାହାରା ହୋଇଯାଇଛନ୍ତି । ବଲାଙ୍ଗିରରୁ ସାଇଣ୍ଟିଫିକ ଟିମ ଓ ଡଗ ସ୍କ୍ୱାର୍ଡ ପହଁଚି ଅଧିକ ତଦନ୍ତ କରିଥିଲେ । ରାସ୍ତା ଅବରୋଧ ହଟିବା ପରେ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପ୍ରଥମେ କଣ୍ଟାବାଞ୍ଜି ଓ ପରେ ବଲାଙ୍ଗିର ପଠାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା । ସ୍ୱାମୀଙ୍କ ଅନୁପସ୍ଥିତିରେ ମୃତ ମହିଳାଙ୍କ ଅନ୍ୟ ପୁରୁଷଙ୍କ ସହ ପରକୀୟା ପ୍ରୀତି କିମ୍ବା ଜମିଜମା ବିବାଦକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟଣା ଘଟିଛି ବୋଲି ପାରିପାର୍ଶ୍ୱିକ ପରିସ୍ଥିତିରୁ ଜଣାପଡିଛି । ଏ ସମ୍ପର୍କରେ ଥାନାରେ କେଶ ନଂ ୮୩/୨୬ ରୁଜ୍ଜୁ କରାଯାଇ ପରିବାରର ଅଭିଯୋଗ ଆଧାରରେ ଘଟଣାରେ ସମ୍ପୃକ୍ତ ୨ଜଣଙ୍କୁ ଥାନାରେ ଅଟକ ରଖି ଅଧିକ ତଦନ୍ତ ଜାରି ରହିଛି ବୋଲି ତଦନ୍ତକାରୀ ଅଧିକାରୀ ତଥା ଥାନା ଆଇଆଇସି ବୁଲୁ ମୁଣ୍ଡା ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.