mahavir

ପେଷାଦାର ସାମ୍ବାଦିକ ସଂଘ ପକ୍ଷରୁ ବିଶ୍ୱ ପ୍ରେସ ସ୍ୱାଧୀନତା ଦିବସ ପାଳିତ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲା ପେଷାଦାର ସାମ୍ବାଦିକ ସଂଘ ପକ୍ଷରୁ ସ୍ଥାନୀୟ ହୋଟେଲ ଭାଗିରଥୀ ଇନ୍ ସମ୍ମିଳନୀ କକ୍ଷରେ ବିଶ୍ୱ ପ୍ରେସ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । କଳାହାଣ୍ଡି ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ଶାନ୍ତନୁ କୁମାର ବେହେରାଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ପଦ୍ମଶ୍ରୀ ପଟ୍ଟାୟତ ସାହୁ ଯୋଗଦେଇଥିବା ବେଳେ ମୁଖ୍ୟବକ୍ତା ଭାବରେ ବରିଷ୍ଠ ସାମ୍ବାଦିକ ତଥା ଗବେଷକ ଉମା ଶଙ୍କର କର ଓ ସମ୍ମାନିତ ଅତିଥି ଭାବରେ ବରିଷ୍ଠ ସାମ୍ବାଦିକ ଦେବେନ୍ଦ୍ର ବିଶି, ବୈଦ୍ୟରାଜ ପବିତ୍ର ଶବର, ବିଶିଷ୍ଟ ଶିକ୍ଷାବିତ୍ ତଥା ଭବାନୀପାଟଣା ସ୍ୱୟଂ ଶାସିତ ମହାବିଦ୍ୟାଳୟର ଅବସର ପ୍ରାପ୍ତ ଅଧ୍ୟକ୍ଷ ଡ଼. ଅଜୟ ମିଶ୍ର ଯୋଗ ଦେଇଥିଲେ । କଳାହାଣ୍ଡି ପେଷାଦାର ସାମ୍ବାଦିକ ସଂଘର ସଭାପତି ରଜନୀକାନ୍ତ ମିଶ୍ର ଅତିଥି ପରିଚୟ ପ୍ରଦାନ ସହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ବରିଷ୍ଠ ସାମ୍ବାଦିକ ତଥା ଗବେଷକ ସତ୍ୟ ନାରାୟଣ ମହାପାତ୍ର କାର୍ଯ୍ୟକ୍ରମ ପରିଚାଳନା ସହ ଧନ୍ୟବାଦ ଅର୍ପଣ କରିଥିଲେ । ସମଗ୍ର ବିଶ୍ୱ ସମେତ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଶ୍ୱ ପ୍ରେସ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ସମ୍ବାଦପତ୍ର ଏବଂ ଗଣମାଧ୍ୟମର ସ୍ୱାଧୀନତାକୁ ବଜାୟ ରଖିବା ସହ ସାମ୍ବାଦିକମାନଙ୍କ ଅଧିକାର ଓ ସୁରକ୍ଷା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏହି ଦିବସର ମୂଳ ଲକ୍ଷ୍ୟ । ଗଣତନ୍ତ୍ରରେ ଗଣମାଧ୍ୟମର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ଯାହା ସରକାର ଓ ଜନସାଧାରଣଙ୍କ ମଧ୍ୟରେ ଏକ ସେତୁ ଭାବେ କାର୍ଯ୍ୟ କରିଥାଏ । ଚଳିତ ବର୍ଷ ବିଶେଷ କରି ପରିବେଶ ସଙ୍କଟ ସମୟରେ ସାମ୍ବାଦିକତାର ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ତଥ୍ୟକୁ ସଠିକ୍ ଭାବେ ଉପସ୍ଥାପନ କରିବା ଏବଂ ଗୁଜବଠାରୁ ଦୂରେଇ ରହିବା ପାଇଁ ଶପଥ ନିଆଯାଇଥିଲା । ଉପସ୍ଥିତ ସାମ୍ବାଦିକମାନେ ନିଜର ବୃତ୍ତିଗତ ସମସ୍ୟା ଓ ସାମାଜିକ ଦାୟିତ୍ୱବୋଧ ଉପରେ ଆଲୋଚନା କରିଥିଲେ । ସାମ୍ପ୍ରତିକ ସମୟରେ ସଠିକ୍ ଖବର ପରିବେଷଣ କରିବା ଏକ ଆହ୍ୱାନ ହୋଇପଡ଼ିଛି । ସାମ୍ବାଦିକମାନଙ୍କ ଉପରେ ହେଉଥିବା ଆକ୍ରମଣକୁ ନିନ୍ଦା କରାଯିବା ସହ ସେମାନଙ୍କୁ ସାମାଜିକ ନିରାପତ୍ତା ଯୋଗାଇ ଦେବାକୁ ଅତିଥିମାନେ ଆହ୍ୱାନ ଦେଇଥିଲେ । ଏହି ଅବସରରେ ବରିଷ୍ଠ ସାମ୍ବାଦିକ ହରଜିନ୍ଦର୍ ସିଂଙ୍କୁ ସାମ୍ବାଦିକ ଗୌରବ ସମ୍ମାନରେ ଓ ବୈଦ୍ୟରାଜ ପବିତ୍ର ଶବରଙ୍କୁ ସମାଜ ସେବା କ୍ଷେତ୍ରରେ ସମ୍ମାନିତ କରାଯାଇଥିଲା । ଏହା ବ୍ୟତୀତ ସାମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ତଥା ସମାଜ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଜିଲ୍ଲାର ଅନେକ ସାମ୍ବାଦିକ ଏବଂ ସମାଜସେବୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

Leave A Reply

Your email address will not be published.