୩୭ତମ ବଙ୍ଗୋମୁଣ୍ଡା ଧନୁଯାତ୍ରା ମହୋତ୍ସବର ତୃତୀୟ ରଜନୀ : କିଆବନ୍ଧରେ କାଳୀୟଦଳନ ଦେଖିବା ଲୋକଙ୍କ ପ୍ରବଳ ଭିଡ

ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ସର୍ବସାଧାରଣ ଖେଳପଡିଆଠାରେ ଚାଲିଥିବା ୩୭ତମ ବଙ୍ଗୋମୁଣ୍ଡା ଧନୁଯାତ୍ରା ମହୋତ୍ସବ ତୃତୀୟ ରଜନୀରେ ପହଂଚିଛି । ଧନୁଯାତ୍ରା ପାଇଁ ବଙ୍ଗୋମୁଣ୍ଡା ପାଲଟିଛି ମଥୁରାନଗରୀ ଓ ଗୋହିରାପଦର ପାଲଟିଛି ଗୋପପୁର । ହାତୀ ପିଠିରେ ବସି କଂସ ମହାରାଜ ପାତ୍ର ଓ ମନ୍ତ୍ରୀଙ୍କ ସହ ପହଞ୍ଚିଥିଲେ । ମହୋତ୍ସବର ତୃତୀୟ ରଜନୀରେ ରାଜକୀୟ ଅତିଥି ଟିଟିଲାଗଡ ଉପଜିଲ୍ଲାପାଳ ଦୟାମୟ ପାଢୀ, ସମାଜସେବୀ ପ୍ରୀତି ପାଢୀ, ଲୋୟର ଇନ୍ଦ୍ର ଜଳ ସେଚନ ପ୍ରକଳ୍ପର ପାଣି ପଂଚାୟତର ସଭାପତି ମଞ୍ଜେସ ମେହେର, ବଙ୍ଗୋମୁଣ୍ଡା ବନାଂଚଳଧିକାରୀ ପଦ୍ମନାଭ କୁମ୍ଭାର ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । କଳା ପାଇଁ ସବୁ ବେଳେ ଏହି ଅଂଚଳ ବେଶ ପରିଚିତ ଥିବା ବେଳେ ଲୁକି ଯାଉଥିବା ଲୋକକଳାକୁ ପୁନଃ ଉଦ୍ଧାର କରିବା ପାଇଁ କମିଟି ଆବଶ୍ୟକ ପଦକ୍ଷେପ ନେଇଥିବାରୁ ସାଧୁବାଦ୍ ଜଣାଇଛନ୍ତି । ୨୦୨୫ ସୁଦ୍ଧା ଏହି ଅଂଚଳରେ ରବି ଚାଷ ପାଇଁ ଚାଷୀମାନଙ୍କୁ ପାଣି ଯୋଗଇଦେବା ପାଇଁ ପ୍ରତିଶୃତି ଦେଇଥିଲେ । ଗଛ ବଂଚିଲେ ଆମେ ସମସ୍ତେ ବଂଚିବା ସେଥିପାଇଁ ସମସ୍ତେ ବୃକ୍ଷ ରୋପଣ କରିବା ପାଇଁ କଂସ ମହାରାଜ ଆଦେଶ ଦେଇଥିଲେ । ଡଃ ନାରାୟଣ ମିଶ୍ର ସଭାକୁ ସଂଯୋଜନା କରିଥିଲେ । ଏହି ଅବସରରେ ବରିଷ୍ଠ କଣ୍ଠଶିଳ୍ପୀ ଧରମ ବାରିକଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ରଙ୍ଗମଂଚରେ ସତ୍ୟ ମହିମା ସଂସ୍କୃତ ବିଦ୍ୟାପୀଠ ଖଇରା, ଯୋଡି ଶଙ୍ଖ ଗଞ୍ଜାମ, ବଜାଶାଲ ଅନୁଷ୍ଠାନ ମଲମୁଣ୍ଡା ଓ ସ୍ଥାନୀୟ କଳାକାରମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ଅପରାହ୍ନରେ ନନ୍ଦ ଉତ୍ସବ, କାଳୀୟଦଳନ, ନାବକେଲି ଦୃଶ୍ୟ ପରିବେଷିତ ହୋଇଥିଲା । ଆନନ୍ଦ ଅଗ୍ରୱାଲଙ୍କ ବାସଭବନରେ ନନ୍ଦ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଆନନ୍ଦ ଅଗ୍ରୱାଲ ଏବଂ ତାଙ୍କ ଧର୍ମପତ୍ନୀ ଅଞ୍ଜୁ ଅଗ୍ରୱାଲ ନନ୍ଦ ରାଜା ଓ ନନ୍ଦ ରାଣୀ ଦାୟିତ୍ୱ ତୁଲାଇଥିବା ବେଳେ ପୁରୋହିତ କାର୍ଯ୍ୟ ଡଃ ନାରାୟଣ ମିଶ୍ର ସମ୍ପାଦନ କରିଥିଲେ । କିଆବନ୍ଧରେ କାଳୀୟଦଳନ ଦେଖିବା ପାଇଁ ଦର୍ଶକମାନଙ୍କ ପ୍ରବଳ ଭିଡ ହୋଇଥିଲା । କୃଷ୍ଣ ଭୂମିକାରେ ପ୍ରଜ୍ଞାନ ଯୋଶୀ, ବଳରାମ ପ୍ରଜ୍ଞା ମେହେର, ରାଧା ପ୍ରାଚୀ ପୁଟେଲ, ସୁଦାମା ଭୂମିକାରେ ଶିବରାମ କଟା ଅଭିନୟ କରିଥିଲେ । ସନ୍ଧ୍ୟାରେ ପୌରାଣିକ ନାଟ୍ୟବସ୍ତୁ ଆଧାରିତ ଅଷ୍ଟମଲ୍ଲ ନିଧନରେ କଂସ ମର୍ମାହତ, କାଳୀୟ ନାଗକୁ ଆଦେଶ, ରାଣୀ ପଦ୍ମାବତୀଙ୍କ ଧନଶ୍ରୀ ଓଷା, ରଙ୍ଗସଭା ଓ ଧନୁଯାତ୍ରା ଆରମ୍ଭ ଆଦି ନାଟ୍ୟାଭିନୟ ପରିବେଷିତ ହୋଇଥିଲା । ଧନୁଯାତ୍ରା ମହୋତ୍ସବ କମିଟିର ଅଧ୍ୟକ୍ଷ ତୁଲସୀରାମ ହଂସ, ଉପାଧ୍ୟକ୍ଷ ଆନନ୍ଦ ଅଗ୍ରୱାଲ, ସଭାପତି ସୁଦାମ ସିନ୍ଦୁର, କାର୍ଯ୍ୟକାରୀ ସଭାପତି ସନ୍ତୋଷ ତ୍ରିପାଠୀ, ସାଧାରଣ ସମ୍ପାଦକ ରଶ୍ମିରଞ୍ଜନ ପୁଟେଲ, ସମ୍ପାଦକ ଅମିତ ଥନାପତି, କୋଷାଧ୍ୟକ୍ଷ ରୁପେଶ ଜୈନ, ପିଆର୍‌ଓ ତ୍ରିନାଥ ବାରିକ, ପ୍ରଚାର ପ୍ରସାର ସମ୍ପାଦକ ହୁଲେଶ୍ୱର ହଂସ, ଉପଦେଷ୍ଟା ଶରତ ଚନ୍ଦ୍ର ସିଂ ଭୋଇ, ନେତ୍ରାନନ୍ଦ ସାହୁ, ବିଘ୍ନ ରାଉତ, ରାମଚନ୍ଦ୍ର ରଣା ପ୍ରମୁଖଙ୍କ ସହ ଆୟୋଜକ କମିଟିର ସମସ୍ତ ସଦସ୍ୟମାନେ ସହଯୋଗ କରିିଥିଲେ । ବହୁ ସଂଖ୍ୟାରେ ଦର୍ଶକମାନେ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଉପଭୋଗ କରିଥିଲେ । ଅଗ୍ନିଶମ ବିଭାଗ, ପୋଲିସ ବିଭାଗ, ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀମାନେ ସହଯୋଗ କରିଥିଲେ ।

Leave A Reply

Your email address will not be published.