ଖରିଫ ଧାନ କିଣାରେ ଅନିୟମିତତା : ଚାଷୀର ଧାନ ପେକ୍ସ ଗୋଦାମରେ, ବେପାର ଧାନ ମିଲ୍‌ ଭିତରେ

  • ୫ଟି ପେକ୍ସରେ ପଡ଼ି ରହିଛି ୬ହଜାର ବସ୍ତା ଧାନ
    – ମଣ୍ଡି ଖୋଳିଛି, ଧାନ କିଣା ଆରମ୍ଭ ହୋଇନି
    – ୫ କେଜି କଟିଙ୍ଗ ପାଇଁ ଜିତ୍ ଧରିଛି ମିଲର୍ସ

ଦେଓଗାଁ, (ମନୀଷ କୁମାର ସାହୁ) : ରାଜ୍ୟ ସରକାର ଗତ ୧୮ ତାରିଖରୁ ଆନୁ‌ଷ୍ଠାନିକ ଭାବେ ଖରିଫ ଧାନ କିଣା ଆରମ୍ଭ ହୋଇଥିଲେ ମଧ୍ୟ ଦେଓଗାଁ ବ୍ଳକରେ ଏହି ନିୟମ କାର୍ୟ୍ୟକାରୀ ହୋଇନାହିଁ ଯଦିଓ ବିଭିନ୍ନ ପ୍ରାଥମିକ କୃଷି ସମବାୟ ସମିତି(ପେକ୍ସ)କୁ ଜିଳ୍ଲାପାଳ, ଉପଜିଲ୍ଲାପାଳ ଓ ଡିଆରସିଏସ, ଏଆସିଏସ ପରିଦର୍ଶନ କରି ପେକ୍ସ ସଂପାଦକମାନଙ୍କୁ ତାଗିଦ୍‌ କରୁଛନ୍ତି, ତଥାପି ଏହା କିଛି ସଫଳ ହେଉ ନଥିବା ଚାଷୀ ମହଲରେ ଆଲୋଚନା ହେଉଛି । ଗଣମାଧ୍ୟମ ପକ୍ଷରୁ କରାଯାଇଥିବା ତଦନ୍ତ ଅନୁସାରେ ଦେଓଗାଁ ବ୍ଳକର ମୋଟ ୧୨ଟି ପେକ୍ସ ମଧ୍ୟରୁ କୁତୁର୍ଲା ପେକ୍ସରେ ୨୬୩୨ ବସ୍ତା, ରାମଚନ୍ଦ୍ରପୁରରେ ୯୭୦ ବସ୍ତା, ବଡ଼ବନ୍ଧରେ ୮୭୦ ବସ୍ତା, ଅର୍ଜୁନପୁରରେ ୮୦୮ ବସ୍ତା, ବନ୍ଧପଡ଼ାରେ ୭୭୦ ବସ୍ତା, ମହଲାଇରେ ୪୯୦ ବସ୍ତା ମୋଟ ୫ଟି ପେକ୍ସରେ ୬୫୪୦ ବସ୍ତା ଧାନ ଓଜନ ନହୋଇ ପଡ଼ିରହିଛି । କିଛି ପେକ୍ସରେ ଗାଡ଼ି ଲାଗିଥିବାରୁ ଧାନ ଓଜନ ହେବା ସମ୍ଭାବନା ଅଛି ବୋଲି ସଂପାଦକମାନେ କହିଛନ୍ତି । ଓଜନ ହୋଇ ନଥିବା ଧାନକୁ ଏଫଏକ୍ୟୁ ମାନର ଧାନ ନୁହେଁ, ତେଣୁ ବିନା କଟନୀରେ ଧାନ ଉଠାଯିବ ନାହିଁ ବୋଲି ମିଲର୍ସ କହୁଥିବାରୁ ଗୋଦମ ଓ ଗୋଦାମ ବାହାରେ ଧାନ ବସ୍ତା ପଡ଼ିରହିଥିବା ଅଭିଯୋଗ ହେଉଛି । ଏ ସଂକ୍ରାନ୍ତରେ ମିଲର୍ସମାନଙ୍କୁ ପଚାରିଲେ ଚାଷୀ ସହ ଆମ ସମ୍ପର୍କ ନାହିଁ ବୋଲି କହୁଛନ୍ତି ।
ସୂଚନା ଅନୁସାରେ ଦେଓଗାଁ ପେକ୍ସରେ ଗତ ୨୫ ତାରିଖରୁ ୨ତାରିଖ ମଧ୍ୟରେ ୨୧ ଜଣ ଚାଷୀଙ୍କ ୧୨୯୪.୧ କ୍ବିଣ୍ଟାଲ ଧାନ ସିଧାସଲଖ ମିଲକୁ ଯାଇଥିବା ପେକ୍ସ ସଂପାଦକ ରଘୁମଣୀ ବାରିକ କହିଛନ୍ତି । ବିନା ଓଜନରେ ପେକ୍ସକୁ କେମିତି ଗଲା ବୋଲି ପଚାରିବାରୁ ଚାଷୀମାନଙ୍କ ଲିଖିତ ସମ୍ମତି କ୍ରମେ ଯାଇଛି ବୋଲି କହୁଛନ୍ତି । ଅନ୍ୟ ପକ୍ଷରେ ଧାନ ବସ୍ତା ଓଜନ ଓ ଗାଡ଼ିରେ ଲୋଡ଼ କରିବା ବାବଦରେ ବସ୍ତା ପ୍ରତି ୪ ଟଙ୍କା ୪୬ ପଇସା ହିସାବରେ ୫୭୭୧ଟଙ୍କା ପାଇବାରୁ ବଞ୍ଚିତ ହେଲେ ବୋଲି ଦେଓଗାଁ ପେକ୍ସରେ ଓଜନ କରିବାକୁ ଅପେକ୍ଷା କରିଥିବା ହେମାଲିମାନେ କହିଛନ୍ତି । ସେହିପରି ୧୮ ତାରିଖରୁ ବର୍ତ୍ତମାନ ସୁସ୍‌ସ୍ଥା ଦେଓଗାଁରେ ୧୨୯୪.୧ କ୍ବିଣ୍ଟାଲ , ସାରସମାଲରେ ୫୫୯ କ୍ବିଣ୍ଟାଲ, ଧଣ୍ଡାମାଲରେ ୬୦୪ କ୍ବିଣ୍ଟାଲ, ଗୌଡ଼ଗୋଠରେ ୨୮୪କ୍ବିଣ୍ଟାଲ, ମହଲାଇରେ ୧୧୫୫କ୍ବିଣ୍ଟାଲ, ଜରାସିଂହାରେ ୧୨୨୬.୫୧ କ୍ବିଣ୍ଟାଲ ମୋଟ ୭ଟି ପେକ୍ସରୁ ୫୧୨୨.୫୨କ୍ବିଣ୍ଟାଲ ବିଭିନ୍ନ ମିଲକୁ ଧାନ ଯାଇଥିବା ଜଣାପଡ଼ିଛି । ସେହିପରି ମିଲ ମାଲିକ ସହ ସଲାସୁତୁରା କରି ଚାଷୀର ଗାଡ଼ିରେ ମିଲ୍‌କୁ ପରିବହନ କରୁଥିବା ଯୋଗୁଁ ଚାଷୀ ଖର୍ଚ୍ଚାନ୍ତରେ ପଡ଼ୁଥିବା ଅଭିଯୋଗ ହେଉଛି । ଅର୍ଜୁନପୁର ଓ କୁତୁର୍ଲା ମଣ୍ଡିରେ କ୍ବିଣ୍ଟାଲ ପ୍ରତି ୫ କେଜି କଟନିରେ ଧାନ ଉଠାଇବାକୁ ମିଲର୍ସ ଅଡ଼ି ବସିଛି । କୁତୁର୍ଲା ପେକ୍ସ ଅଧୀନରେ ଥିବା କୁତୁର୍ଲା ଓ ହାତୀସରା ପଞ୍ଚାୟତର ଚାଷୀମାନେ କୁତୁର୍ଲା କୋଶଳ ଆଞ୍ଚଳିକ ଚାଷୀ କମିଟି ଗଠନ କରି ଧାନ ମିଲ୍‌କୁ ଯିବା ସହ ବିଭିନ୍ନ ନିଷ୍ପତ୍ତି କରିବା ପୂର୍ବରୁ ଏହି କମିଟିକୁ ଜଣାଇବାକୁ ସଂପାଦକଙ୍କୁ ଲିଖିତ ଭାବେ ଜଣାଇଛନ୍ତି ।

Leave A Reply

Your email address will not be published.