ଦୁର୍ଘଟଣାରେ ଆହତ କେଶବଙ୍କୁ ଚିକିତ୍ସା ଯୋଗାଇ ଦେବା ପାଇଁ ଅନୁରୋଧ କଲେ ଦୀପା

ପଦ୍ମପୁର, (ନିରୋଜ କୁମାର ପାଣୀ) : ଜଣେ ଦୁର୍ଘଟଣାରେ ଆହତଙ୍କୁ ସହାୟତା ଯୋଗେଇଦେବା ପାଇଁ ଆହତଙ୍କ ଘରକୁ ଯାଇ ସମସ୍ତ ସରକାରୀ ବ୍ୟବସ୍ଥା ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ବୁଝେଇ ପୀଡ଼ିତ ବାପା ମାଆଙ୍କ ମନରେ ଆଶା ସଞ୍ଚାର କରିଛନ୍ତି ପାଇକମାଲ ବ୍ଲକର ସ୍ୱେଚ୍ଛାସେବୀ ଦୀପା ବାରିକ । ସୋମବାର ଦିନ ନିଜ ବାପାଙ୍କୁ ଡାକ୍ତରଖାନା ନେଉଥିବା ବେଳେ ମେଳଛାମୁଣ୍ଡାର ପୂର୍ବତନ ସୀମା ସୁରକ୍ଷା ବଳ ଯବାନ ପ୍ରକାଶ ବାରିହାଙ୍କ ଅନୁରୋଧ କ୍ରମେ ଦୁର୍ଘଟଣାରେ ଆହତ ଏକ ଯୁବକଙ୍କ ଘରକୁ ଯାଇଥିଲେ ।
ସୂଚନା ଅନୁଯାୟୀ ବରଗଡ଼ ଜିଲ୍ଲା ରାଜବୋଡାସମ୍ବର ବ୍ଲକ ଅନ୍ତର୍ଗତ କେଲେଣ୍ଡା ଗ୍ରାମର କେଶବ ସାହୁ ଗତ ଏକ ମାସ ପୂର୍ବରୁ ଦୁର୍ଘଟଣାରେ ଗୁରୁତର ଆହତ ହୋଇ ବର୍ତ୍ତମାନ ଘରେ ଅସହାୟ ଅବସ୍ଥାରେ ପଡିରହିଛନ୍ତି । ସୂଚନା ଅନୁଯାୟୀ ଗତ ଜୁନ ୨୮ ତାରିଖରେ ସେ ବାଇକ ଦୁର୍ଘଟଣାରେ ଗୁରୁତର ଆହତ ହୋଇ ପଡିଥିଲେ । ପ୍ରଥମେ ତାଙ୍କୁ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ସେଠାରୁ ଭୀମସାର ବୁର୍ଲା ଓ ପରେ କଟକ ବଡ଼ ମେଡିକାଲରେ ଚିକିତ୍ସା କରାଯାଇଥିଲା । କଟକରେ ଚିକିତ୍ସା କଲା ପରେ ମଧ୍ୟ କୌଣସି ଉନ୍ନତି ନ ହେବାରୁ ଗତ ୧୭ ଜୁଲାଇରେ କଟକ ବଡ଼ ମେଡିକାଲରୁ ଡିସଚାର୍ଜ କରାଯାଇଛି । କିନ୍ତୁ ବର୍ତ୍ତମାନ ଏଭଳି ଗୁରୁତର ରୋଗୀକୁ ଘରେ ରଖି ଚିକିତ୍ସା କରାଇବା ସୁରକ୍ଷିତ ମନେ କରୁନାହାନ୍ତି ପରିବାର ବର୍ଗ । ଅପର ପକ୍ଷେ ଆକସ୍ମିକ ଭାବେ ଦୁର୍ଘଟଣାରେ ଆହତ ହେବା ଦ୍ୱାରା ଗରୀବ ବିପିଏଲ ପରିବାରରେ ଅକାଳ ଚଡକ ପଡ଼ିଛି । ବରଗଡ଼, ବୁର୍ଲା ପରେ କଟକରେ ରହି ପାଖାପାଖି ୪୦ ହଜାର ଟଙ୍କା ଖର୍ଚ୍ଚ ହୋଇଛି ଯାହାକି ଏକ ଗରୀବ ପରିବାର ପାଇଁ ବହୁମୂଲ୍ୟ ଅଟେ । ତୁରନ୍ତ ଏହି ଅସହାୟ ପରିବାରକୁ ଜିଲ୍ଲା ରେଡକ୍ରସ ପାଣ୍ଠିରୁ ଆର୍ଥିକ ସହାୟତା ଯୋଗେଇ ଦେବା ସହ ଭୁବନେଶ୍ୱର ଏମ୍ସ ଡାକ୍ତରଖାନାରେ ଚିକିତ୍ସା ଯୋଗାଇ ଦେବା ପାଇଁ ଦୀପା ବାରିକ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.