
ଶ୍ରୀ ଶ୍ରୀ ରବିଶଙ୍କରଙ୍କ ବର୍ଣ୍ଣାଢ୍ୟ ଜନ୍ମ ମହୋତ୍ସବ : ଭଜନ, ନୃତ୍ୟ, ସଂଗୀତ ଓ ୧୮୦ ଦେଶର ଶ୍ରଦ୍ଧାଳୁଙ୍କ ସମେତ ଶ୍ରୀ ଶ୍ରୀଙ୍କ ସହ ଅନଲାଇନ ଧ୍ୟାନର ବିରଳ ଅନୁଭୂତି ନେଲେ ଦର୍ଶକ
ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଆର୍ଟ ଅଫ୍ ଲିଭିଂ ପରିବାର ଆନୁକୂଲ୍ୟରେ ଗତ ମଇ ୧୩ ତାରିଖରେ ବିଶ୍ଵ ବରେଣ୍ୟ ସନ୍ଥ ପରମ ପୂଜ୍ୟ ଶ୍ରୀ ଶ୍ରୀ ରବିଶଙ୍କରଙ୍କ ୭୦ତମ ଜନ୍ମ ମହୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଜନ୍ମ ମହୋତ୍ସବ ଉପଲକ୍ଷେ ସକାଳ ଠାରୁ ରାତି ପର୍ଯ୍ୟନ୍ତ ସହର ବ୍ୟାପୀ ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଯାଇଛି । ପ୍ରତ୍ୟୁଷରେ ଶ୍ରୀ ଶ୍ରୀ ରବିଶଙ୍କର ବିଦ୍ୟା ମନ୍ଦିର ଇସ୍ପାତ ଇଂରାଜୀ ମାଧ୍ୟମ ବିଦ୍ୟାଳୟ (ସେକ୍ଟର ୨୦), ଶ୍ରୀ ଶ୍ରୀ ସ୍ପେସ୍ (ଉଦିତ୍ ନଗର), ଶ୍ରୀ ଶ୍ରୀ ରବିଶଙ୍କର ବିଦ୍ୟା ମନ୍ଦିର (ସେକ୍ଟର ୨୨) ତଥା ଛେଣ୍ଡ ଆର୍ଟ ଅଫ୍ ଲିଭିଂ କେନ୍ଦ୍ର ଠାରେ ସୁଦର୍ଶନ କ୍ରିୟା ସାଧନା କାର୍ଯ୍ୟକ୍ରମରେ ଶହ ଶହ ସାଧକ ଅଂଶଗ୍ରହଣ କରିଥିଲେ । ଦିନ ବେଳା ସ୍ଥାନୀୟ ସିଭିକ୍ ସେଣ୍ଟର୍, ଜର୍ମାନ୍ କ୍ଲବ୍, ଶ୍ରୀ ଶ୍ରୀ ସ୍ପେସ୍, ଜଗଦା ସ୍ଥିତ ବାଟ ମଙ୍ଗଳା ମନ୍ଦିର, ତଥା ଫର୍ଟିଲାଇଜର ଶ୍ରୀ ଶ୍ରୀ ରବିଶଙ୍କର ବିଦ୍ୟା ମନ୍ଦିର ନିକଟରେ ସର୍ବତ ବିତରଣ କରାଯାଇଥିଲା । ଅପରାହ୍ନରେ ଛେଣ୍ଡର ପ୍ଲୁଟୋନ ମଲ୍ ନିକଟରେ ପ୍ରସ୍ତାବିତ ଧ୍ୟାନ ମନ୍ଦିର ପରିସରରେ ଗୁରୁ ପୂଜା ଅନୁଷ୍ଠିତ ହୋଇଥିଲା । ସନ୍ଧ୍ୟାରେ ସ୍ଥାନୀୟ ସିଭିକ୍ ସେଣ୍ଟର୍ ଠାରେ ଏକ ବର୍ଣ୍ଣାଢ୍ୟ ସାଂସ୍କୃତିକ ସନ୍ଧ୍ୟାରେ ଆର୍ଟ ଅଫ୍ ଲିଭିଂ ପରିବାର ତଥା ଶ୍ରୀ ଶ୍ରୀ ରବିଶଙ୍କର ଇସ୍ପାତ ବିଦ୍ୟା ମନ୍ଦିର ସମୂହର ଛାତ୍ରଛାତ୍ରୀ ତଥା ଅଭିଭାବକ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ । ସନ୍ଧ୍ୟା ସାଂସ୍କୁତିକ ଉତ୍ସବରେ ରଘୁନାଥପାଲି ବିଧାୟକ ଦୁର୍ଗାଚରଣ ତନ୍ତୀ ମୁଖ୍ୟଅତିଥି ଏବଂ ଦୀପିକା ମହିଳା ସଂହତିର ଅଧ୍ୟକ୍ଷା ନମ୍ରତା ବର୍ମା ଓ ଉପାଧ୍ୟକ୍ଷା ରୀତାରାଣୀ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ । ମୁଖ୍ୟଅତିଥି ଓ ସମ୍ମାନିତ ଅତିଥି ଗଣଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ୱଳନରେ ଉତ୍ସବ ଉଦଘାଟିତ ହୋଇଥିଲା । ଶ୍ରୀ ଶ୍ରୀ ରବିଶଙ୍କର ବିଦ୍ୟା ମନ୍ଦିର ସେକ୍ଟର ୧, ସେକ୍ଟର ୧୯ ଓ ସେକ୍ଟର ୨୦ର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ବୃନ୍ଦନୃତ୍ୟ ପରିବେଷଣ ବେଶ୍ ଉଚ୍ଚକୋଟୀର ହୋଇଥିଲା । ମୁଖ୍ୟଅତିଥି ଶ୍ରୀ ତନ୍ତୀ ତାଙ୍କ ଅଭିଭାଷଣରେ କହିଥିଲେ ବିଶ୍ଵ ଶାନ୍ତି ଏବଂ ଆଧ୍ୟାତ୍ମିକତା କ୍ଷେତ୍ରରେ ଶ୍ରୀ ଶ୍ରୀ ରବିଶଙ୍କର ସମଗ୍ର ବିଶ୍ୱର ୧୮୦ରୁ ଉର୍ଦ୍ଧ୍ବ ଦେଶର ଅଗଣିତ ନରନାରୀଙ୍କ ଜୀବନରେ ଯେଉଁ ବିପୁଳ ରୂପାନ୍ତରଣ ଆଣିଛନ୍ତି ତାର ତୁଳନା ନାହିଁ । ଶ୍ରୀ ଶ୍ରୀ ରବିଶଙ୍କ ବିଦ୍ୟା ମନ୍ଦିରରୁ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ସିବିଏସ୍ଇ ଏବଂ ଆଇସିଏସ୍ଇ ପରୀକ୍ଷାରେ ଉତ୍ତୀର୍ଣ୍ଣ ସର୍ବଶ୍ରେଷ୍ଠ କୃତି ଛାତ୍ରଛାତ୍ରୀମାନଙ୍କୁ ମୁଖ୍ୟଅତିଥି ଓ ସମ୍ମାନିତ ଅତିଥି ସମ୍ବର୍ଦ୍ଧିତ ଏବଂ ପୁରସ୍କୃତ କରିଥିଲେ । ଆର୍ଟ ଅଫ୍ ଲିଭିଂ ସାଧକ ଓ ପ୍ରଶିକ୍ଷକ ମାନଙ୍କ ଦ୍ୱାରା ପରିଚାଳିତ ଜନ୍ମୋତ୍ସୋବ ସଂଧ୍ୟାର ଏହି ନୃତ୍ୟ, ସଂଗୀତ, ସାମୁହିକ ଧ୍ୟାନର ଏକ ଅପୂର୍ବ ସମନ୍ଵୟକୁ ଶ୍ରୋତା ମଣ୍ଡଳୀ ମନ୍ତ୍ର ମୁଗ୍ଧ ହୋଇ ଉପଭୋଗ କରୁଥିବା ଦେଖାଯାଇ ଥିଲା । ଶ୍ରୀ ଶ୍ରୀ ରବିଶଙ୍କରଙ୍କ ସହିତ ୧୮୦ଟି ଦେଶରୁ ଅନଲାଇନ ଯୋଗେ ସଂଯୁକ୍ତ ଏକ ପ୍ରତ୍ୟକ୍ଷ ଧ୍ୟାନ ପ୍ରକ୍ରିୟାରେ ଦର୍ଶକମାନେ ଅଂଶଗ୍ରହଣ କରିଥିଲେ । ସନ୍ଧ୍ୟାର ସମସ୍ତ କାର୍ଯ୍ୟକ୍ରମକୁ ଶ୍ରୀ ଶ୍ରୀ ରବିଶଙ୍କର ଇସ୍ପାତ ବିଦ୍ୟାମନ୍ଦିର ସମୂହର ନିର୍ଦ୍ଦେଶକ ଡକ୍ଟର ଗିରିଜା ଶଙ୍କର ଦାସ, ସେକ୍ଟର ୨୦ ଶ୍ରୀ ଶ୍ରୀ ରବିଶଙ୍କର ଇସ୍ପାତ ବିଦ୍ୟା ମନ୍ଦିରର ଅଧ୍ୟକ୍ଷା ଡକ୍ଟର ଖୁସ୍ବୁ ଜ୍ୟୋତି ପରିଚାଳନା କରିଥିଲେ । ଆର୍ଟ ଅଫ୍ ଲିଭିଂର ବରିଷ୍ଠ ପ୍ରଶିକ୍ଷକ ତଥା ଚାଟାର୍ଡ ଏକାଉଣ୍ଟାଣ୍ଟ ଭଗବାନ ଦାସ ଶିବହରେ ତାଙ୍କ ଅଭିଭାଷଣରେ ପରମ ପୂଜ୍ୟ ଶ୍ରୀ ଶ୍ରୀ ରବିଶଙ୍କରଙ୍କ ସହିତ କୋଟି କୋଟି ସାଧକଙ୍କ ଗଭୀର ରୂପାନ୍ତରଣର ଅନୁଭୂତିକୁ ବର୍ଣ୍ଣନା କରିଥିଲେ । ଛୋଟ ଛୋଟ ପିଲାମାନଙ୍କ ଦ୍ଵାରା ଆଖି ବନ୍ଦ ରଖି ଧ୍ୟାନ ମଗ୍ନ ଅବସ୍ଥାରେ ତୃତୀୟ ନେତ୍ର ଦ୍ଵାରା ବାହାରର ଦୃଶ୍ୟକୁ ଦେଖି ପରିବାର ଅଦ୍ଭୁତ ପ୍ରକ୍ରିୟା ଇନ୍ ଟିଉସନ ପ୍ରକ୍ରିୟା(ସମ୍ବୋଧି ପ୍ରକ୍ରିୟା)ର ଏକ ପ୍ରାମାଣିକ ପ୍ରଦର୍ଶନକୁ ଶ୍ରୋତା ଏବଂ ଅତିଥିମାନେ ବିସ୍ମୟ ବିମୁଗ୍ଧ ହୋଇ ଉପଭୋଗ କରୁଥିବା ଦେଖାଯାଇଥିଲା । ୨୦ ବିଦ୍ୟାମନ୍ଦିରର ଶିକ୍ଷୟିତ୍ରୀ ଡକ୍ଟର ପ୍ରତିମା ସାହୁ ମଞ୍ଚ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ସୁଚିନ୍ଦ୍ରମ ସେନଗୁପ୍ତ, ଅବିନାଶ କୁଲକର୍ଣ୍ଣୀ ତଥା ଏସଏସଆରଭିଏମ୍ ପରିଚାଳିତ ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ।