
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ଥାନାର ବପଲମେଣ୍ଡିର-ଏଲ, ଗ୍ରାମପଞ୍ଚାୟତ ଅନ୍ତର୍ଗତ ଅଡିମାରୀ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଥିବା ଦେଖିବାକୁ ମିଳିଛି । ସୂଚନାରୁ ଜଣାପଡିଛି ଯେ, ଚଳିତ ମାସ ୯ ତାରିଖ ଦିନ ସୁଧୀର ପ୍ରଧାନ(୫୮)ଙ୍କୁ ନିଜ ଭାଇ ଶ୍ରୀମୁଖୀ ପ୍ରଧାନ(୩୫)ଏବଂ ପୁତୁରା ନରେଶ ପ୍ରଧାନ(୩୦) ମଦ୍ୟପାନ କରି ଏକ ଆଜବେଷ୍ଟକୁ କେନ୍ଦ୍ର କରି ପାରିବାରିକ କଲହରୁ ଏକ କାଠରେ ଆକ୍ରମଣ କରିଥିଲେ, ଫଳରେ ସୁଧୀର ଗୁରୁତର ଆହତ ହୋଇଥିଲେ । ସୁଧୀରଙ୍କ ସ୍ତ୍ରୀ ତାଙ୍କ ସ୍ୱାମୀ ସୁଧୀରକୁ ଟିକାବାଲି ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣି ଚିକିତ୍ସା କରାଇ ଘରକୁ ଫେରାଇ ନେଇଥିଲେ । ପୁଣି ୧୩ ତାରିଖ ଦିନ ସେ ଗୁରୁତର ହେବାରୁ ଖଜୁରୀପଡା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ଭର୍ତ୍ତି କରିଥିଲେ । ସେଠାରେ ସୁଧୀରଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଅତି ଗୁରୁତର ହେବାରୁ ଡାକ୍ତର ତାଙ୍କୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଇଥିଲେ । ସୁଧୀରଙ୍କ ସ୍ତ୍ରୀ କିଛି ଟଙ୍କା ପଇସା ଯୋଗାଡ଼ କରିବା ଉଦେଶ୍ୟରେ ନିଜ ଗ୍ରାମ ବପଲମେଣ୍ଡି-ଏଲ ର ଅଡିମାରୀ ଦେଇ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ନେଇଯାଉଥିବା ସମୟରେ ବାଉସୁଣୀ ନାଳ ନିକଟରେ ତାଙ୍କର ମୃତ୍ୟୁ ହୋଇଥିଲା । ଏନେଇ ମୃତ ସୁଧୀର ସ୍ତ୍ରୀ ଦୁଲାନା ପ୍ରଧାନ ଟିକାବାଲି ଥାନାରେ ତାଙ୍କ ସ୍ୱାମୀକୁ ଆକ୍ରମଣ ବିଷୟ ଲିଖିତ ଅଭିଯୋଗ କରିଥିଲେ । ଟିକାବାଲି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ, ଏକ ମାମଲା ୧୦୪/୨୬ରେ ରୁଜୁ କରି ମୃତଦେହକୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ । ଏଥି ସହ ମାମଲାର ଅଧିକ ତଦନ୍ତ ଚାଲିଥିବା ବିଷୟ ଥାନା ଅଧିକାରୀ ସମିର କୁମାର ବେହେରା ସୂଚନା ଦେଇଛନ୍ତି ।