pakka

ଡକାୟତି ଘଟଣା : ଜଣକୁ ଗିରଫ କଲା ମ.ରାମପୁର ପୁଲିସ୍

bbehera
  • ସମସ୍ତଙ୍କୁ ଗିରଫ କରିବୁ : ଏସଡିପିଓ
  • ଗ୍ୟାଙ୍ଗରୁ ମାତ୍ର ଜଣେ, ବାକି ଅଭିଯୁକ୍ତଙ୍କୁ କେବେ ?

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ଥାନା ଅଞ୍ଚଳରେ ଡକାୟତ ଗ୍ୟାଙ୍ଗ ଗତ କିଛିଦିନ ହେଲା ସଂପୂର୍ଣ୍ଣ ଭାବେ ସକ୍ରିୟ ଅଛନ୍ତି । ଜାତୀୟ ରାଜପଥ ଉପରେ ଦିନ ଦ୍ୱିପହରେ ୪୯ ହଜାର ଲୁଟ୍‌ର ମାତ୍ର ତିନି ଦିନ ପରେ ମ.ରାମପୁରରୁ ରିଷିଡା ରାସ୍ତାରେ ସେଇ ଦିନ ବେଳେ ୬ ଲକ୍ଷ ତିରିଶ ହଜାର ଲୁଟ୍ ଏବଂ ତାର ଦିନ ପରେ ମୋହନଗିରି ଦେଶୀ ମଦ ଭାଟିରୁ ଲୁଟ୍, ପୁଣି ରାମୁଡ଼ ପାଖରେ ରାତିରେ ସିରିଜ୍ ଲୁଟ୍ ଓ ସେଇ ସମାନ ରାତିରେ ନର୍ଲା ଥାନା ଅଞ୍ଚଳରୁ ମଧ୍ୟ ଦେଶୀ ମଦ ଭାଟିରେ ଲୁଟ୍ ହୋଇଥିଲା । ଏଇ ସମସ୍ତ ଡ଼କାୟତି ଘଟଣା ପୁଲିସ୍ ପାଇଁ ବଡ ଚ୍ୟାଲେଞ୍ଜ ସୃଷ୍ଟି କରୁଥିଲା । ତେବେ ପୁଲିସ୍‌ର ତନାଘନା ପରେ ଗତକାଲି ରାତିରେ କେସିଙ୍ଗା ଏସଡିପିଓ ଅଭିନବ ଶୋଙ୍କରଙ୍କ ନେତୃତ୍ଵରେ ଏକ ଟିମ୍ କୌଣସି ସୂତ୍ରରୁ ଖବର ପାଇ ବାଲିଗୁଡା ଥାନା ଅନାଗୁଲ୍ ଗ୍ରାମରୁ ସୁନୀଲ ନାଗ ଔରଫ ଲାଲା (ବଲାଙ୍ଗିର ଜିଲ୍ଲାର ସଇଁତଲା ଥାନା ବିରାଟକାନି ଗ୍ରାମ)ଙ୍କୁ ଗିରଫ କରିଥିବା ଆଜି ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଏସଡିପିଓ । ଅଭିଯୁକ୍ତ ପାଖରୁ ନଗଦ ୨୪,୭୧୦ଟଙ୍କା, ଗୋଟେ ମଟର ସାଇକେଲ୍‌ ଗାଡି ନମ୍ୱର (ଓଡ଼ି ୦୮ଏମ୨୯୮୦), ଦୁଇଟି ଛୁରୀ ଜବତ ହୋଇଛି । ଅଞ୍ଚଳରେ ହେଉଥିବା ଡ଼କାୟତିକୁ ଦୃଷ୍ଟିରେ ରଖି ପୁଲିସ୍ ପେଟ୍ରୋଲିଙ୍ଗକୁ ତ୍ୱରାନ୍ୱିତ କରାଯିବ ବୋଲି ପୁଲିସ୍ ସୂଚନା ପ୍ରଦାନ କରିଛି । ତେବେ ଏହି ସବୁ ଘଟଣାରେ ସଂପୃକ୍ତ ଥିବା ଅନ୍ୟ ଅଭିଯୁକ୍ତଙ୍କୁ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି ପୁଲିସ୍ ସୂଚନା ପ୍ରଦାନ କରିଥିବା ବେଳେ କେତେ ଶୀଘ୍ର ଏଇ ଗ୍ୟାଙ୍ଗର ଅନ୍ୟ ସମସ୍ତେ ଗିରଫ କରାଯିବ ତାହା ଦେଖିବାକୁ ବାକି ରହିଲା । ଏଇ ସମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ମ.ରାମପୁର ଥାନା ଅଧିକାରୀ ସାଚ୍ଚିନ୍ଦ୍ର ପ୍ରଧାନ, ଏସଆଇ ଜୟଦେବ ତାରିଣୀ, ସିରାଜ୍ କୁମାର ପାଢ଼ୀ, ସୁନୀତା ସେଠୀ ଓ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

three × one =