pakka

ପାଟଣାଗଡ଼ ଅମୃତ କଳସ ଅଳଙ୍କାର ଦୋକାନରୁ ସ୍ପଷ୍ଟ ଦିବାଲୋକରେ ଡକାୟତି ଅଭିଯୋଗ : ଦେଢ କେଜି ସୁନା ଓ ୬୦ ହଜାର ଟଙ୍କା ଲୁଟି ନେଇ ଫେରାର ମାରିଲେ ଦୁର୍ବୃତ୍ତ

bbehera

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ ସହର ମଝିରେ ଦିନ ଦ୍ୱିପ୍ରହରରେ ତଥା ଥାନାଠାରୁ ମାତ୍ର ୨ଶହ ମିଟର ଦୂରରେ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ଡକାୟତ କରି ଲୁଟି ନେଲେ ଦେଢ କେଜି ସୁନା ଏବଂ ୬୦ ହଜାର ଟଙ୍କା । ସୂଚନା ଅନୁସାରେ ଆଜି ଅପରାହ୍ନ ୪ଟା ସମୟରେ ୬ ଜଣ ଡକାୟତ ଅମୃତ କଳସ ସୁନା ଦୋକାନରେ ସୁନା ଓ ଟଙ୍କା ଲୁଟି ନେଇ ଫେରାର ମାରିଛନ୍ତି । ସୂଚନା ଅନୁସାରେ ଆଜି ଅମୃତ କଲସ ଦୋକାନକୁ ଅପରାହ୍ନ ୪ଟା ସମୟରେ ଗ୍ରାହକ ସାଜି ଦୋକାନର ଦୁଇ ଗେଟ ମଧ୍ୟରେ ୩ ଜଣ ୩ଜଣ ହୋଇ ଦୋକାନକୁ ପଶିଥିଲେ । ସମସ୍ତ ୬ ଜଣ ଡକାୟତଙ୍କ ହାତରେ ବନ୍ଧୁକ ଧରିଥିବା ବେଳେ ଗନ ପଏଣ୍ଟରେ ମାଲିକ ମୁକେଶ ଜୈନକୁ ରଖି ଦୋକାନରୁ ସବୁ ଅଳଙ୍କାର ଖାଲି କରି ଦେଇଛନ୍ତି । ମାଲିକଙ୍କ ମୁଣ୍ଡରେ ବନ୍ଧୁକ ଦ୍ୱାରା ମାଡ ମାରି ଆହତ କରି ସୁନା ଅଳଙ୍କାର ଧରି ବାଇକରେ ଫେରାର ହୋଇଯାଇଥିଲେ । ଦୋକାନର କର୍ମଚାରୀଙ୍କ କହିବା ଅନୁଯାୟୀ ୬ ଜଣ ଡକାୟତ ହିନ୍ଦି ଭାଷାରେ କଥା ବାର୍ତ୍ତା ହୋଇଥିଲେ । ଡକାୟତ ମାନେ ଉକ୍ତ କର୍ମଚାରୀ ଜଣଙ୍କୁ ନିଜ ପାଖକୁ ଡାକୁଥିବା ବେଳେ ଭୟରେ ପାଖରେ ଥିବା ଅନ୍ୟ ଦୋକାନ ଭିତରକୁ ପଶିଯାଇଥିଲେ । ଦୋକାନ ସମ୍ଭୁଖରେ ଟୋପି, ଜୋତା ଏବଂ ମାକ୍ସ ପଡିଥିବା ଦେଖିବାକୁ ମିଳିଥିଲା । ଏଭଳି ଘଟଣା ପରେ ସହରରେ ଏକ ଭିନ୍ନ ପ୍ରକାର ଆତଙ୍କ ଖେଳି ଯାଇଥିବା ବେଳେ ବାରମ୍ବାର ପାଟଣାଗଡ ଉପଖଣ୍ଡରେ ଏଭଳି ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଉପଖଣ୍ଡ ପୋଲିସ ମୁଖିଆଙ୍କ ଢିଲା ବ୍ୟବସ୍ଥାକୁ ସମସ୍ତେ ଦୋଷ ଦେଇଛନ୍ତି । ପୋଲିସ ଘଟଣାସ୍ଥଳକୁ ପହଞ୍ଚି ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.

20 − fifteen =