jayashree

କେସିଙ୍ଗା ଡକାୟତି ଘଟଣାର ପର୍ଦ୍ଦାଫାଶ

କେସିଙ୍ଗା, (ପ୍ରୀତେଶ ପଟେଲ) : କେସିଙ୍ଗା ସହରରେ ଘଟିଥିବା ବଡ଼ ଧରଣର ଡକାୟତି ଘଟଣାର ପ୍ରାୟ ମାସେ ପରେ ପର୍ଦ୍ଦାଫାଶ କରିଛି କେସିଙ୍ଗା ପୋଲିସ। ଡକାୟତି ଘଟଣାରେ ସମ୍ପୃକ୍ତ ୬ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ବିପୁଳ ପରିମାଣର ସୁନା, ରୂପା ଓ ନଗଦ ଟଙ୍କା ଜବତ କରାଯାଇଛି। ଏହି ସଫଳତା ପରେ କେସିଙ୍ଗାବାସୀଙ୍କ ମଧ୍ୟରେ କିଛିଟା ଆଶ୍ୱସ୍ତି ଦେଖାଦେଇଛି। ଜୁଲାଇ ୨୦ ତାରିଖ କେସିଙ୍ଗା ୱାର୍ଡ ନମ୍ବର ୩ର ବ୍ୟବସାୟୀ ପୁନମ ଅଗ୍ରୱାଲ ପରିବାର ସହ ଏକ ପାରିବାରିକ କାର୍ଯ୍ୟକ୍ରମ ପାଇଁ ସହର ବାହାରକୁ ଯାଇଥିଲେ। ଏହାର ସୁଯୋଗ ନେଇ ତାଙ୍କ ଘରେ ହୋଇଥିଲା ବଡ଼ ଧରଣର ଡକାୟତି। ଘଟଣା ପରେ ଡକାୟତମାନେ ଫେରାର ହୋଇଯାଇଥିବା ବେଳେ, ତଦନ୍ତ ଆରମ୍ଭ କରିଥିଲା କେସିଙ୍ଗା ପୋଲିସ। ଦୀର୍ଘ ତଦନ୍ତ ପରେ ଶେଷରେ ଡକାୟତି ଘଟଣାରେ ସମ୍ପୃକ୍ତ ୬ ଜଣଙ୍କୁ ଗିରଫ କରିଛି ପୋଲିସ। ଗିରଫ ଅଭିଯୁକ୍ତମାନେ ହେଲେ କେସିଙ୍ଗା ୱାର୍ଡ ନମ୍ବର ୩ର ନରେଶ ତାଣ୍ଡି, ରାୟଗଡ଼ା ଜିଲ୍ଲା ଆରକେ ନଗରର ରବି ଶଙ୍କର ମହାନନ୍ଦିଆ, ରାହୁଲ ସାମଲ, ପ୍ରମି ଶ୍ରୀକାନ୍ତ, ତେଜପ ଓରଫ ଅଜିତ ନାଏକ ଏବଂ କୋଟାପେଟା ଦୀପସାହି ଅଞ୍ଚଳର ହୁଇକା ଦୂତିଆ। ଅଭିଯୁକ୍ତମାନଙ୍କ ଠାରୁ ୭୨ ଗ୍ରାମ ସୁନା, ୧ କିଲୋ ୧୩୮ ଗ୍ରାମ ରୂପା ଏବଂ ୨ ଲକ୍ଷ ୭୦ ହଜାର ଟଙ୍କା ନଗଦ ଜବତ କରିଛି ପୋଲିସ। ମଙ୍ଗଳବାର କେସିଙ୍ଗା ଥାନା ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କଳାହାଣ୍ଡି ଏସ୍‌ପି ନାଗରାଜ ଦେବରକୋଣ୍ଡା ଏହି ସୂଚନା ଦେଇଛନ୍ତି। ଗତ ଦୁଇ ମାସ ମଧ୍ୟରେ କେସିଙ୍ଗା ସହରରେ ଚାରିଟି ବଡ଼ ଧରଣର ଚୋରି ଓ ଡକାୟତି ଘଟଣା ସହରବାସୀଙ୍କ ଚିନ୍ତା ବଢ଼ାଇଥିଲା। ତେବେ ଏହି ଡକାୟତି ଘଟଣାର ପର୍ଦ୍ଦାଫାଶ ପୋଲିସ ପାଇଁ ବଡ଼ ସଫଳତା ବୋଲି କୁହାଯାଉଛି। ଡକାୟତି ଘଟଣାର ତଦନ୍ତରେ ସଫଳତା ପାଇଁ କେସିଙ୍ଗା ଏସ୍‌ଡିପିଓ ସନ୍ଦୀପ ମାଝୀ, ଥାନା ଅଧିକାରୀ ଜିତେନ୍ଦ୍ର ବିଶ୍ୱାଳଙ୍କ ସମେତ ସମଗ୍ର କେସିଙ୍ଗା ପୋଲିସ ଟିମ୍‌କୁ ଏସ୍‌ପି ଧନ୍ୟବାଦ ଦେବା ସହ ସାବାସୀ ଦେଇଛନ୍ତି। ଏହି ଗିରଫଦାରୀ ପରେ କେସିଙ୍ଗା ସହରରେ ବଢ଼ିଥିବା ଚୋରି ଓ ଡକାୟତିକୁ ନେଇ ଚିନ୍ତିତ ସହରବାସୀଙ୍କୁ କିଛିଟା ଆଶ୍ୱସ୍ତି ମିଳିଛି। ତେବେ ଗିରଫ ଡକାୟତ ଦଳର ଅନ୍ୟ କୌଣସି ଅପରାଧରେ ସମ୍ପୃକ୍ତି ରହିଛି କି ନାହିଁ, ସେନେଇ ପୋଲିସର ତଦନ୍ତ ଜାରି ରହିଛି।

Leave A Reply

Your email address will not be published.