ସୋନପୁର ରୋଡରେ ଡକାୟତି : ୪ ଗିରଫ, ୩ ଫେରାର, ୫ ବାଇକ ଜବତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସୋନପୁର ୫୭ ନଂ ଜାତୀୟ ରାଜପଥରେ କରୁଥିଲେ ଡକାୟତି । ଲୋକଙ୍କ ସାମଗ୍ରୀ ସହିତ ବାଇକ ଲୁଟି ନେଇ ବିକି ଦେଉଥିଲେ । ପୁଇଁନ୍ତଳା ପୁଲିସ ଏଭଳି ଏକ ର‍୍ୟାକେଟର ପର୍ଦ୍ଦାଫାସ କରିବା ସହ ଉକ୍ତ ଘଟଣାରେ ୩ ଜଣ ଡକାୟତ ଓ ଜଣେ ଡକାୟତି ସାମଗ୍ରି କିଣୁଥିବା ବ୍ୟକ୍ତିଙ୍କୁ ଗିରଫ କରିଛି । ତେବେ ଏହି ର‍୍ୟାକେଟର ମାଷ୍ଟରମାଇଣ୍ଡ ସମେତ ୩ ଜଣ ଫେରାର ଥିବା ପୁଲିସ ପ୍ରକାଶ କରିଛି । ଗତ ଡିସେମ୍ବର ମାସରେ ସୋନପୁର ଜିଲ୍ଲାର ରାମ ମେହେର ସୋନପୁରରୁ ଛତାପିପଲକୁ ସାଢି ବିକ୍ରି କରିବା ପାଇଁ ନିଜ ବାଇକରେ ଯାଉଥିବା ବେଳେ ୩ଜଣ ଯୁବକ ମାଡି ବସି ବାଇକ ଓ ସାଢି ଡକାୟତି କରି ଫେରାର ମାରିଥିଲେ । ଏହି ଘଟଣାର ତଦନ୍ତ କରୁ କରୁ ପୁଲିସ ଉକ୍ତ ର‍୍ୟାକେଟକୁ ଠାବ କରିଥିଲା । ଏହି ଘଟଣାରେ ପୁଇଁନ୍ତଳା ଥାନା ଖରଜୁରା ଗ୍ରାମର ଦୀପକ ଭୋଇ, ଡୁମ୍ବେରବାହାଲ ଗ୍ରାମର ବାଦଲ ନାଏକ ଓ ରାଜା ଡାଙ୍ଗ ସମେତ ଡକାୟତି ସାମଗ୍ରି କ୍ରେତା ଚନ୍ଦରପୁର ଗ୍ରାମର ଆକାଶ ବାଙ୍କକୁ ଗିରଫ କରିଛି । ସେମାନଙ୍କ ପାଖରୁ କିଛି ସାଢି ସହିତ ୫ଟି ବାଇକ ଜବତ କରିଛି । ତେବେ ଏହି ଘଟଣାକୁ ସମ୍ପୂର୍ଣ୍ଣ ପର୍ଦ୍ଦାଫାସ କରିବା ପାଇଁ ଅଧିକ ତଦନ୍ତ ଜାରି ରଖିଥିବା ପୁଲିସ ପ୍ରକାଶ କରିଛି ।

Leave A Reply

Your email address will not be published.