pakka

ହୋଲିରେ ଅଘଟଣ : ଡଙ୍ଗରପଡ଼ା ଗ୍ରାମରେ ବିଷାକ୍ତ ସାପ କାମୁଡ଼ାରେ ଝିଅ ମୃତ, ମା’ ଗୁରୁତର, ବାପା ଦାଦନ

bbehera

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲାରେ ସମସ୍ତେ ହୋଲିରେ ମସ୍‌ଗୁଲ ଥିବା ବେଳେ ମୁରିବାହାଲ ବ୍ଲକ ହଳଦୀ ପଞ୍ଚାୟତ ଡଙ୍ଗରପଡ଼ା ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଏକ ବିଷାକ୍ତ କଲେର୍‌ ସାପ କାମୁଡି ଦେବାରୁ ଜଣେ ୪ବର୍ଷର ଛୋଟ ଝିଅର ମୃତ୍ୟୁ ଘଟିଥିବା ବେଳେ ତାଙ୍କ ମା’ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଗ୍ରାମର ପ୍ରସନ୍ନ ବେନିଁଆ (୩୫)ଙ୍କ ପତ୍ନୀ ଚାନ୍ଦିନୀ ବେନିଁଆ (୩୦) ନିଜ ଦୁଇ ପୁଅ ଝିଅଙ୍କ ମଧ୍ୟରୁ ସାନ ଝିଅ କାବ୍ୟା ବେନିଁଆ (୪)ଙ୍କ ସହ ସୋମବାର ରାତିରେ ଘରେ ତଳେ ଶୋଇଥିଲେ । ରାତିରେ ଉଭୟ ମା, ଝିଅଙ୍କୁ ବିଷାକ୍ତ ସାପଟି କାମୁଡ଼ି ଦେଇଥିଲା । ଝିଅକୁ କେତେବେଳୁ ସାପଟି କାମୁଡ଼ି ଦେଇଥିବା ବେଳେ ମା’କୁ ଯେତେବେଳେ ସାପଟି କାମୁଡି ଦେଇଥିଲା ସେ ଜାଣି ପାରିଥିଲେ । ସେ ସାପକୁ ଦେଖିପାରିବା ସହ ତାଙ୍କୁ ସାପ କାମୁଡ଼ି ଦେଇଥିବା ପ୍ରକାଶ କରିଥିଲେ । ଏତିକି ବେଳେ ଝିଅ କାବ୍ୟା ବାନ୍ତି କରିଥିବାରୁ ତାଙ୍କୁ ମଧ୍ୟ ସାପ କାମୁଡ଼ି ଦେଇଥିବା ଜଣାପଡିଥିଲା । ତୁରନ୍ତ ଉଭୟ ମା’ ଝିଅଙ୍କୁ ଟିଟିଲାଗଡ ସବ୍‌ଡିବିଜ୍‌ନାଲ୍‌ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା । ସେଠାରେ ଅତ୍ୟନ୍ତ ଗୁରୁତର ଝିଅ କାବ୍ୟାଙ୍କୁ ଡ଼ାକ୍ତର ମୃତ ଘୋଷଣା କରିଥିଲେ । ବାପା ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଇଥିବାରୁ ଝିଅର ମୃତ୍ୟୁ ପରେ ଗୁରୁତର ମାଙ୍କୁ ମଧ୍ୟ ଅଧିକ ଚିକିତ୍ସା କରି ଡ଼ାକ୍ତର ତାଙ୍କୁ ହସ୍‌ପିଟାଲ୍‌ରୁ ଛାଡ଼ି ଦେଇଥିବା ଜଣାପଡିଛି । ଖବର ପାଇ ମୁରିବାହାଲ ଥାନା ପୁଲିସ ଟିଟିଲାଗଡ ହସ୍‌ପିଟାଲ୍‌ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ବେଳେ ଏ ସମ୍ପର୍କରେ ଥାନାରେ ଏକ ଅପମୃତ୍ୟୁ କେଶ୍‌ ନଂ. ୦୭/୨୦୨୪ ରୁଜ୍ଜୁ କରାଯାଇଥିବା ଭାରପ୍ରାପ୍ତ ଥାନା ଓଆଇସି ଦନାର୍ଦମ ଓରାମ ପ୍ରକାଶ କରିଛନ୍ତି । ଦାଦନ ଖଟିବାକୁ ବାହାରକୁ ଯାଇଥିବା ବାପା ଗାଁକୁ ପହଞ୍ଚିବା ପରେ ଅତ୍ୟନ୍ତ ଶୋକାକୁଳ ପରିବେଶରେ ମୃତ ଝିଅ କାବ୍ୟାଙ୍କ ଶବ ସତ୍କାର ପରିବାର ଓ ଜ୍ଞାତିକୁଟୁମ୍ବଙ୍କ ଉପସ୍ଥିତିରେ କରାଯାଇଥିଲା । ଏ ସମ୍ପର୍କରେ ଆର୍‌ଆଇଙ୍କୁ ପଠାଇ ଅଧିକ ତଦନ୍ତ ପରେ ପୀଡିତ ପରିବାରଙ୍କୁ ସରକାରଙ୍କ ଘୋଷିତ ସମସ୍ତ ପ୍ରକାର ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି ମୁରିବାହାଲ ତହସିଲଦାର ଜଗଦୀଶ କାରତ୍ତାମି ପ୍ରକାଶ କରିଛନ୍ତି । ହୋଲିର ଏହି ଅଘଟଣରେ ସମଗ୍ର ଗାଁ ସ୍ତବ୍‌ଧ ହୋଇଯାଇଥିବା ବେଳେ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

jay balangir
Leave A Reply

Your email address will not be published.

four × 5 =