jayashree

ଗଞ୍ଜାମ ସମେତ ୬ଟି ଜିଲ୍ଲାର “ଅର୍ଣ୍ଣବ” କ୍ଷୟକ୍ଷତି : ପୁନରୁଦ୍ଧାର ପାଇଁ ୪୮୨.୪୨ କୋଟି ଟଙ୍କା ମଞ୍ଜୁର

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବାତ୍ୟା “ଅର୍ଣ୍ଣବ” ଏବଂ ପରବର୍ତ୍ତୀ ପ୍ରବଳ ବର୍ଷା ଓ ବନ୍ୟା ଯୋଗୁଁ କ୍ଷତିଗ୍ରସ୍ତ ହୋଇଥିବା ଜିଲ୍ଲାଗୁଡ଼ିକର ତ୍ୱରିତ ପୁନରୁଦ୍ଧାର ପାଇଁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଅର୍ଥ ମଞ୍ଜୁର କରାଯାଇଛି । ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସ୍‌ଡିଆର୍‌ଏଫ୍‌) ପାଣ୍ଠିରୁ ବିଭିନ୍ନ କ୍ଷତିଗ୍ରସ୍ତ ପ୍ରକଳ୍ପର ମରାମତି ଏବଂ ପୁନଃନିର୍ମାଣ ନିମନ୍ତେ ମୋଟ୍ ୪୮୨ କୋଟି ୪୨ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ଏହି ପ୍ରଳୟଙ୍କାରୀ ବାତ୍ୟା ଓ ବନ୍ୟା ଯୋଗୁଁ ରାଜ୍ୟର ମୋଟ ୬ଟି ଜିଲ୍ଲା ବିଶେଷ ଭାବେ ପ୍ରଭାବିତ ହୋଇଛି । ସେଥିମଧ୍ୟରୁ ଗଞ୍ଜାମ ଜିଲ୍ଲା ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବା ବିଭିନ୍ନ ପ୍ରକଳ୍ପ ପାଇଁ ସର୍ବାଧିକ ୩୦୬ କୋଟି ୫୪ ଲକ୍ଷ ଟଙ୍କା, ଗଜପତି ଜିଲ୍ଲାରେ ୧୦୯ କୋଟି ୯୭ ଲକ୍ଷ, କନ୍ଧମାଳରେ ୪୨ କୋଟି ୫୭ ଲକ୍ଷ, ନୂଆପଡ଼ାରେ ୧୫ କୋଟି ୮ ଲକ୍ଷ, ନବରଙ୍ଗପୁରରେ ୭ କୋଟି ୭୮ ଲକ୍ଷ ଏବଂ ରାୟଗଡ଼ାରେ ୯୭ ଲକ୍ଷ ୬୦ ହଜାର ଟଙ୍କାର କ୍ଷୟକ୍ଷତି ପାଇଁ ଅର୍ଥ ଅନୁମୋଦନ କରାଯାଇଛି । ପ୍ରାକୃତିକ ଦୁର୍ବିପାକ ଯୋଗୁଁ ପ୍ରଭାବିତ ଅଞ୍ଚଳଗୁଡ଼ିକରେ ବ୍ୟାପକ କ୍ଷତି ଘଟିଛି । ବିଶେଷ କରି ବିଦ୍ୟାଳୟ କୋଠା, କମ୍ୟୁନିଟି ହଲ୍‌, ପଞ୍ଚାୟତ ଘର, ଅଙ୍ଗନବାଡ଼ି କେନ୍ଦ୍ର, ଗ୍ରାମ ପଞ୍ଚାୟତ ଓ ପଞ୍ଚାୟତ ସମିତି ରାସ୍ତା, ପୋଲ, କଲଭର୍ଟ, ସ୍ୱାସ୍ଥ୍ୟ ଉପକେନ୍ଦ୍ର, ପାନୀୟ ଜଳ ପ୍ରକଳ୍ପ ଏବଂ ନଳକୂପ ଆଦି କ୍ଷତିଗ୍ରସ୍ତ ପାଇଁ ଅର୍ଥ ଅନୁମୋଦନ କରାଯାଇଛି । ଏହି ଆର୍ଥିକ ସହାୟତା ଦ୍ୱାରା ପ୍ରଭାବିତ ଜନସାଧାରଣଙ୍କ ମୌଳିକ ସୁବିଧା ଯଥା ପାନୀୟ ଜଳ ଯୋଗାଣ ଏବଂ ଯାତାୟାତ ବ୍ୟବସ୍ଥାକୁ ଯଥାଶୀଘ୍ର ପୂର୍ବବସ୍ଥାକୁ ଅଣାଯାଇପାରିବ ବୋଲି ପ୍ରଶାସନ ପକ୍ଷରୁ ଆଶା ପ୍ରକାଶ କରାଯାଇଛି ।

Leave A Reply

Your email address will not be published.