
- ଚୋରା ବନ୍ଧୁକ କାରବାରରେ ବଡ଼ ଖୁଲାସା।
ଧଉଳି : ବନ୍ଧୁକ କିଣିବାର ଖୁସିରେ ହୋଇଥିଲା ଭୋଜି। ହେଲେ ସେହି ଭୋଜି ଆସର ପାଲଟିଗଲା ମୃତ୍ୟୁର ମଞ୍ଚ। ତପୁ ନାଏକଙ୍କ ହତ୍ୟା ଘଟଣାରେ ଏବେ ପୁଲିସ ହାତରେ ଲାଗିଛି ଆଉ ଏକ ବଡ଼ ସୁରାକ୍। ମୁଖ୍ୟ ଅଭିଯୁକ୍ତ ଚିତ୍ରସେନ ଗଜେନ୍ଦ୍ରଙ୍କ ବଡ଼ଭାଇ ସୋମନାଥ ଗଜେନ୍ଦ୍ରଙ୍କୁ ଗିରଫ କରିଛି ଧଉଳି ଥାନା ପୁଲିସ। ଏହାକୁ ମିଶାଇ ମାମଲାରେ ଗିରଫ ସଂଖ୍ୟା ୯ରେ ପହଞ୍ଚିଛି। ଚୋରା ବନ୍ଧୁକ କାରବାରର ଚେର କେତେ ଦୂର ଲମ୍ବିଛି ? ତପୁଙ୍କ ଗୁଳିମାଡ଼ ପଛରେ ଆଉ କାହାର ହାତ ରହିଛି ? ଏହିସବୁ ପ୍ରଶ୍ନର ଉତ୍ତର ଖୋଜିବାକୁ ପୁଲିସ ଚିତ୍ରସେନ ଓ ଉମେଶଙ୍କୁ ଦୁଇଦିନିଆ ରିମାଣ୍ଡରେ ନେଇଥିଲା। ଜେରା ସମୟରେ ସୋମନାଥଙ୍କ ସମ୍ପୃକ୍ତି ନେଇ ତଥ୍ୟ ମିଳିବା ପରେ ତାଙ୍କୁ ମଧ୍ୟ ଗିରଫ କରାଯାଇଛି। ରିମାଣ୍ଡ ଅବଧି ସରିବା ପରେ ତିନି ଅଭିଯୁକ୍ତଙ୍କୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ପୁଲିସ ତଦନ୍ତରେ ସାମ୍ନାକୁ ଆସିଛି ଏକ ବ୍ୟବସାୟିକ ସାମ୍ରାଜ୍ୟର କାହାଣୀ। ଶିଶୁପାଳଗଡ଼ର ଦୁଇ ଭାଇ ସୋମନାଥ ଓ ଚିତ୍ରସେନ ଦକ୍ଷିଣକାଳୀ ଟ୍ରାନ୍ସପୋର୍ଟ ନାମରେ ଏକ ସଂସ୍ଥା ଚଲାଉଥିଲେ । ବିଏମ୍ସି ଅଞ୍ଚଳରେ ଡ୍ରେନ୍, ସ୍ୱରେଜ୍ ଓ ରାସ୍ତା ନିର୍ମାଣ କାମ ସହ ନିର୍ମାଣ ସାମଗ୍ରୀ ଯୋଗାଣରେ ମଧ୍ୟ ସେମାନଙ୍କ ସଂସ୍ଥା ସମ୍ପୃକ୍ତ ଥିଲା । ହାଇୱା, ଟ୍ରାକ୍ଟର ଓ ଜେସିବି ଭଳି ଗାଡ଼ି ମଧ୍ୟ ସଂସ୍ଥା ଅଧୀନରେ ଚାଲୁଥିଲା। ଏହାସହ ନଦୀରୁ ବେଆଇନ ବାଲି ଚାଲାଣ ହେଉଥିବା ନେଇ ମଧ୍ୟ ତଥ୍ୟ ସାମ୍ନାକୁ ଆସିଛି। ଏହି ସଂସ୍ଥାର ମ୍ୟାନେଜର୍ ଥିଲା ଉମେଶ ପଟ୍ଟନାୟକ। ସଂସ୍ଥାର ଗାଡ଼ିଗୁଡ଼ିକର ପରିଚାଳନା ଦାୟିତ୍ୱ ତା’ ଉପରେ ଥିଲା। ବ୍ୟବସାୟ ବଢ଼ିବା ସହ ଦୁଇ ଭାଇଙ୍କ ଶତ୍ରୁ ମଧ୍ୟ ବଢ଼ିଥିବା କୁହାଯାଉଛି। ଏପରିକି ଏକ ଠିକା କାମ ଚାଲିଥିବା ବେଳେ କିଛି ଦୁର୍ବୃତ୍ତ ବଟି ମାଗିବା ସହ ଚିତ୍ରସେନଙ୍କ ଜେସିବି ପୋଡ଼ି ଦେଇଥିଲେ। ଏହି ଶତ୍ରୁତାରୁ ନିଜକୁ ସୁରକ୍ଷିତ ରଖିବାକୁ ଦୁଇ ଭାଇ ପିସ୍ତଲ କିଣିଥିବା ଜଣାପଡ଼ିଛି। ଆଉ ବନ୍ଧୁକ ହାତକୁ ଆସିବା ପରେ ଏହାକୁ ଦେଖାଇ ବିପକ୍ଷ ଗୋଷ୍ଠୀଙ୍କୁ ଭୟଭୀତ କରାଯାଉଥିବା ନେଇ ପୁଲିସ ସୂଚନା ପାଇଛି। ଏହି ବେଆଇନ ବନ୍ଧୁକ କାରବାର ସମ୍ପର୍କରେ ସୋମନାଥଙ୍କଠାରୁ ପୁଲିସ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିଛି। ସେପଟେ ତପୁ ନାଏକଙ୍କ ମୃତ୍ୟୁ ଘଟଣାକୁ ନେଇ ରହସ୍ୟ ଆହୁରି ଘନେଇବାରେ ଲାଗିଛି। ପୁଲିସର ସୂଚନା ଅନୁସାରେ, ଗୁଳିକାଣ୍ଡ ସମୟରେ ସୋମନାଥ ମଧ୍ୟ ଭୋଜିରେ ଉପସ୍ଥିତ ଥିଲେ। ଏପରିକି ଘଟଣା ପରେ ପୁଲିସକୁ ଭ୍ରମିତ କରିବା ପାଇଁ ଯେଉଁ ଯୋଜନା କରାଯାଇଥିଲା, ସେଥିରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିବା ଅଭିଯୋଗ ହୋଇଛି।