
ବରଗଡ, (ମୁନ୍ନା ସାହୁ) : ଧାନ ମଣ୍ଡିରେ କଟଣିଛଟଣୀ ବନ୍ଦ ସହ ଦଲାଲମୁକ୍ତ ବଜାର ବ୍ୟବସ୍ଥା ଦାବିରେ ଏକାଠି ହେଲେ ଶତାଧିକ ଚାଷୀ । ବରଗଡ଼ ଜିଲ୍ଲା ବରପାଲି ବ୍ଲକ ଅନ୍ତର୍ଗତ ଆଗଲପୁର ଧାନ ମଣ୍ଡିଠାରେ ସଂଯୁକ୍ତ କୃଷକ ସଂଗଠନର ବ୍ଲକ ଶାଖା ପକ୍ଷରୁ ଆୟୋଜିତ ହୋଇଥିଲା ସୋସାଇଟି ସ୍ତରୀୟ କୃଷକ ସଚେତନତା ଶିବିର । ତପନ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଶିବିରରେ ପାଞ୍ଚଟି ପଞ୍ଚାୟତର ୨୨ଟି ଗ୍ରାମର ଶତାଧିକ ଚାଷୀ ସାମିଲ ହୋଇଥିଲେ । ସଭାରେ ଚାଷୀଙ୍କ ବିଭିନ୍ନ ସମସ୍ୟା ଓ ଧାନ କିଣା ପ୍ରକ୍ରିୟାକୁ ନେଇ ଆଲୋଚନା ହୋଇଥିଲା । ପଞ୍ଜିକୃତ ପ୍ରତ୍ୟେକ ଚାଷୀଙ୍କ ସମସ୍ତ ଜମି ପାଇଁ ଏକକାଳୀନ ଟୋକନ ପ୍ରଦାନ, ଧାନରେ କଟଣିଛଟଣୀ ବନ୍ଦ ଏବଂ ମଣ୍ଡିକୁ ଦଲାଲମୁକ୍ତ କରିବାକୁ ଦାବି ଉଠିଥିଲା । ଏଥିସହ ଚଳିତ ବର୍ଷ ଧାନ କିଣା ଯେପରି ସୁରୁଖୁରୁରେ ହୋଇପାରିବ, ସେଥିପାଇଁ ପ୍ରଶାସନ ଆଗୁଆ ପଦକ୍ଷେପ ନେବାକୁ ବକ୍ତାମାନେ ଦାବି କରିଥିଲେ । ଏହା ବ୍ୟତୀତ ସମସ୍ତ ଚାଷୀଙ୍କ ଋଣ ଛାଡ଼, ପ୍ରତ୍ୟେକ ଚାଷଜମିକୁ ଜଳସେଚନ ସୁବିଧା, ବନ୍ଦ ପଡ଼ିଥିବା କୃଷିଭିତ୍ତିକ ଶିଳ୍ପର ପୁନରୁଦ୍ଧାର ଏବଂ ଚାଷୀଙ୍କୁ ମାସିକ ୫ ହଜାର ଟଙ୍କା ପର୍ଯ୍ୟନ୍ତ ଭତ୍ତା ପ୍ରଦାନ ଭଳି ଦାବି ଉପରେ ଗୁରୁତ୍ୱ ଦିଆଯାଇଥିଲା । ଆଗାମୀ ଦିନରେ ସଂଯୁକ୍ତ କୃଷକ ସଂଗଠନ ପକ୍ଷରୁ ହେବାକୁ ଥିବା ବିଶାଳ କୃଷକ ସମାବେଶକୁ ଐତିହାସିକ କରିବା ପାଇଁ ପ୍ରତ୍ୟେକ ଚାଷୀ ସହଯୋଗ କରିବା ସହ ବହୁସଂଖ୍ୟାରେ ଯୋଗଦେବାକୁ ନେତୃବୃନ୍ଦ ଆହ୍ୱାନ ଦେଇଥିଲେ । ଏହି ଶିବିରରେ ଭୁବନେଶ୍ୱର ବଢ଼େଇ, ନୃପରାଜ ବେହେରା, ଦେବବ୍ରତ ଥଇତ, ଗିରିଧାରୀ ନାୟକ, ବିଶ୍ୱନାଥ ନାୟକ, ସଂଗଠନର ଉପଦେଷ୍ଟା ରମେଶ ମହାପାତ୍ର, ବରପାଲି ସଭାପତି କାରଣ ସାହୁ, ଗାଇସିଲେଟର ଅରବିନ୍ଦ ପଣ୍ଡା, ସରୋଜ ସାହୁ, ସୁରେଶ ନିକେଣ୍ଟି, କିଶୋର ସାହୁ ଓ ଟେକରାଜ ପ୍ରଧାନଙ୍କ ସମେତ ବହୁ କୃଷକ ନେତା ଉପସ୍ଥିତ ଥିଲେ ।