
ବରଗଡ଼ ଚିନିକଳର ପୁନରୁଦ୍ଧାର ପାଇଁ ଅମିତ ଶାହଙ୍କ ପ୍ରତିଶ୍ରୁତି : ବାୟୋ-ଇଥାନଲ୍ ପ୍ରକଳ୍ପର ଉଦ୍ଘାଟନ ପାଇଁ ବରଗଡ଼ ଆସିବାକୁ ସାଂସଦ ପ୍ରଦୀପ ପୁରୋହିତଙ୍କ ନିମନ୍ତ୍ରଣ
ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲାରେ ନବନିର୍ମିତ ବିପିସିଏଲ୍ର ଏକୀକୃତ ଜୈବ-ଇଥାନଲ୍ କାରଖାନାର ଉଦ୍ଘାଟନ ପାଇଁ କେନ୍ଦ୍ରୀୟ ଗୃହ ଓ ସମବାୟ ମନ୍ତ୍ରୀ ଅମିତ ଶାହଙ୍କୁ ନିମନ୍ତ୍ରଣ ଜଣାଇବା ସହ ବନ୍ଦ ପଡ଼ିଥିବା ବରଗଡ଼ ସମବାୟ ଚିନିକଳର ପୁନରୁଦ୍ଧାର ପାଇଁ ତାଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ । ଦିଲ୍ଲୀସ୍ଥିତ କର୍ତ୍ତବ୍ୟ ଭବନ-୩ କାର୍ଯ୍ୟାଳୟରେ ଶ୍ରୀ ଶାହଙ୍କୁ ସାକ୍ଷାତ୍ କରି ସାଂସଦ ଦୁଇଟି ପୃଥକ ଚିଠି ମାଧ୍ୟମରେ ଏହି ଦାବି ଉପସ୍ଥାପନ କରିଥିଲେ । ଏହାର ଗୁରୁତ୍ୱ ଉପଲବ୍ଧି କରି ବରଗଡ଼ ଚିନିକଳ ପୁନର୍ବାର ଖୋଲିବା ଦିଗରେ ପଦକ୍ଷେପ ନେବାକୁ ଶ୍ରୀ ଶାହ ପ୍ରତିଶ୍ରୁତି ଦେଇଥିବା ସାଂସଦ ସୂଚନା ଦେଇଛନ୍ତି । ସାଂସଦଙ୍କ ଚିଠି ଅନୁଯାୟୀ, ବିପିସିଏଲ୍ ପକ୍ଷରୁ ପ୍ରାୟ ୧,୭୭୫ କୋଟି ଟଙ୍କା ବ୍ୟୟରେ ବରଗଡ଼ରେ ସ୍ଥାପିତ ପୂର୍ବ ଭାରତର ପ୍ରଥମ ଦ୍ୱିତୀୟ ପିଢ଼ିର ଏକୀକୃତ ଜୈବ-ଇଥାନଲ୍ କାରଖାନା ପ୍ରଧାନମନ୍ତ୍ରୀ ଜୀ-ଭାନ୍ ଯୋଜନା ଅନ୍ତର୍ଗତ ପ୍ରତିଦିନ ୨୦୦ କିଲୋଲିଟର ଇନ୍ଧନ ଉତ୍ପାଦନ କରିବାର କ୍ଷମତା ରଖିଛି । ଧାନନଡ଼ା ଓ ଅନ୍ୟାନ୍ୟ କୃଷି ଅବଶେଷର ଉପଯୋଗ ଦ୍ୱାରା ଚାଷୀଙ୍କ ଆୟ ବୃଦ୍ଧି ସହ ପରିବେଶ ସୁରକ୍ଷା, ନିଯୁକ୍ତି ସୃଷ୍ଟି ଏବଂ ଗ୍ରାମୀଣ ଅର୍ଥନୀତିର ବିକାଶରେ ଏହି ପ୍ରକଳ୍ପ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ । ତେଣୁ ଏହି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଉଦ୍ଘାଟନ ପାଇଁ ଶ୍ରୀ ଶାହ ନିଜେ ବରଗଡ଼ ଆସିବାକୁ ସାଂସଦ ଅନୁରୋଧ କରିଛନ୍ତି । ଏହା ସହିତ ପ୍ରସିଦ୍ଧ ଗନ୍ଧମାର୍ଦ୍ଦନ ପର୍ବତର ଐତିହାସିକ, ଧାର୍ମିକ ଓ ପରିବେଶଗତ ମହତ୍ତ୍ୱ ସମ୍ପର୍କରେ ଶ୍ରୀ ଶାହଙ୍କୁ ଅବଗତ କରାଇବା ସହ ଏହାର ଗୁରୁତ୍ୱକୁ ପ୍ରତ୍ୟକ୍ଷ ଭାବେ ଅନୁଭବ କରିବା ପାଇଁ ଗନ୍ଧମାର୍ଦ୍ଦନ ପର୍ବତ ଓ ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ପରିଦର୍ଶନରେ ଆସିବାକୁ ମଧ୍ୟ ସାଂସଦ ନିମନ୍ତ୍ରଣ ଜଣାଇଥିଲେ । ଏହି ଅବସରରେ ପଶ୍ଚିମ ଓଡ଼ିଶାର ସଂସ୍କୃତି ଓ ସମ୍ବଲପୁରୀ ବୁଣାକାରଙ୍କ କଳାର ପରିଚୟ ବହନ କରୁଥିବା ସମ୍ବଲପୁରୀ ବସ୍ତ୍ରରେ ନିର୍ମିତ ଏକ ଜ୍ୟାକେଟ୍ ଶ୍ରୀ ଶାହଙ୍କୁ ଉପହାର ଦେଇଥିଲେ । ଏହି ସାକ୍ଷାତ୍କାର ସମୟରେ ଓଡ଼ିଶାର ରାଜନୈତିକ ସ୍ଥିତି ସମ୍ପର୍କରେ ମଧ୍ୟ ଉଭୟଙ୍କ ମଧ୍ୟରେ ଦୀର୍ଘ ସମୟ ଆଲୋଚନା ହୋଇଥିଲା । ଅନ୍ୟପକ୍ଷରେ, ବରଗଡ଼ର ତୋରାଠାରେ ୧୦୪ ଏକର ଜମିରେ ଅବସ୍ଥିତ ଐତିହାସିକ ବରଗଡ଼ ସମବାୟ ଚିନିକଳର ପୁନରୁଦ୍ଧାର ପ୍ରସଙ୍ଗକୁ ସାଂସଦ ଗୁରୁତ୍ୱର ସହ ଉଠାଇଛନ୍ତି । ପରିଚାଳନାଗତ ଅବ୍ୟବସ୍ଥା ଓ ଆର୍ଥିକ ସମସ୍ୟା ଯୋଗୁଁ ୨୦୧୭ ଏପ୍ରିଲ୍ ମାସରୁ ଏହି କାରଖାନା ବନ୍ଦ ହୋଇପଡ଼ିଛି । ଏହାର ପୁନରୁଦ୍ଧାର ପାଇଁ ଇଣ୍ଡିଆନ୍ ପୋଟାଶ୍ ଲିମିଟେଡ୍ ୨୦୨୨ ନଭେମ୍ବର ୧୬ ତାରିଖରେ ଆଗ୍ରହ ପ୍ରକାଶ କରିଥିଲେ ମଧ୍ୟ ୨୦୨୩ ଅକ୍ଟୋବର ୧୬ ତାରିଖରେ ଏହି ପ୍ରକ୍ରିୟାକୁ ପରିସମାପ୍ତି ଘୋଷଣା କରାଯାଇଥିଲା । ଫଳରେ ଶତାଧିକ କର୍ମଚାରୀ ଓ ଆଖୁଚାଷୀଙ୍କ ଜୀବିକା ପ୍ରଭାବିତ ହେବା ସହ ଅଞ୍ଚଳରେ ଆଖୁଚାଷ ପ୍ରାୟତଃ ବନ୍ଦ ହୋଇଯାଇଛି।ଏହି ୧୦୪ ଏକର ଜମିରେ ଏକ ଆଧୁନିକ ଓ ସମନ୍ୱିତ ଚିନିକଳ ସ୍ଥାପନ ପାଇଁ ଇଣ୍ଡିଆନ୍ ପୋଟାଶ୍ ଲିମିଟେଡ୍ କିମ୍ବା ଅନ୍ୟ କୌଣସି ସକ୍ଷମ ସମବାୟ ସଂସ୍ଥାକୁ ଦାୟିତ୍ୱ ଦେବା ନିମନ୍ତେ ସମବାୟ ମନ୍ତ୍ରଣାଳୟ ମାଧ୍ୟମରେ ଆବଶ୍ୟକ ପଦକ୍ଷେପ ଗ୍ରହଣ ଓ ନିର୍ଦ୍ଦେଶ ଜାରି କରିବାକୁ ସାଂସଦ ଶ୍ରୀ ପୁରୋହିତ ଅନୁରୋଧ କରିଛନ୍ତି । ବରଗଡ଼ ଜିଲ୍ଲାର କୃଷିଭିତ୍ତିକ ଅର୍ଥନୀତିକୁ ନୂତନ ଦିଗ ଦେବା, ଚାଷୀଙ୍କ ଆୟ ବୃଦ୍ଧି, ଶିଳ୍ପାୟନକୁ ତ୍ୱରାନ୍ୱିତ କରିବା ଏବଂ ଯୁବପିଢ଼ିଙ୍କ ପାଇଁ ରୋଜଗାରର ସୁଯୋଗ ସୃଷ୍ଟି କରିବା ଦିଗରେ ବାୟୋ-ଇଥାନଲ୍ ପ୍ରକଳ୍ପ ଓ ଚିନିକଳର ପୁନରୁଦ୍ଧାର ଅତ୍ୟନ୍ତ ଗୁରୁତ୍ୱ ବୋଲି ସାଂସଦ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି ।