ରେଲୱେ ଜମିରୁ ଜବର ଦଖଲ ଉଚ୍ଛେଦ ନୋଟିସ ପ୍ରସଙ୍ଗ : ଜମିହୀନଙ୍କୁ ଜାଗା ମିଶନରେ ସାମିଲ କରିବା ନେଇ ଜିଲ୍ଲାପାଳଙ୍କୁ ତହସିଲଦାର ଜରିଆରେ ଦାବୀପତ୍ର ପ୍ରଦାନ

କଂଟାବାଂଜି, (ଗୁରୁଦୟାଲ ହଂସ) : କଂଟାବାଂଜିରେ ଥିବା ଜବର ଦଖଲ ଜମିରୁ ବସ୍ତି ବାସିନ୍ଦାଙ୍କୁ ଉଚ୍ଛେଦ ପାଇଁ ସ୍ଥାନୀୟ ରେଳ ପ୍ରଶାସନ ଦ୍ୱାରା ଉଚ୍ଛେଦ ନୋଟିସ ପରେ ଏହାର ପ୍ରତିବାଦ କରି ମଙ୍ଗଲବାର ଦିନ ବସ୍ତି ବାସିନ୍ଦା ତହସିଲଦାରଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଛି । ପ୍ରକାଶ ଥାଉକି, ବଲାଙ୍ଗିର ଜିଲ୍ଲା କଂଟାବାଂଜିରେ ଥିବା ପୂର୍ବତଟ ରେଲୱେ ସମ୍ବଲପୁର ଡିଭିଜନର ଜମିରେ ଶହ ଶହ ଜମିହୀନ ସୁଖବାସୀମାନେ ମାଟି କୁଡିଆ ଘର କରି ବର୍ଷ ବର୍ଷ ଧରି ରହି ଆସୁଛନ୍ତି । ପୂର୍ବରୁ ଥିବା ବିଏନଆର ଓ ଦକ୍ଷିଣ ପୂର୍ବ ରେଳପଥ ସମୟରୁ କଂଟାବାଂଜିରେ ଥିବା ରେଲୱେର ଶହ ଶହ ଏକର ଜମି ଅବବ୍ୟହୃତ ହୋଇପଡିଥିଲା । ଏହାର ସୁଯୋଗ ନେଇ ଗରିବ ଜମିହୀନମାନେ ରେଲୱେର ୱାର୍ଡ ନଂ.୧୫ ଓ ୧୬ ଦୁଇ ଗୋଟି ୱାର୍ଡରେ ରହୁଥିଲେ । ବର୍ତ୍ତମାନ କଂଟାବାଂଜିରେ ଥିବା ପୂର୍ବତଟ ରେଲୱେର ଅବ୍ୟବହୃତ ଜମିରେ ଥିବା ଜବର ଦଖଲ ଶତାଧିକ ବସ୍ତି ବାସିନ୍ଦାଙ୍କୁ ଉଚ୍ଛେଦ ପାଇଁ ନୋଟିସ ଦେଇଛନ୍ତି । ଗତ ଡିସେମ୍ବର ମାସ ୫ ତାରିଖରୁ ବିଭିନ୍ନ ସାହିବସ୍ତିରେ ବସବାସ କରୁଥିବା ଜବରଦଖଲକାରୀଙ୍କୁ ଡିସେମ୍ବର ୨୦, ୨୪ ଓ ୨୮ତାରିଖ ସୁଦ୍ଧା ଉଚ୍ଛେଦ ପାଇଁ ନୋଟିସ ଜାରି କରିଛି । ଏହାର ପ୍ରତିବାଦ କରି ବସ୍ତି ବାସିଦାଙ୍କୁ ଜାଗା ମିଶନରେ ସହରାଂଚଳ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରି ଘର ଯୋଗାଇବା ପରେ ଉଚ୍ଛେଦ ଦାବୀ କରି ସ୍ଥାନୀୟ ତହସିଲଦାର ସମୀର ରଂଜନ ବେହେରାଙ୍କ ଜରିଆରେ ଜିଲ୍ଲାପାଳ ବଲାଙ୍ଗିରଙ୍କୁ ଦାବୀପତ୍ର ଦିଆଯାଇଛି । ଏହାର ନକଲ ସାଂସଦ ଲୋକସଭା ସଂଗୀତା କୁମାରୀ ସିଂଦେଓ, ଡିଆରଏମ ପୂର୍ବତଟ ରେଲୱେ ସମ୍ବଲପୁରଙ୍କୁ ଦିଆଯାଇଛି । ଭାଜପା ଜିଲ୍ଲା ସଭାପତି ଶିବାଜି ମହାନ୍ତି, ବିଧାୟକ ପ୍ରାର୍ଥୀ ଲକ୍ଷ୍ମଣ ବାଗ, ସାଂସଦ ପ୍ରତିନିଧି ବିଦେଶି ବେହେରା, ନଗର ସଭାପତି ବେଦବ୍ୟାସ ନାଗଙ୍କ ନେତୃତ୍ୱରେ ଶତାଧିକ ବସ୍ତି ବାସିନ୍ଦା ଚୈତନ୍ୟ ପ୍ରଧାନ ଛକରୁ ଏକ ଶୋଭାଯାତ୍ରାରେ ବାହାରି ତହସିଲଦାରଙ୍କୁ ଦାବୀପତ୍ର ପ୍ରଦାନ କରିଛନ୍ତି । ରେଲୱେ ଜମି ଉଚ୍ଛେଦ କାହିଁକି କରାଯାଉଛି ବୋଲି ସ୍ଥାନୀୟ ରେଲୱେର ଜଣେ ବରିଷ୍ଠ ଅଧିକାରୀଙ୍କୁ ପଚାରିବାରୁ ସେ କହନ୍ତି, ଦୀର୍ଘ ବର୍ଷ ଧରି ରେଲବାଇ ଜମିକୁ ଜବର ଦଖଲ କରି ଘରଦ୍ୱାର ନିର୍ମାଣ କରି ରହିଆସୁଥିବା ବେଳେ ରେଲୱେ ଜମିରେ ଅନୈତିକ ବ୍ୟବସାୟ ଏବଂ ଅସାମାଜିକ କାର୍ଯ୍ୟ ବୃଦ୍ଧି ପାଇବାରେ ଲାଗିଛି । ବର୍ଷ ବର୍ଷ ଧରି ଏହି ଜମିକୁ ଜବର ଦଖଲ କରି ରହି ଆସୁଥିଲେ ସୁଦ୍ଧା ସେ ସମୟରେ ରେଲୱେର ଉନ୍ନୟନ କାର୍ଯ୍ୟ ହେଉ ନ ଥିଲା କିନ୍ତୁ କଂଟାବାଂଜିରେ ବର୍ତ୍ତମାନ ରେଲୱେ ଜମିରେ ଅନେକ ଉନ୍ନୟନମୂଳକ କାର୍ଯ୍ୟ ହେବାକୁ ଯାଉଛି, ତେଣୁ ରେଲୱେ ଜବର ଦଖଲକାରୀଙ୍କୁ ଉଚ୍ଛେଦ କରିବା ପାଇଁ ବାଧ୍ୟ ହୋଇଛି । ରେଲୱେ ଜମି ଜବର ଦଖଲକାରୀଙ୍କ ଦ୍ୱାରା କବ୍ଚାରେ ଥିବାରୁ ଏହାର କୌଣସି ଉନ୍ନତି ହୋଇପାରିନାହିଁ ।

Leave A Reply

Your email address will not be published.

5 × one =

error: Content is protected !!