jayashree

ଟିଟିଲାଗଡରେ ଡିଜିଟାଲ ଲାଇବ୍ରେରୀ ଏବଂ ଡିଏଭି ମହାବିଦ୍ୟାଳୟରେ ପିଜି ପାଠ୍ୟକ୍ରମ ପାଇଁ ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କୁ ଦାବିପତ୍ର

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ସହରରେ ୧୯୬୮ ମସିହାରେ ସ୍ଥାପିତ ହୋଇଥିଲା ଡିଏଭି ସ୍ଵୟଂଶାସିତ ମହାବିଦ୍ୟାଳୟ । ସ୍ଥାପନର ୫୭ ବର୍ଷ ପୁରିଥିଲେ ହେଁ ଅଦ୍ୟାବିଧି ଏହି ମହାବିଦ୍ୟାଳୟରେ ସମସ୍ତ ବିଭାଗରେ ପିଜି ପାଠ୍ୟକ୍ରମ ଆଜି ଯାଏଁ ଆରମ୍ଭ ହୋଇପାରିନାହିଁ । ବର୍ତ୍ତମାନ କେବଳ ୧୬ଟି ବିଭାଗରୁ ୩ଟି ବିଭାଗରେ ପିଜି ପାଠ୍ୟକ୍ରମ ଆରମ୍ଭ ହୋଇପାରିଛି । ଏହି ମହାବିଦ୍ୟାଳୟରେ ସ୍ଥାନୀୟ ଅଞ୍ଚଳ ତଥା ଆଖପାଖ ସୀମାବର୍ତ୍ତୀ ଜିଲ୍ଲାର ଛାତ୍ର ମଧ୍ୟ ବହୁ ମାତ୍ରାରେ ନିର୍ଭରଶୀଳ । ତେଣୁ ସମସ୍ତ ବିଭାଗରେ ପିଜି ପାଠ୍ୟକ୍ରମ ନଥିବା ଯୋଗୁଁ ସ୍ଥାନୀୟ ଅଞ୍ଚଳର ଛାତ୍ରଛାତ୍ରୀ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଏବଂ ବାଧ୍ୟ ହୋଇ ଉଚ୍ଚ ଶିକ୍ଷା ପାଇଁ ଅନ୍ୟ ସହରକୁ ଯାଇ ଖର୍ଚ୍ଚାନ୍ତ ହେଉଛନ୍ତି । ଅନ୍ୟପକ୍ଷରେ ଟିଟିଲାଗଡ ସମଗ୍ର ଓଡ଼ିଶାର ଏକ ବୃହତ୍ ଉପଖଣ୍ଡ ତଥା ମ୍ୟୁନିସିପାଲିଟୀ କିନ୍ତୁ ଏଯାବତ୍ ସହରରେ ଛାତ୍ରଙ୍କ ପାଇଁ ଉଦ୍ଧିଷ୍ଟ ଏକ ସ୍ୱତନ୍ତ୍ର ଡିଜିଟାଲ ଲାଇବ୍ରେରୀ ସ୍ଥାପନ ହୋଇପାରିନାହିଁ । ତେଣୁ ଟିଟିଲାଗଡର ଛାତ୍ର ବାଧ୍ୟ ହୋଇ ବଡ ସହରକୁ ପରୀକ୍ଷା ପ୍ରସ୍ତୁତି ପାଇଁ ଯାଉଛନ୍ତି । ତେଣୁ ଟିଟିଲାଗଡର ଯୁବକ ଛାତ୍ରଛାତ୍ରୀଙ୍କ ସାମୂହିକ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଟିଟଲାଗଡ ବିକାଶ ସେନା ଅଧ୍ୟକ୍ଷ ଇଂ ଅମ୍ଳାନ ଷଡ଼ଙ୍ଗୀ ଓଡ଼ିଶାର ଉଚ୍ଚଶିକ୍ଷା ତଥା ଯୁବ ବ୍ୟାପାର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କୁ ୨ଟି ଦାବି ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ପ୍ରଥମରେ ଟିଟିଲାଗଡରେ ଏକ ୨୦୦ ବିଦ୍ୟାର୍ଥୀଙ୍କ ବସିବା ସୁବିଧା ଥିବା ଭଳି ଏକ ଡିଜିଟାଲ ଲାଇବ୍ରେରୀ ଏବଂ ଦ୍ୱିତୀୟରେ ଡିଏଭି ମହାବିଦ୍ୟାଳୟର ସମସ୍ତ ୧୬ଟି ବିଭାଗରେ ପିଜି ପାଠ୍ୟକ୍ରମ ଚଳିତ ଶିକ୍ଷାବର୍ଷରୁ ଆରମ୍ଭ ପାଇଁ ଦୃଢ଼ ଦାବି ଉପସ୍ଥାପନ କରିଛନ୍ତି । ତେବେ ମାନନୀୟ ମନ୍ତ୍ରୀ ସମସ୍ତ ଦାବୀ ବିଷୟରେ ଶୁଣିବା ସହିତ ଏହା ଉପରେ ଯଥା ଶୀଘ୍ର ଗମ୍ଭୀରତାର ସହିତ ବିଚାର ପୂର୍ବକ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ ବୋଲି ପ୍ରତିଶୃତି ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.