
ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଘୁଷୁରାମୁଣ୍ଡା ଗ୍ରାମର ଅଙ୍ଗନୱାଡି ପାଚିକା ଭାବେ ମନୋନୀତ ପୁଣ୍ୟା ହରପାଲଙ୍କ ନିଯୁକ୍ତି ସୁନିଶ୍ଚିତ କରିବା ଓ ଜାତିଭିତ୍ତିକ ଭେଦଭାବ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିମନ୍ତେ ପଶ୍ଚିମ ଓଡିଶା ମହିଳା ସଂଗଠନ ପକ୍ଷରୁ ମହାମହିମ ରାଷ୍ଟ୍ରପତିଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ସଂଗଠନ ପକ୍ଷରୁ କୁହାଯାଇଛି ଯେ, ପୁଣ୍ୟା ହରପାଲ ନିର୍ଦ୍ଧାରିତ ସରକାରୀ ନିୟମାବଳୀ ଏବଂ ମେରିଟ୍ ଆଧାରରେ ଉକ୍ତ ପଦବୀ ପାଇଁ ମନୋନୀତ ହୋଇଥିବା ସତ୍ତ୍ୱେ ଘୁଷୁରାମୁଣ୍ଡା ଗ୍ରାମର ଆଦିବାସୀ ଜନସାଧାରଣ ତାଙ୍କ ନିଯୁକ୍ତିକୁ ବିରୋଧ କରୁଥିବା ଅଭିଯୋଗ ମିଳିଛି । ଯଦି ଏହି ବିରୋଧ ତାଙ୍କର ଜାତିକୁ ଆଧାର କରି କରାଯାଇଛି, ତେବେ ଏହା ଭାରତୀୟ ସମ୍ବିଧାନର ସମାନତା, ସାମାଜିକ ନ୍ୟାୟ ଓ ମାନବୀୟ ମର୍ଯ୍ୟାଦାର ମୂଳ ଆଦର୍ଶ ବିରୋଧୀ ବୋଲି ସଂଗଠନ ମତ ପ୍ରକାଶ କରିଛି । ଏହି ପରିପ୍ରେକ୍ଷୀରେ ପଶ୍ଚିମ ଓଡିଶା ମହିଳା ସଂଗଠନ ଜିଲ୍ଲା ପ୍ରଶାସନକୁ ପୁଣ୍ୟା ହରପାଲଙ୍କ ଆଇନସମ୍ମତ ନିଯୁକ୍ତିକୁ ତୁରନ୍ତ କାର୍ଯ୍ୟକାରୀ କରିବା, ଜାତିଭିତ୍ତିକ ଭେଦଭାଗ କିମ୍ବା ଧମକ ବିରୋଧରେ ଆବଶ୍ୟକ ଆଇନଗତ ପଦକ୍ଷେପ ଗ୍ରହଣ କରିବା ଏବଂ ଅଙ୍ଗନୱାଡି କେନ୍ଦ୍ରରେ ଶାନ୍ତି ଓ ଆଇନର ଶାସନ ବଜାୟ ରଖିବା ପାଇଁ ଦାବି କରିଛି । ସଂଗଠନ ପକ୍ଷରୁ ସବିତା ନାଗ, ଅମ୍ବିକା କୁମ୍ଭାର, ମିନା ସୁନା, ମମତା ବରିହା, ସୀମାରାଣୀ ଗଡତ୍ୟା ଓ ଅନ୍ୟମାନେ ଉପସ୍ଥିତ ଥିଲେ ।

