
ଭବାନୀପାଟଣା, (ଶୁଭେନ୍ଦୁ କୁମାର ପଣ୍ଡା) : ଇନ୍ଦ୍ରାବତୀ ବୃହତ ଉଠା ଜଳ ସେଚନ ପ୍ରକଳ୍ପ ( ମେଗା ଲିଫ୍ଟ ପ୍ରୋଜେକ୍ଟ ) ମାଧ୍ୟମରେ ଚଳିତ ରବି ଚାଷ କରିଥିବା ଜୟପାଟଣା, କୋକସରା ଏବଂ ଧର୍ମଗଡ଼ ବ୍ଲକର ୧୫ ହଜାରରୁ ଅଧିକ ଚାଷୀ ଧାନ ବିକ୍ରି ପାଇଁ ପଞ୍ଜିକରଣରୁ ବଞ୍ଚିତ ହୋଇଛନ୍ତି । ପଞ୍ଜିକରଣରୁ ବାଦ ପଡ଼ିଥିବା ଚାଷୀମାନେ ଧାନ ବିକ୍ରି ପାଇଁ ପଞ୍ଜିକରଣ ପାଇଁ ଅନେକ ଥର ଦାବୀ କରିଥିଲେ । ଏପରିକି ମେଗାଲିଫ୍ଟ କୃଷକ ସଂଗଠନ ପକ୍ଷରୁ ଗତ ୧ ମାସ ହେବ ବିଭିନ୍ନ ସମୟରେ ଏ ସମ୍ପର୍କରେ ସରକାର ତଥା ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ପଞ୍ଜିକରଣରୁ ବଞ୍ଚିତ ଚାଷୀଙ୍କ ସମସ୍ୟାର କୌଣସି ସମାଧାନ ନ ହେବାରୁ ୧୨ ଦିନ ହେଲା ମିଳିତ କୃଷକ ସଂଗଠନ ପକ୍ଷରୁ କୋକସରା ଠାରେ ଆନ୍ଦୋଳନ ଜାରି ରହିଛି । ସଂଗଠନ ପକ୍ଷରୁ ଭବାନୀପାଟଣା – ଜୟପୁର ରାଜପଥକୁ ମଧ୍ୟ ଅବରୋଧ କରାଯାଇଥିଲା । ତଥାପି ଚାଷୀଙ୍କ ଧାନ ବିକ୍ରି ପଞ୍ଜିକରଣ ନ ହେବାରୁ ମଙ୍ଗଳବାର କୋକସରା, ଜୟପାଟଣା, ଧର୍ମଗଡ଼ର ମେଗାଲିଫ୍ଟ ଜଳସେଚିତ ଅଞ୍ଚଳର ଚାଷୀମାନେ ଭବାନୀପାଟଣା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ସଭା ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ପ୍ରଥମେ ଚାଷୀମାନେ ବାଲାଜୀ ମନ୍ଦିର ନିକଟରୁ ଏକ ବିଶାଳ ଶୋଭାଯାତ୍ରାରେ ଜିଲ୍ଲାପାଳ କାର୍ଯ୍ୟାଳୟ ନିକଟକୁ ଯାଇ ସେଠାରେ ପ୍ରତିବାଦ ସଭା ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ମିଳିତ କୃଷକ ସଂଗଠନ ସଭାପତି ପୁରୁଷୋତ୍ତମ ଗୁପ୍ତା ଓ ଆବାହକ ରାଜୀବ କୁମାର ଅଗ୍ରୱାଲଙ୍କ ନେତୃତ୍ୱରେ ଶହ ଶହ ଚାଷୀ ଏଥିରେ ଯୋଗ ଦେଇଥିଲେ । ବିରୋଧୀ ବିଜେଡି ଏବଂ କଂଗ୍ରେସ ଦଳ ପକ୍ଷରୁ ଚାଷୀ ମାନଙ୍କୁ ସମର୍ଥନ ଜଣାଇ ଅନେକ ନେତୃ ସ୍ତରୀୟ ନେତା ଏଥିରେ ସାମିଲ ହୋଇଥିଲେ । ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ ଦିଶାରୀ, ଜୁନାଗଡ଼ ବିଧାୟକ ଦିବ୍ୟ ଶଙ୍କର ମିଶ୍ର, ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂଦେଓ, ନର୍ଲା ବିଧାୟିକା ମନୋରମା ମହାନ୍ତି, ପୂର୍ବତନ ବିଧାୟକ ଗୋବର୍ଦ୍ଧନ ଦାଶ, ଦିଗାମ୍ବର ଦୁରିଆ ପ୍ରମୁଖ ଯୋଗ ଦେଇଥିଲେ । ଶେଷରେ ମେଗାଲିଫ୍ଟ ପ୍ରକଳ୍ପ ଜଳସେଚିତ ଅଞ୍ଚଳର ଧାନ ବିକ୍ରି ପଞ୍ଜିକରଣରୁ ବଞ୍ଚିତ ଚାଷୀଙ୍କୁ ପଞ୍ଜିକରଣ କରାଯିବା ପାଇଁ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶଙ୍କୁ ଦାବିପତ୍ର ପ୍ରଦାନ କରିବା ସହ ଶୀଘ୍ର ଚାଷୀଙ୍କ ସମସ୍ୟାର ସମାଧାନ କରିବା ପାଇଁ ଦାବୀ କରିଥିଲେ ।