jayashree

ରାଉରକେଲା ଓକିଲ ସଂଘ ଓ କଳିଙ୍ଗ ବିଶ୍ୱବିଦ୍ୟାଳୟ ପକ୍ଷରୁ ସାଇବର ଆଇନ୍ ଉପରେ ଆଲୋଚନା ଚକ୍ର

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଓକିଲ ସଂଘ ଓ କଳିଙ୍ଗ ବିଶ୍ଵବିଦ୍ୟାଳୟ ମିଳିତ ଆନୁକୂଲ୍ୟରେ ସାଇବର ଆଇନ୍ ଓ ଡିଜିଟାଲ ଗଭର୍ଣ୍ଣାନ୍ସ ଶୀର୍ଷକ ଏକ ଆଲୋଚନା ଚକ୍ର ଆଇଟିଡିଏ ସମ୍ମିଳନୀ କକ୍ଷରେ ରବିବାର ଅନୁଷ୍ଠିତ ହୋଇଯାଇଛି । ରାଉରକେଲା ଓକିଲ ସଂଘର ସଭାପତି ସଦାନନ୍ଦ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଆଲୋଚକ ଭାବେ ବରିଷ୍ଠ ଆଇନଜୀବୀ ସୁଜୟ କୁମାର ପାଣି, ରବିଶଙ୍କର ମିଶ୍ର, ପୂର୍ବତନ ରାଉରକେଲା ବନଖଣ୍ଡ ଅଧିକାରୀ ଯଶୋବନ୍ତ ସେଠୀ, କଳିଙ୍ଗ ବିଶ୍ୱବିଦ୍ୟାଳୟ, ରାୟପୁରର ଆଇନ ବିଭାଗ ସହାୟକ ପ୍ରଫେସର ବଂଶିକା କପୁର ପ୍ରମୁଖ ଯୋଗଦେଇ ସାଇବର ଆଇନ୍ ଓ ସାଇବର ଅପରାଧ ସହ ଡିଜିଟାଲ ଗଭର୍ଣ୍ଣାନ୍ସ ଉପରେ ବ୍ୟାପକ ଆଲୋଚନା କରିଥିଲେ । ସାଇବର ଅପରାଧିମାନେ ବିଭିନ୍ନ କୌଶଳରେ ଲୋକଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ବିପୁଳ ପରିମାଣରେ ଅର୍ଥ ଲୁଟ କରି ଚାଲିଛନ୍ତି, ଅନ୍ୟପଟେ ସାଇବର ଅପରାଧ ରୋକିବା ପାଇଁ ଥିବା ଆଇନଗତ ଦଣ୍ଡବିଧାନ ସେତେକି ମାତ୍ରାରେ ସଶକ୍ତ ହୋଇ ପାରିନଥିବାରୁ ଏବଂ ପୁଲିସର ତଦନ୍ତ ପ୍ରକ୍ରିୟା ଶିଥଳ ରହୁଥବାରୁ ଅପରାଧୀମାନେ ସହଜରେ ସାଇବର ଅପରାଧ ଘଟାଇ ଖସି ଯାଉଛନ୍ତି । ଏଣୁ ସରକାରଙ୍କ ପକ୍ଷରୁ ସାଇବର ଅପରାଧ ରୋକିବା ପାଇଁ ବ୍ୟାପକ ଜନସଚେତନତା କରିବାର ଆବଶ୍ୟକ‌ତା ରହିଛି । ସାଇବର ଅପରାଧର ଅଧିକାଂଶ ମାମଲା ବର୍ଷ ବର୍ଷ ଧରି ତଦନ୍ତ ପ୍ରକ୍ରିୟା ସରୁନାହିଁ, ଫଳରେ ବହୁ ମାମଲା ବିଚାର ନହୋଇ ପଡି ରହିଛି । ସେଥିପାଇଁ ସାଇବର ଠକେଇର ଶିକାର ହେଉଥିବା ବ୍ୟକ୍ତି ଓ ଅନୁଷ୍ଠାନ ଆଇନଗତ ନ୍ୟାୟ ପାଇବାରୁ ବଂଚିତ ହେଉଛନ୍ତି । ଏଣୁ ସାଇବର ଥାନା ଅଧିକ ଖୋଲିବା ସହିତ ଦକ୍ଷ ତଦନ୍ତକାରୀ ଅଧିକାରୀଙ୍କୁ ନିୟୋଜିତ କରି ପାରିଲେ ମୋକଦ୍ଦମା ଗୁଡିକର ବିଚାର ଶିଘ୍ର ହୋଇପାରିବ ଏବଂ ଠକେଇର ଶିକାର ହେଉଥିବା ବ୍ୟକ୍ତି ବିଶେଷ ତ୍ୱରିତ ନ୍ୟାୟ ପାଇପାରନ୍ତେ ବୋଲି ଆଲୋଚକମାନେ ମତପ୍ରକାଶ କରିଥିଲେ । ଡିଜିଟାଲ ଗଭର୍ଣ୍ଣାନ୍ସ ଦ୍ୱାରା ସାଧାରଣ ଜନତା ବହୁ ଉପକୃତ ହୋଇ ପାରୁଛନ୍ତି, ଏହାର ଅଧିକ ସଫଳ ରୂପାୟନ ପାଇଁ ସଚେତନତା କାର୍ଯ୍ୟକ୍ରମ ସରକାର ନିଜ ହାତକୁ ନେବା ଆବଶ୍ୟକତା ଅଛି ବୋଲି ମଧ୍ୟ ମତପ୍ରକାଶ ପାଇଥିଲା । ଏହି କାର୍ଯ୍ୟକ୍ରମରେ କଳିଙ୍ଗ ବିଶ୍ଵବିଦ୍ୟାଳୟର ଉପ-ପରିଚାଳିକା ବନଜା ଦଳେଇ ସ୍ୱାଗତ ଭାଷଣ ଦେଇଥିବା ବେଳେ ରାଉରକେଲା ଓକିଲ ସଂଘର ସମ୍ପାଦକ ଦେବାନନ୍ଦ ତନ୍ତୀ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମକୁ ଆଇନଜୀବୀ ଏମ୍‌. ମାଲେଶ୍ଵରମ, ଅନନ୍ତ ନାରାୟଣ ସାହୁ ଏବଂ ପ୍ରଦୀପ୍ତ କୁମାର ରାଉତ ସଂଯୋଜନା କରିଥିଲେ । କାର୍ଯ୍ୟକ୍ରମ ଆୟୋଜନରେ ଆଇନଜୀବୀ ଏମ୍‌.ଏସ୍‌ ପୁରଣ, ତାପସ ପରିଡ଼ା, ପବିତ୍ର ଜେନା, ସୁମିତା ନନ୍ଦ, ଅନୁସୂୟା ପଣ୍ଡା, ରାଜଶ୍ରୀ ମିଶ୍ର, ଲକ୍ଷ୍ମୀ ମାଝୀ, ହରି ଲିଙ୍ଗମ୍ ଦୋରା, ଜସ୍ମିତା ପ୍ରଧାନ, ବିଦ୍ୟାନନ୍ଦ ପ୍ରଧାନ, ଚତ୍ରଭାନୁ ଦାସ, ପ୍ରୀୟା ବାରିକ, ସ୍ନିଗ୍ଧା ଦାସ, ପୂନମ ଓରାମ, ଅରୁଣ କୁଶଲ, ସୁବ୍ରତ ମଲ୍ଲିକ, ବୁଦ୍ଧିରାମ ସ୍ୱାଇଁ ପ୍ରମୁଖ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସହଯୋଗ କରିଥିଲେ । ଓକିଲ ସଂଘର ଏକ ପ୍ରତିନିଧ ଦଳ ଏସ୍‌ପିଙ୍କୁ ଭେଟି ସାଇବର ଅପରାଧକୁ ନିୟନ୍ତ୍ରଣ କରିବା ପାଇଁ ଦୃଢ ପଦକ୍ଷେପ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

Leave A Reply

Your email address will not be published.