
ବରଗଡ଼, (ମୁନ୍ନା ସାହୁ) : ପାର୍ବଣ ଋତୁ ଆରମ୍ଭ ହୋଇଥିବା ବେଳେ ବରଗଡ଼ରେ ବଢ଼ିଚାଲିଥିବା ଶବ୍ଦ ପ୍ରଦୂଷଣକୁ ନେଇ ଜିଲ୍ଲା ପ୍ରଶାସନ ନିକଟରେ ଫେରାଦ ହୋଇଛି ଆମ୍ ଆଦମୀ ପାର୍ଟି । ପାର୍ଟିର ଅଭିଯୋଗ ଅନୁସାରେ, ପାର୍ବଣ ସମୟରେ ବିଭିନ୍ନ ସ୍ଥାନରେ ଉଚ୍ଚ ଶବ୍ଦରେ ଡିଜେ ବଜାଇ ପ୍ରୋସେସନ ଓ କାର୍ଯ୍ୟକ୍ରମ କରାଯାଉଛି । ଏହା ଯୋଗୁଁ ଜନବସତି ଅଞ୍ଚଳରେ ସାଧାରଣ ଲୋକେ ଅସୁବିଧାର ସମ୍ମୁଖୀନ ହେଉଥିବା ଦଳ ପକ୍ଷରୁ କୁହାଯାଇଛି । ଶବ୍ଦ ପ୍ରଦୂଷଣ ନିୟମ ଅନୁଯାୟୀ ଜନବସତି ଅଞ୍ଚଳରେ ଶବ୍ଦର ମାତ୍ରା ନିର୍ଦ୍ଧାରିତ ସୀମା ମଧ୍ୟରେ ରହିବା କଥା। ହେଲେ ଅନେକ ସ୍ଥାନରେ ଏହାର ଉଲ୍ଲଂଘନ ହେଉଥିବା ନେଇ ଆପ୍ ଅଭିଯୋଗ କରିଛି । ଅତ୍ୟଧିକ ଶବ୍ଦ ଯୋଗୁଁ ବିଶେଷ କରି ବୃଦ୍ଧବୃଦ୍ଧା, ରୋଗୀ ଓ ସାଧାରଣ ଲୋକଙ୍କ ଉପରେ ପ୍ରତିକୂଳ ପ୍ରଭାବ ପଡ଼ୁଥିବା ଦଳ ପକ୍ଷରୁ ଦାବି କରାଯାଇଛି । ତେଣୁ ଧ୍ୱନି ପ୍ରଦୂଷଣ ଉପରେ ତୁରନ୍ତ ନିୟନ୍ତ୍ରଣ ଆଣିବା ସହ ନିୟମକୁ କଡ଼ାକଡ଼ି ଭାବେ ଲାଗୁ କରିବାକୁ ଆପ୍ ନେତା ଭବାନୀ ସାହୁ ଦାବି କରିଛନ୍ତି । ଏହି ଅଭିଯୋଗ ସମୟରେ ଜିଲ୍ଲା ସମ୍ପାଦକ ସ୍ୱରୂପ କୁମାର ଭୋଇ, ମହିଳା ନେତ୍ରୀ ମାରିୟମ ବାର୍ଲା, ଆଇନଜୀବୀ ରମେଶ ପତି, ମୋଇନ ମହମ୍ମଦ ଓ ମିଲୁ ନାଗଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ ।