
ସରକାରୀ ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ତୁଷୁରା ସମ୍ମୁଖ ଦେଇ ଯାଇଥିବା ତୁଷୁରା-ବଲାଙ୍ଗିର ରାସ୍ତାରେ ହମ୍ପସ୍ ଦେବାକୁ ଦାବି
ତୁଷୁରା, (କେପିଏନ୍ଏସ୍) : ତୁଷୁରା ସହର ଦେଇ ଯାଇଥିବା ତୁଷୁରା-ବଲାଙ୍ଗିର ମୁଖ୍ୟ ରାସ୍ତାରେ ଦିନକୁ ଦିନ ବଢୁଥିବା ଯାନବାହନ ଚଳାଚଳ ଓ ଦ୍ରୁତଗତି ଯୋଗୁଁ ସରକାରୀ ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକଙ୍କ ମଧ୍ୟରେ ଦୁର୍ଘଟଣାକୁ ନେଇ ଚିନ୍ତା ବଢ଼ିଛି । ବିଦ୍ୟାଳୟ ସମ୍ମୁଖ ଦେଇ ଯାଇଥିବା ଏହି ରାସ୍ତାରେ ଗାଡ଼ିଗୁଡ଼ିକ ଅନେକ ସମୟରେ ଦ୍ରୁତଗତିରେ ଚଳାଚଳ କରୁଥିବାରୁ ବିଦ୍ୟାଳୟ ସମୟରେ ଛାତ୍ରଛାତ୍ରୀଙ୍କ ନିରାପଦ ଯାତାୟାତ ନେଇ ଆଶଙ୍କା ସୃଷ୍ଟି ହେଉଛି । ବିଶେଷ କରି ସକାଳେ ବିଦ୍ୟାଳୟକୁ ଆସିବା ଓ ଛୁଟି ପରେ ଘରକୁ ଫେରିବା ସମୟରେ ରାସ୍ତାରେ ଯାନବାହନର ଭିଡ଼ ଅଧିକ ରହୁଛି । ଏହି ସମୟରେ ଛାତ୍ରଛାତ୍ରୀମାନେ ରାସ୍ତା ପାର ହେବାବେଳେ ଦୁର୍ଘଟଣାର ଆଶଙ୍କା ରହୁଛି । ବିଦ୍ୟାଳୟଟି ମୁଖ୍ୟ ରାସ୍ତାକଡ଼ରେ ଅବସ୍ଥିତ ହୋଇଥିବାରୁ ଏଠାରେ ଯାନବାହନର ବେଗ ନିୟନ୍ତ୍ରଣ କରିବା ଅତ୍ୟନ୍ତ ଆବଶ୍ୟକ ବୋଲି ଅଭିଭାବକ ଓ ସ୍ଥାନୀୟ ଲୋକେ ମତ ପ୍ରକାଶ କରିଛନ୍ତି । ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ସମ୍ମୁଖରେ ରାସ୍ତା ଉପରେ ଆବଶ୍ୟକ ମାନକର ହମ୍ପସ୍ ନିର୍ମାଣ କରିବା ସହିତ ଏଠାରେ ‘ସ୍କୁଲ୍ ଜୋନ୍’, ‘ଧୀରେ ଚାଲନ୍ତୁ’ ଆଦି ସଚେତନତାମୂଳକ ସୂଚନା ଫଳକ ଲଗାଇବାକୁ ଦାବି ହୋଇଛି । ଏହାଦ୍ୱାରା ଯାନବାହନର ବେଗ ନିୟନ୍ତ୍ରିତ ହେବା ସହ ଛାତ୍ରଛାତ୍ରୀଙ୍କ ନିରାପଦ ଯାତାୟାତ ନିଶ୍ଚିତ ହୋଇପାରିବ । ସ୍ଥାନୀୟ ଅଭିଭାବକ, ବିଦ୍ୟାଳୟ କର୍ତ୍ତୃପକ୍ଷ ଓ ସଚେତନ ନାଗରିକମାନେ ସମ୍ପୃକ୍ତ ବିଭାଗ ଓ ପ୍ରଶାସନ ନିକଟରେ ଏ ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ଦାବି କରିଛନ୍ତି । ଶିଶୁଙ୍କ ସୁରକ୍ଷା ସର୍ବପ୍ରଥମ—ତେଣୁ କୌଣସି ଅଘଟଣ ଘଟିବା ପୂର୍ବରୁ ବିଦ୍ୟାଳୟ ସମ୍ମୁଖରେ ହମ୍ପସ୍ ନିର୍ମାଣ କରାଯାଉ ବୋଲି ମତ ପ୍ରକାଶ ପାଇଛି ।