
- ଦାବୀପତ୍ର ଦେଲା ବଲାଙ୍ଗିର ନାଗରିକ କମିଟି
ବଲାଙ୍ଗିର, (କେପିଏନ୍ଏସ୍) : ଆସନ୍ତା ୧୪ ତାରିଖ ଠାରୁ ପ୍ରୟାଗରାଜ-ବିଶାଖାପାଟଣା ଓ ବିଶାଖାପାଟଣା-ପ୍ରୟାଗରାଜ ସ୍ୱତନ୍ତ୍ର ଟ୍ରେନ ନଂ.୦୪୧୫୯/୦୪୧୬୦ ବଲାଙ୍ଗିର ପଟୁ ଯିବା ଆସିବା କରିବ । ଟ୍ରେନଟି ପ୍ରୟାଗରାଜରୁ ବାହାରି ସମ୍ବଲପୁରରୁ ସିଧା ଟିଟିଲାଗଡ ହୋଇ ବିଶାଖାପାଟଣା ଯିବ । କିନ୍ତୁ ବଲାଙ୍ଗିର ରେଳ ଷ୍ଟେସନରେ ଏହାର ରହଣି ନାହିଁ । ଫଳରେ ବଲାଙ୍ଗିରରୁ ସିଧାସଳଖ ପ୍ରୟାଗରାଜ ଯିବାକୁ ଟ୍ରେନ ଚଳାଚଳ ଦାବୀ ଫାଇଲ ତଳେ ରହିଯାଇଛି । ଅନ୍ୟପଟେ ଆଜି ସମ୍ବଲପୁର ଡିଭିଜନ ଇଷ୍ଟକୋଷ୍ଟ ରେଲୱେର ଜେନେରାଲ ମେନେଜର ପରମେଶ୍ୱର ଫୁଙ୍କୱାଲା ବଲାଙ୍ଗିର ପରିଦର୍ଶନରେ ଆସୁଥିବା ଖବର ପାଇ ବଲାଙ୍ଗିର ନାଗରିକ କମିଟି ସଭାପତି ଡ. ଶ୍ରୀକର ମିଶ୍ର, ସଂପାଦକ ମଧୁସୂଦନ ନାୟକ, ସଦସ୍ୟ ପ୍ରଫେସର ତରୁଣ କୁମାର ମିଶ୍ର, ଗୋପବନ୍ଧୁ ପୁରୋହିତ, ପ୍ରଦୀପ ସାହୁ, ଦିବାକର ହୋତା, ବିମଲ ଚକ୍ରବର୍ତ୍ତି, ଲୋକନାଥ ସିଂହ ଓ ସନ୍ତୋଷ କୁମାର ଶତପଥି ଆଦି ଶ୍ରୀ ଫୁଙ୍କୱାଲାଙ୍କୁ ଏକ ଦାବୀପତ୍ର ଦେଇ ବଲାଙ୍ଗିରରେ ଉକ୍ତ ଟ୍ରେନର ରହଣି ପାଇଁ ଯୁକ୍ତି ବାଢିଥିଲେ । ବଲାଙ୍ଗିର ରେଲୱେ ଷ୍ଟେସନ ଏନ୍.ଏସ୍.ଜି-୩ କେଟେଗୋରିରେ ଆସୁଛି ଏବଂ ଏହାର ଆୟ ବର୍ଷକୁ ୨୩ କୋଟି ଅଟେ । ଏହା ଏକ ପୁରୁଣା ଐତିହାସିକ ଜିଲ୍ଲା । ଏଠାରେ ପିଟ୍ ଲାଇନ୍, ପ୍ରୟାଗରାଜ ଓ ନୂଆଦିଲ୍ଲୀକୁ ସିଧାସଳଖ ଟ୍ରେନ ଚଳାଚଳ, ଭୁବନେଶ୍ୱର ପାଇଁ ସକାଳୁଆ ଟ୍ରେନ ଏବଂ ଇସ୍ପାତ ଏକ୍ସପ୍ରେସକୁ ଠିକ୍ ସମୟରେ ଚଳାଚଳ କରିବାପାଇଁ ଦୀର୍ଘ ଦିନରୁ ଦାବୀ ହେଉଥିଲେ ମଧ୍ୟ୍ୟ ଏହାକୁ ଅଣଦେଖା କରାଯାଉଛି । ଫଳରେ ଜନଅସନ୍ତୋଷ ବଢୁଛି । ପୁନଶ୍ଚ ଗତ ମଇ ମାସରେ ଅନ୍ୟ ଏକ ଟ୍ରେନ ରହଣି ପାଇଁ ବଲାଙ୍ଗିର ବାସୀ ରେଲ ରୋକୋ କରିବା ପାଇଁ ଆନ୍ଦୋଳନ କରିଥିଲେ । ତତ୍ ପୂର୍ବରୁ ଉକ୍ତ ଟ୍ରେନର ରହଣି ପାଇଁ ଆଦେଶ ହୋଇଥିଲା । ଏହା ଜାଣି ସୁଦ୍ଧା ଏହି ଟ୍ରେନକୁ ବଲାଙ୍ଗିରରେ ରହଣି ଆଦେଶ ନଦେବା ଅର୍ଥ ବଲାଙ୍ଗିର ବାସୀଙ୍କୁ ଅଣଦେଖା କରିବା । ତେଣୁ ଶୀଘ୍ରାତିଶୀଘ୍ର ଏହି ସ୍ୱତନ୍ତ୍ର ଟ୍ରେନକୁ ବଲାଙ୍ଗିରରେ ରହଣି ଦେବା ଘୋଷଣା କରିବାକୁ ଦାବୀ କରାଯାଇଥିଲା ଏବଂ ଶୀଘ୍ର ଫଳାଫଳ ନ ଆସିଲେ ଆନ୍ଦୋଳନ କରିବାକୁ ପଛାଇବୁ ନାହିଁ ବୋଲି ନାଗରିକ କମିଟିର କାର୍ଯ୍ୟକର୍ତ୍ତା ରୋକଠୋକ ଶୁଣାଇଛନ୍ତି ଏବଂ ଆଗାମୀ ଦିନରେ ରେଳରୋକୋ ସହ ଆନ୍ଦୋଳନକୁ ଓହ୍ଲାଇବାପାଇଁ ବଲାଙ୍ଗିର ବାସୀଙ୍କୁ ମଧ୍ୟ ଅନୁରୋଧ କରିଛନ୍ତି । ପୁନଶ୍ଚ ଦାବୀପତ୍ରର ନକଲ ରେଳମନ୍ତ୍ରୀ, ସ୍ଥାନୀୟ ଲୋକସଭା ସାଂସଦ ତଥା ବିଧାୟକଙ୍କୁ ବିଧିକାର୍ଯ୍ୟ ପାଇଁ ମେଲ ଯୋଗେ ପଠାଯାଇଥିବା ଜଣାଯାଇଛି ।