
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ସହରର ୱାର୍ଡ ନମ୍ବର–୧ରେ ନୂତନ ଷ୍ଟ୍ରିଟ୍ ଲାଇଟ୍ର ଉଦ୍ଘାଟନ କରିଛନ୍ତି ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓ । ଏହି ପଦକ୍ଷେପ ଦ୍ୱାରା ଅଞ୍ଚଳବାସୀଙ୍କୁ ରାତ୍ରି ସମୟରେ ଯାତାୟାତରେ ସୁବିଧା ମିଳିବା ସହ ସୁରକ୍ଷା ବ୍ୟବସ୍ଥା ଆହୁରି ସୁଦୃଢ଼ ହେବ ବୋଲି ଆଶା କରାଯାଉଛି । ଉଦ୍ଘାଟନୀ କାର୍ଯ୍ୟକ୍ରମରେ ବଲାଙ୍ଗିର ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ, ସ୍ଥାନୀୟ କାଉନସିଲର ଓ ଅନ୍ୟାନ୍ୟ ଜନପ୍ରତିନିଧି ଉପସ୍ଥିତ ରହିଥିଲେ । ସେମାନେ ଅଞ୍ଚଳର ବିକାଶ ପାଇଁ ଏଭଳି ଜନହିତକର ପଦକ୍ଷେପ ଆଗାମୀ ଦିନରେ ମଧ୍ୟ ଜାରି ରହିବ ବୋଲି ମତ ପ୍ରକାଶ କରିଥିଲେ । ସ୍ଥାନୀୟ ବାସିନ୍ଦାମାନେ ମଧ୍ୟ ନୂତନ ଷ୍ଟ୍ରିଟ୍ ଲାଇଟ୍ ବ୍ୟବସ୍ଥାକୁ ସ୍ୱାଗତ କରିବା ସହ ଏହା ଦ୍ୱାରା ଦୀର୍ଘ ଦିନର ସମସ୍ୟାର ସମାଧାନ ହୋଇଥିବା କହିଛନ୍ତି । ଉଦ୍ଘାଟନ ପରେ ଉପସ୍ଥିତ ଅତିଥିମାନେ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରି ଅଞ୍ଚଳର ଅନ୍ୟାନ୍ୟ ବିକାଶମୂଳକ ଆବଶ୍ୟକତା ସମ୍ପର୍କରେ ମଧ୍ୟ ମତାମତ ସଂଗ୍ରହ କରିଥିଲେ ।