
ବଲାଙ୍ଗିର, (କେପିଏନ୍ଏସନ୍) : ବଲାଙ୍ଗିର ଜିଲ୍ଲାରେ ଶିକ୍ଷକମାନଙ୍କ ବିଭିନ୍ନ ସମସ୍ୟାର ସ୍ଥାୟୀ ସମାଧାନ ଦାବିରେ ଓଡ଼ିଶା ମାଧ୍ୟମିକ ଶିକ୍ଷକ ସଂଘ (ଓଷ୍ଟା) ପକ୍ଷରୁ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ପରିସରରେ ଏକ ବିଶାଳ ସଭା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଭାପତି ପ୍ରଦୀପ ପୁଟେଲ, ସମ୍ପାଦକ ଶଙ୍କର ପ୍ରସାଦ ମିଶ୍ର, କାର୍ଯ୍ୟକାରୀ ସଭାପତି ଅନିଲ ସାହୁ ଏବଂ ରାଜ୍ୟ ଉପସଭାପତି ସୁଧୀର ନାଏକଙ୍କ ନେତୃତ୍ୱରେ ଶତାଧିକ ଶିକ୍ଷକ-ଶିକ୍ଷୟିତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ, ଗଣଶିକ୍ଷା ମନ୍ତ୍ରୀ, ଉଚ୍ଚଶିକ୍ଷା ମନ୍ତ୍ରୀ ଏବଂ ଆଇନ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ବଲାଙ୍ଗିର ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାର ଓ ଜିଲ୍ଲା ଶିକ୍ଷାଧିକାରୀ ସୁଧାଂଶୁ ଶେଖର ମିଶ୍ରଙ୍କ ଜରିଆରେ ପ୍ରଦାନ କରାଯାଇଥିଲା । ସ୍ମାରକପତ୍ରରେ ସମସ୍ତ ଯୋଗ୍ୟ ସ୍କୁଲ ଓ କଲେଜକୁ ଗ୍ରାଣ୍ଟ-ଇନ୍-ଏଡ୍ (ଜିଆଇଏ) ଅନ୍ତର୍ଭୁକ୍ତ କରିବା, ନୂତନ ଅନୁଦାନପ୍ରାପ୍ତ ଶିକ୍ଷକ ଓ କର୍ମଚାରୀଙ୍କୁ ପେନ୍ସନ ଏବଂ ସମାନ ସେବା ସର୍ତ୍ତ ପ୍ରଦାନ, ଖାଲି ପଦବୀରେ ଶୀଘ୍ର ନିଯୁକ୍ତି, ଅବସର ଗ୍ରହଣ ବୟସ ୬୦ରୁ ୬୨ ବର୍ଷକୁ ବୃଦ୍ଧି, ବେତନ ବୈଷମ୍ୟ ଦୂରୀକରଣ, ଚୁକ୍ତିଭିତ୍ତିକ ଶିକ୍ଷକଙ୍କୁ ୬ଟି ନୋସନାଲ ବେତନ ବୃଦ୍ଧି ଏବଂ ସମସ୍ତ ଅନୁଦାନପ୍ରାପ୍ତ ସ୍କୁଲ-କଲେଜକୁ ସରକାରୀକରଣ କରି ପୁରୁଣା ପେନ୍ସନ୍ ବ୍ୟବସ୍ଥା ଲାଗୁ କରିବାକୁ ଦାବି କରାଯାଇଛି । ସଭାରେ ଓଷ୍ଟାର ବିଭିନ୍ନ ପଦାଧିକାରୀ ଶିକ୍ଷକମାନଙ୍କ ଦାବିର ଯଥାର୍ଥତା ଉପସ୍ଥାପନ କରି ସରକାରଙ୍କୁ ଶୀଘ୍ର ସକାରାତ୍ମକ ପଦକ୍ଷେପ ନେବାକୁ ଆହ୍ୱାନ ଜଣାଇଥିଲେ । କାର୍ଯ୍ୟକ୍ରମକୁ ଜିଲ୍ଲା କାର୍ଯ୍ୟକାରୀ ସଭାପତି ଅନିଲ ସାହୁ ପରିଚାଳନା କରିଥିବାବେଳେ ବଲାଙ୍ଗିର ବ୍ଲକ ଓଷ୍ଟା ସମ୍ପାଦକ ସଞ୍ଜୟ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ । ଶିକ୍ଷକ ଭକ୍ତବନ୍ଧୁ ପୁରୋହିତ, ଲଲାଟକେଶରୀ ପଧାନ, ଅରବିନ୍ଦ ପଧାନ, ଅନୁପ ବାଗ, ଦିଲୀପ ପଧାନ ଓ ଗୋବିନ୍ଦ ବଗର୍ତ୍ତୀଙ୍କ ସହିତ ଅନେକ ଶିକ୍ଷକ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।