
ଦେଓଗାଁ, (ମନୀଷ କୁମାର ସାହୁ) : ୨୬ ନମ୍ବର ଜାତୀୟ ରାଜପଥ ଉପରେ ବିପଜ୍ଜନକ ଭାବେ ପଡ଼ିରହିଛି ଦୁର୍ଘଟଣାଗ୍ରସ୍ତ କାର । ୩ ଦିନ ଧରି ଗାଡ଼ିଟି ରାସ୍ତା କଡ଼ରେ ଏପରି ଅବସ୍ଥାରେ ପଡ଼ିରହିଥିଲେ ବି ଏହାକୁ ହଟାଇବା ପାଇଁ ପ୍ରଶାସନ କିମ୍ବା ପୁଲିସ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନାହିଁ । ଫଳରେ ଏହି ପ୍ରମୁଖ ରାଜପଥରେ ଯାତାୟାତ କରୁଥିବା ଶହ ଶହ ଯାନବାହନ ପାଇଁ ଏହା ଏକ ପ୍ରତ୍ୟକ୍ଷ ମରଣଯନ୍ତା ପାଲଟିଛି । ପ୍ରକାଶ ଯେ, ଗତ ରବିବାର ଦିନ ୨୬ନମ୍ବର ଜାତୀୟ ରାଜପଥର ଦେଓଗାଁ ବଙ୍ଗଳା ରାସ୍ତାରେ ଥିବା ଟାୱାର ନିକଟରେ ଏକ ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣା ପରେ ଗାଡ଼ିର ସାମ୍ନା ପଟରେ ମାଡ ହୋଇଥିବାରୁ ଜାତୀୟ ରାଜପଥ ଉପରେ ହିଁ ଅଚଳ ହୋଇ ପଡ଼ିରହିଛି । ମାତ୍ର ଦୁର୍ଘଟଣା ପରେ ଗାଡ଼ିଟିକୁ ସେଠାରୁ ହଟାଯାଇନାହିଁ । ବିଶେଷ କରି ରାତି ସମୟରେ ଏବଂ ସ୍ୱଳ୍ପ ଆଲୋକରେ ଦୂରରୁ ଆସୁଥିବା ଦ୍ରୁତଗାମୀ ଯାନବାହନଗୁଡ଼ିକ ପାଇଁ ଏହି ଛିଡ଼ା ହୋଇଥିବା ଗାଡ଼ିଟି ସହଜରେ ଦୃଶ୍ୟମାନ ହେଉନାହିଁ । ଫଳରେ ଯେକୌଣସି ମୁହୂର୍ତ୍ତରେ ଆଉ ଏକ ବଡ଼ ଧରଣର ଦୁର୍ଘଟଣା ଘଟି ଅନେକ ଧନଜୀବନ ହାନି ହେବାର ଆଶଙ୍କା ଦେଖାଦେଇଛି । ଜାତୀୟ ରାଜପଥରେ ପ୍ରତିଦିନ ହଜାର ହଜାର ଛୋଟବଡ଼ ଗାଡ଼ି ଦ୍ରୁତ ଗତିରେ ଯାତାୟାତ କରିଥାନ୍ତି । ଏଭଳି ପରିସ୍ଥିତିରେ ରାସ୍ତା ଉପରେ ଏକ ଭଙ୍ଗା ଗାଡ଼ି ପଡ଼ିରହିବା ଦ୍ୱାରା ଗାଡ଼ି ଚାଳକମାନେ ଆତଙ୍କିତ ଅବସ୍ଥାରେ ଯାତାୟାତ କରୁଛନ୍ତି । ଅସୁରକ୍ଷିତ ସ୍ଥିତିକୁ ଦୃଷ୍ଟିରେ ରଖି ତୁରନ୍ତ ଏହି ଦୁର୍ଘଟଣାଗ୍ରସ୍ତ କାର୍କୁ ରାଜପଥରୁ ହଟାଇବାକୁ ଦାବି ହେଉଛି ।