ଜିଲ୍ଲାସ୍ତରୀୟ ସ୍କୁଲ କ୍ରିକେଟ୍ ପ୍ରତିଯୋଗିତା

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜ ବୋଡ଼ାସମ୍ବର ହାଇସ୍କୁଲ ଖେଳ ପଡ଼ିଆଠାରେ ଜିଲ୍ଲାସ୍ତରୀୟ ସ୍କୁଲ କ୍ରିକେଟ୍ ପ୍ରତିଯୋଗିତାର ଉଦ୍‌ଘାଟନୀ ସଭାରେ ସହ ଜିଲ୍ଲା ଶିକ୍ଷା ଅଧିକାରୀ ତଥା ଜିଲ୍ଲା ଶାରୀରିକ ଶିକ୍ଷା ନିରୀକ୍ଷକ ରାଧାକାନ୍ତ ଛତ୍ରୀ ସଭାପତିତ୍ୱ କରିଥିଲେ । ସ୍ଥାନୀୟ ବିଧାୟକା ଶ୍ରୀମତୀ ବର୍ଷା ରାଣୀ ସିଂ ବରିହା ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ । ରାଜବୋଡ଼ା ସମ୍ବର ବ୍ଲକ, ପାଇକମାଲ ବ୍ଲକ ଓ ଝାରବନ୍ଧ ବ୍ଲକର ବ୍ଲକ ଶିକ୍ଷା ଅଧିକାରୀମାନେ ସମ୍ମାନୀତ ଅତିଥି ଭାବରେ ଯୋଗଦାନ କରିଥିଲେ । ଏକ ବର୍ଣ୍ଣାଢ଼୍ୟ ପରିବେଶ ମଧ୍ୟରେ ଏହି ପ୍ରତିଯୋଗିତା ବିଧାୟିକାଙ୍କ କରକମଳରେ ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହୋଇଥିଲା । ଏହି ପ୍ରତିଯୋଗିତାରେ ବରଗଡ଼ ଜିଲ୍ଲାର ୧୦ଟି ବ୍ଲକ ଯୋଗଦାନ କରିଛନ୍ତି ଓ ଏହା ତିନ ଦିନ ଧରି ଚାଲିବ । ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀମାନେ ସ୍ଵାଗତ ସଂଗୀତ ପରିବେଷଣ କରିଥିଲେ ଓ ସେହି ବିଦ୍ୟାଳୟର ବ୍ୟାଣ୍ଡ ଟ୍ରୁପ୍‌ଙ୍କ ଦ୍ଵାରା ପରିବେଷିତ ବ୍ୟାଣ୍ଡ ସମସ୍ତଙ୍କ ମନମୋହି ନେଇଥିଲା । ଦେଉଲି ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ଵାରା ପରିବେଷିତ ଲୋକବାଦ୍ୟ ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଆକର୍ଷଣ ଥିଲା । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଟ୍ରୁପ ଓ ଦେଉଳି ପ୍ରାଥମିକ ବିଦ୍ୟାଳୟ ଯଥାକ୍ରମେ ରାଜ୍ୟ ଓ ଜାତୀୟ ସ୍ତରରେ ପ୍ରଥମ ସ୍ଥାନ ହାସଲ କରିଛନ୍ତି । ରାଜବୋଡ଼ାସମ୍ବର ହାଇସ୍କୁଲର କ୍ରୀଡା ଶିକ୍ଷକ ହରେକୃଷ୍ଣ ମେହେର ଓ ବ୍ଲକର ସମସ୍ତ ଖେଳ ଶିକ୍ଷକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି ସଭାକୁ ରାଜେଶ ଖମାରୀ ପରିଚାଳନା କରିଥିବା ବେଳେ ପ୍ରଧାନ ଶିକ୍ଷକ ଲୋଭାଦିନୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଦ୍ଵିତିୟାର୍ଦ୍ଧରେ ବରିକେଲ ହାଇସ୍କୁଲ ଖେଳ ପଡିଆରେ ଅନୁଷ୍ଠିତ ପାଇକମାଲ ବ୍ଲକ୍ ଓ ଅତାବିରା ବ୍ଲକ୍ ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍‌ରେ ଅତାବିରା ୮୩ ରନ୍‌ରେ ବିଜୟୀ ହୋଇଥିଲା । ଅଞ୍ଚଳ ମହାବିଦ୍ୟାଳୟ ଖେଳ ପଡ଼ିଆରେ ଅନୁଷ୍ଠିତ ଭେଡେନ ବ୍ଲକ ଓ ସୋହେଲା ବ୍ଲକ ମଧ୍ୟରୁ ଭେଡେନ ବ୍ଲକ ୧୭ ରନରେ ବିଜୟୀ ହୋଇଥିଲା ଓ ରାଜବୋଡ଼ା ସମ୍ବର ହାଇସ୍କୁଲ ଖେଳ ପଡ଼ିଆରେ ଅନୁଷ୍ଠିତ ମ୍ୟାଚ୍ ଭଟଲି ବ୍ଲକ୍ ଓ ବରପାଲି ବ୍ଲକ୍ ମଧ୍ୟରୁ ଭଟଲି ବ୍ଲକ୍ ୩୪ ରନରେ ବିଜୟୀ ହୋଇଥିଲା ।

Leave A Reply

Your email address will not be published.