pakka

ସମ୍ଭାବ୍ୟ ତୃତୀୟ ଲହର କରୋନା ମୁକାବିଲା ନିମନ୍ତେ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ

bbehera

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : କରୋନାର ତୃତୀୟ ଲହର ଓମିକ୍ରନ୍‌ର ସଫଳ ମୁକାବିଲା କରିବା ପାଇଁ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇ ରହିଛି । ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳ ଶ୍ରୀମତୀ ଅବୋଲୀ ସୁନିଲ ନରୱଣେ ଆଜି ତରଭା ବ୍ଲକ ଗସ୍ତ କରି ସାମ୍ପ୍ରତିକ ସ୍ଥିତିର ଅନୁଧ୍ୟାନ କରିଥିଲେ । ତାଙ୍କ ସହିତ ତରଭା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଏକ ଡାକ୍ତରି ଦଳ ଜାମକାନି ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟ ପରିଦର୍ଶନ କରିବା ସମୟରେ ଜଣେ ଛାତ୍ର କରୋନା ପଜିଟିଭ ଥିବା ଜଣାପଡିଲା । ଏହାପରେ ଛାତ୍ରଙ୍କ ଗାଁ ବଡ ଭଇଁରୋ ଗସ୍ତ ସମୟରେ ତାଙ୍କ ଭଉଣୀ ମଧ୍ୟ କରୋନା ପଜିଟିଭ ଥିବା ପରୀକ୍ଷାରୁ ଜଣାପଡିଲା । ଏମାନଙ୍କ ସ୍ୱାସ୍ଥ୍ୟର ଯତ୍ନ ନେବା ସହିତ ଆବଶ୍ୟକ ସେବା ଶୁଶ୍ରୁତ୍ସା ଯୋଗାଇଦେବା ପାଇଁ ଜିଲ୍ଲପାଳ ନିର୍ଦେଶ ଦେଇଛନ୍ତି । ତରଭା ବିଜ୍ଞାପିତ ଅଞ୍ଚଳରେ ମଧ୍ୟ ଜଣେ କରୋନା ପଜିଟିଭ ବାହାରିଥିବାରୁ ତାକୁ ହୋମ୍ଆଇସୋଲେସନରେ ରଖା ଯାଇ ଚିକିତ୍ସା ଯୋଗାଇ ଦିଆଯାଉଛି । ଜିଲ୍ଲପାଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ତରଭା ପରିଦର୍ଶନ କରି ସମ୍ଭାବ୍ୟ କରୋନା ମହାମାରୀର ମୁକାବିଲା ନିମନ୍ତେ ସମସ୍ତେ ଯତ୍ନବାନ ହେବାକୁ ପରାମର୍ଶ ଦେଇଛନ୍ତି । ଏଠାରେ ସୂଚନା ଯୋଗ୍ୟ ଯେ, ଜିଲ୍ଲା ପ୍ରଶାସନ କରୋନାର ତୃତୀୟ ଲହରକୁ ପ୍ରତିହତ କରିବା ନିମନ୍ତେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଛି । ବର୍ତ୍ତମାନ ପର୍ଯ୍ୟନ୍ତ ୧୧୦୪ ଜଣଙ୍କ ରାପିଡ଼ ଆଣ୍ଟିଜେନ ଟେଷ୍ଟ ଏବଂ ୭୯୦ ଜଣଙ୍କ ଆର୍ଟିପିସିଆର ଟେଷ୍ଟ କରାଯାଇଛି । ଏମାନଙ୍କ ମଧ୍ୟରୁ ୧୮୬ଜଣ ପଜିଟିଭ ଚି଼ହ୍ନଟ ହୋଇଥିବା ବେଳେ ୧୮୫ ଜଣଙ୍କୁ ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଇ ହୋମ ଆଇସୋଲେସନରେ ରଖା ଯାଇଛି ଏବଂ ତନ୍ମଧ୍ୟରେ ଜଣେ ରୋଗୀ ଆରୋଗ୍ୟ ଲାଭ କରି ସାରିଛନ୍ତି । ଜିଲ୍ଲା ପ୍ରଶାସନ ତରଫରୁ ଦାୟିତ୍ୱ ନ୍ୟସ୍ତ କରାଯାଇଥିବା ଏକ ରାପିଡ଼ ରେସପୋନ୍ସ ଟିମର ଡାକ୍ତର ଏବଂ ସହାୟକ ଦଳ ଏମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉପରେ ତୀକ୍ଷଣ ନଜର ରଖିବା ସହିତ ଆବଶ୍ୟକ ଔଷଧ ଓ ଚିକିତ୍ସା ପରାମର୍ଶ ଯୋଗାଇ ଦେଉଛନ୍ତି । ସୋନପୁର ଓ ଡୁଙ୍ଗୁରିପାଲିଠାରେ ନବନିର୍ମିତ ମାତୃ ଓ ଶିଶୁ ଚିକିତ୍ସାଳୟକୁ ସମ୍ଭାବ୍ୟ କୋଭିଡ ପରିସ୍ଥିତିର ମୁକାବିଲା କରିବା ପାଇଁ ଆବଶ୍ୟକ ଶଯ୍ୟା, ଆସିୟୁ ଏବଂ ପାଇପ ଲାଇନ ଅକ୍ସିଜେନ ଯୋଗାଣ ସହିତ ସମ୍ପୂର୍ଣ୍ଣ ପ୍ରସ୍ତୁତ ରଖାଯାଇଛି । ପ୍ରତି ବ୍ଲକରେ ଡାକ୍ତର ଓ ସହାୟକମାନଙ୍କୁ ନେଇ ଗୋଟିଏ ଗୋଟିଏ ରାପିଡ଼ ରେସପୋନ୍ସଟିମ ଗଠିତ ହୋଇଛି । ଏମାନେ ଜିଲ୍ଲାରେ ବାହାରୁ ଥିବା କରୋନା ରୋଗୀମାନଙ୍କର ସ୍ୱାସ୍ଥ୍ୟ ଅବସ୍ଥାକୁ ସିଧା ସଳଖ ଅନୁଧ୍ୟାନ କରି ଆବଶ୍ୟକୀୟ ଔଷଧ ଓ ଚିକିତ୍ସା ପରାମର୍ଶ ପ୍ରଦାନ କରିବେ । ଜିଲ୍ଲାର ପ୍ରତି ବ୍ଲକରେ ବିଡ଼ିଓ, ତହସିଲଦାର ଏବଂ ଜିଲ୍ଲା ସ୍ତରରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ପ୍ରତିଦିନ ଭିଡିଓ କଲ ମାଧ୍ୟମରେ ବିଭିନ୍ନ କରୋନା ରୋଗୀମାନଙ୍କର ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିବାକୁ ଜିଲ୍ଲାପାଳ ସମ୍ପୃକ୍ତ ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି । ଜିଲ୍ଲାର ମୁଖ୍ୟ କୋଭିଡ ନିୟନ୍ତ୍ରଣ କକ୍ଷ ସୋନପୁର ମ୍ୟୁନିସିପାଲିଟିର ସଭା ଗୃହରେ ୨୪ଙ୍ଘ ୭ ଘଣ୍ଟା କାର୍ଯ୍ୟକ୍ଷମ ରହିବ, ଏହା ଜିଲ୍ଲାର ପ୍ରତି ବ୍ଲକ ଓ ପଞ୍ଚାୟତ ସ୍ତରରେ ସିଧା ସଳଖ ଯୋଗାଯୋଗ ରଖି ପରିସ୍ଥିତି ଉପରେ ନଜର ରଖିବ । ଏହି ନିୟନ୍ତ୍ରଣ କକ୍ଷ ଦାୟିତ୍ୱରେ ଡିପିସି ମିଶନ ଶକ୍ତି କାର୍ତ୍ତିକ ଚନ୍ଦ୍ର ନାୟକ ରହିଛନ୍ତି । ଜିଲ୍ଲାର କୋଭିଡ ନୋଡାଲ ଅଧିକାରୀ ଭାବେ ଡେପୁଟି କଲେକ୍ଟର ଡ଼ ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ରଙ୍କୁ ଦାୟିତ୍ୱ ଦିଆଯାଇଛି । ପ୍ରତିଟି ଘଟଣା ଉପରେ ଜିଲ୍ଲାପ୍ରଶାସନ ନଜର ରଖିବା ସହିତ ଜନସାଧାରଣଙ୍କୁ କୌଣସି ପ୍ରକାର ବ୍ୟସ୍ତ ବିବ୍ରତ ନହେବାକୁ ପରାମର୍ଶ ଦିଆଯାଇଛି । ଏହା ସହିତ ସମସ୍ତେ ମାସ୍କ ପରିଧାନ କରିବା, ନିର୍ଦ୍ଧିଷ୍ଟ ନିରାପଦ ଦୂରତ୍ୱ ବଜାୟ ରଖିବା ଏବଂ ସମସ୍ତ କୋଭିଡ ନିର୍ଦେଶାବଳି ପାଳନ କରିବା ପାଇଁ ଜିଲ୍ଲାପାଳ ସମସ୍ତ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ।

Leave A Reply

Your email address will not be published.

3 × 4 =