
ଜୟପାଟଣା, (ଶେଷଦେବ ବେହେରା) : ପୋଲିସ ଆଖିରେ ଧୂଳି ଦେଇ ଜୟପାଟଣା ଥାନା ଠିକ୍ ସମ୍ମୁଖରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଏକ ବଡ଼ ଚୋରି ମାମଲା ସାମ୍ନାକୁ ଆସିଛି । ଗତକାଲି ବିଳମ୍ବିତ ରାତିରେ ହସ୍ପିଟାଲର ମିଟିଂ ହଲ୍ରେ ଲାଗିଥିବା ଏୟାର କଣ୍ଡିସନର ମଧ୍ୟରୁ ଗୋଟିଏ ଏସିର ଆଉଟଡୋର ୟୁନିଟ୍କୁ କିଛି ଦୁର୍ବୃତ୍ତ କଳାକାନା ବୁଲାଇ ନେଇଯାଇଛନ୍ତି । ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହେଉଛି, ଯେଉଁ ମିଟିଂ ହଲ୍ରୁ ଚୋରି ହୋଇଛି, ତାହା ଠିକ୍ ଜୟପାଟଣା ଥାନା ସାମ୍ନାରେ ହିଁ ଅବସ୍ଥିତ । ମିଳିଥିବା ସୂଚନା ଅନୁଯାୟୀ, ହସ୍ପିଟାଲର ଏହି ସଭାଗୃହ ବା ମିଟିଂ ହଲ୍ରେ ସମୁଦାୟ ୪ଟି ଏସି ଲାଗିଥିଲା । ଗତକାଲି ରାତି ଅଧରେ କେହି ଦୁର୍ବୃତ୍ତ ଥାନା ଆଗରେ ପୋଲିସ ପେଟ୍ରୋଲିଂକୁ ଚ୍ୟାଲେଞ୍ଜ କରି ସେଥିରୁ ଗୋଟିଏ ଏସିର ବାହାର ପାର୍ଶ୍ଵରେ ଥିବା ଆଉଟଡୋର ମେସିନକୁ କାଟି ଚୋରି କରି ନେଇଛନ୍ତି । ଆଜି ସକାଳେ ହସ୍ପିଟାଲ କର୍ତ୍ତୃପକ୍ଷ ତଥା କର୍ମଚାରୀମାନେ ଏସିର ସଂଯୋଗୀକରଣ ତାର ସବୁ କଟାଯାଇଥିବା ଏବଂ ମେସିନ ଗାୟବ ଥିବା ଦେଖିବାକୁ ପାଇଥିଲେ। ଥାନା ସମ୍ମୁଖ ଭଳି ଏକ ସୁରକ୍ଷିତ ଅଞ୍ଚଳରେ ଥିବା ସରକାରୀ ସମ୍ପତ୍ତି ଚୋରି ଘଟଣାକୁ ନେଇ ଜୟପାଟଣା ବ୍ଲକ ପବ୍ଲିକ ହେଲଥ ଅଫିସରଙ୍କ ପକ୍ଷରୁ ଜୟପାଟଣା ଥାନାରେ ଏକ ଲିଖିତ ଅଭିଯୋଗ କରାଯାଇଛି । ସାଧାରଣ ଲୋକଙ୍କ ସେବା ପାଇଁ ଉଦ୍ଦିଷ୍ଟ ଏଭଳି ଏକ ସ୍ୱାସ୍ଥ୍ୟ କେନ୍ଦ୍ର ଭିତରୁ ଏବଂ ସେ ପୁଣି ଥାନା ଆଗରୁ ରାତିଅଧରେ ଏସି ଚୋରି ହେବା ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି । ଅଭିଯୋଗକୁ ଭିତ୍ତି କରି ଜୟପାଟଣା ଥାନା ଆଇଆଇସି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ହସ୍ପିଟାଲ ପରିସର ଓ ଆଖପାଖ ସିସିଟିଭି ଫୁଟେଜ୍କୁ ଯାଞ୍ଚ କରାଯାଇ ଦୁର୍ବୃତ୍ତମାନଙ୍କୁ ଧରିବା ପାଇଁ ପୋଲିସ ତତ୍ପରତା ପ୍ରକାଶ କରିଛି ।