pakka

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନରସିଂହ, ଭୀମଭୋଇ ମେଡିକାଲ କଲେଜରେ ବଲାଙ୍ଗିର ଛାତ୍ରଙ୍କୁ ୭୦ ଶତକଡା ସଂରକ୍ଷଣ ଦିଆଯାଉ – ନରସିଂହ

bbehera

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ସ୍ଥାନୀୟ ଭୀମ ଭୋଇ ମେଡିକାଲ କଲେଜରେ ନାମ ଲେଖା ପାଇଁ ବଲାଙ୍ଗିର ଜିଲ୍ଲା ଛାତ୍ରମାନଙ୍କୁ ୭୦ ଶତକଡା ସଂରକ୍ଷଣ ଦିଆଯାଉ ବୋଲି ଓଡିଶାର ମୁଖ୍ୟମନ୍ତ୍ରୀଙ୍କୁ ଏକ ଚିଠି ମାଧ୍ୟମରେ ଦାବୀ କରିଛନ୍ତି । ସେ ମୁଖ୍ୟମନ୍ତ୍ରୀଙ୍କୁ ଲେଖିଥିବା ଏହି ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ବଲାଙ୍ଗିର ଜିଲ୍ଲା ଅନେକ ଦିନରୁ ଅବହେଳାର ଶିକାର ହୋଇଛି । ଅର୍ଥନୈତିକ, ସାମାଜିକ ଦୃଷ୍ଟିରୁ ଦେଖାଗଲେ, ଏହି ଜିଲ୍ଲା ରାଜ୍ୟର ଅନ୍ୟ ଜିଲ୍ଲା ତୁଳନାରେ କାହିଁ କେତେ ପଛରେ । ସେହିପରି ଶିକ୍ଷା, ସ୍ୱାସ୍ଥ୍ୟ, ଜଳସେଚନ, ଗମନା ଗମନ, ଭିତ୍ତିଭୂମି ଦିଗରେ ମଧ୍ୟ ବଲାଙ୍ଗିର ଜିଲ୍ଲା ଅନ୍ୟ ଜିଲ୍ଲାମାନଙ୍କ ସହ ସମକକ୍ଷ ହୋଇ ପାରିନାହିଁ । ଏଠାରେ କୌଣସି ବୈଷୟୀକ ଶିକ୍ଷା ବା କର୍ମନିଯୁକ୍ତି ତାଲିମ ଅନୁଷ୍ଠାନ ମଧ୍ୟ ନଥିବା ଏହାର ଅନ୍ୟ ଏକ କାରଣ । ଯେହେତୁ ବଲାଙ୍ଗିରବାସୀ ଆର୍ଥିକ ସ୍ତରରେ ଖୁବ ପଛରେ, ତେଣୁ ଏଠାକାର ଛାତ୍ରଛାତ୍ରୀମାନେ ପଇସା ଖର୍ଚ୍ଚକରି କଟକ, ଭୁବନେଶ୍ୱର ବା ରାଜ୍ୟ ବାହାରକୁ ଯାଇ ବୈଷୟୀକ ଶିକ୍ଷାର ପ୍ରବେଶିକା ଦେବା ତଥା ତାଲିମ ନେବା ପାଇଁ ମଧ୍ୟ ସମର୍ଥ ନୁହନ୍ତି । ଏହାକୁ ଆଖି ଆଗରେ ରଖି ୧୯୯୯ ମସିହାରେ ପଶ୍ଚିମ ଓଡିଶା ବିକାଶ ପରିଷଦ ତରଫରୁ ବଲାଙ୍ଗିରରେ ଏହି ମେଡିକାଲ କଲେଜର କାମ ଆରମ୍ଭ କରାଯାଇଥିଲା । ସେତେବେଳେ ଉକ୍ତ ମେଡିକାଲ କଲେଜ ପାଇଁ ପରିଷଦ ଅଂଚଳରେ ଥିବା ଜିଲ୍ଲାମାନଙ୍କ ମଧ୍ୟରୁ ୭୦ ଶତକଡା ସଂରକ୍ଷଣ ଦେବା ନେଇ ନିଷ୍ପତ୍ତି ନିଆଯାଇଥିଲା । କିନ୍ତୁ ପରବର୍ତ୍ତି ସମୟରେ କଲେଜର ନିର୍ମାଣ ଦାୟିତ୍ୱ ସରକାର ନେଇଥିବାରୁ ସଂରକ୍ଷଣ ନିଷ୍ପତ୍ତି କାର୍ଯ୍ୟକାରୀ ହୋଇ ପାରିନାହିଁ । ଆହୁରି ମଧ୍ୟ ବଲାଙ୍ଗିର ଜିଲ୍ଲା ସମେତ ପଶ୍ଚିମ ଓଡିଶାର ପ୍ରାୟତଃ ଜିଲ୍ଲାରେ ଚିକିତ୍ସା ବ୍ୟବସ୍ଥା ସେତେଟା ଉତ୍ସାହଜନକ ନୁହେଁ । ଏଠାରେ ଡାକ୍ତର ସଂଖ୍ୟା ମଧ୍ୟ ବହୁତ କମ୍‌ । ଉପକୂଳ ତଥା ରାଜ୍ୟ ବାହାରୁ ଆସୁଥିବା ଡାକ୍ତରମାନେ ମଧ୍ୟ ଏଠି ରହି ଲୋକଙ୍କୁ ସ୍ୱାସ୍ଥ୍ୟସେବା ଦେବା ପାଇଁ ଆଗ୍ରହ ଦେଖାନ୍ତି ନାହିଁ । ଏପରିକି ରାଜ୍ୟ ସରକାର ଏଠାରେ ରହି କାମ କରୁଥିବା ଡାକ୍ତରମାନଙ୍କୁ ସ୍ୱତନ୍ତ୍ର ପ୍ରୋତ୍ସାହନ ରାଶି ଦେଉଥିବା ସତ୍ୱେ ଏ ଅଂଚଳରେ ଡାକ୍ତର ମରୁଡି ଦେଖାଯାଏ । ତେଣୁ ଏହି ଅଂଚଳରୁ ଡାକ୍ତର ସୃଷ୍ଟି କରିବା ପାଇଁ ସ୍ଥାନୀୟ ଭୀମ ଭୋଇ ମେଡିକାଲ କଲେଜରେ ନାମ ଲେଖା ସମୟରେ ଜିଲ୍ଲାର ଛାତ୍ରମାନଙ୍କୁ ୭୦ ଶତକଡା ସଂରକ୍ଷଣ ଦିଆଯାଉ ବୋଲି ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦାବୀ ଜଣାଇଛନ୍ତି । ଏଠାରେ ସୂଚନା ଯୋଗ୍ୟ ଯେ, ମାନ୍ୟବର ସର୍ବୋଚ୍ଛ ନ୍ୟାୟାଳୟ ମଧ୍ୟ ବୈଷୟୀକ ଓ ଉଚ୍ଚ ଶିକ୍ଷାରେ ସ୍ଥାନୀୟ ଶିକ୍ଷାର୍ଥିଙ୍କୁ ଅଗ୍ରାଧିକାର ଭିତ୍ତିରେ ନାମଲେଖା ସମୟରେ ସଂରକ୍ଷଣ ଦେବା ନେଇ ଯୁକ୍ତି ବାଢିଛନ୍ତି । ଆହୁରି ମଧ୍ୟ ଜିଲ୍ଲାର ଶିକ୍ଷାବିତ୍‌ମାନଙ୍କୁ ନେଇ ଗଠିତ ଜିଲ୍ଲା ଶିକ୍ଷା ଉନ୍ନୟନ ସମିତି ଏ ଦିଗରେ ଶୀଘ୍ର ପଦକ୍ଷେପ ନେବା ପାଇଁ ବିଧାୟକଙ୍କୁ ଅନୁରୋଧ କରିଛନ୍ତି । ଏଣୁ ଆଗାମୀ ଶିକ୍ଷା ବର୍ଷରୁ ସ୍ଥାନୀୟ ଶିକ୍ଷାର୍ଥିମାନଙ୍କୁ ୭୦ ଶତକଡା ସଂରକ୍ଷଣ ଦେବା ପାଇଁ ବିଧାୟକ ଦାବୀ ଜଣାଇଛନ୍ତି ।

jay balangir
Leave A Reply

Your email address will not be published.

19 − fourteen =