
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗୋପାଳପୁର ବିଧାନସଭା କ୍ଷେତ୍ରର ରଙ୍ଗେଇଲୁଣ୍ଡା ବ୍ଲକ, କମଳାପୁର ପଞ୍ଚାୟତ ଅଧୀନସ୍ଥ ନୂଆ କମଳାପୁର ଗ୍ରାମବାସୀଙ୍କ ଦୀର୍ଘ ଦିନର ଜମିପଟ୍ଟା ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି, ବ୍ରହ୍ମପୁର ସାଂସଦ ଡଃ. ପ୍ରଦୀପ କୁମାର ପାଣିଗ୍ରାହୀ । ଏହି ସମ୍ବନ୍ଧରେ ସାଂସଦ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରେରଣ କରିଛନ୍ତି । ସାଂସଦ ଡଃ. ପାଣିଗ୍ରାହୀ ଜଣାଇଛନ୍ତି ଯେ, ନୂଆ-କମଳାପୁର ଗ୍ରାମଟି ପ୍ରାୟ ୧୫୦ ବର୍ଷରୁ ଉର୍ଦ୍ଧ୍ୱ ପୁରାତନ । ଗ୍ରାମର କିଛି ଅଳ୍ପ ସଂଖ୍ୟକ ପରିବାର ଲୋକେ ଜମି-ପଟ୍ଟା ପାଇଥିବା ବେଳେ, ଅଧିକାଂଶ ପରିବାର ରହୁଥିବା ଲୋକେ ଜମିଟି ସରକାରୀ ରେକର୍ଡରେ ‘ଗୋଚର କିସମ’ ଭାବେ ଦର୍ଶାଯାଇଥିବାରୁ ସେମାନେ ଆଜି ପର୍ଯ୍ୟନ୍ତ ନିଜର ବାସଗୃହ ଜମିର ପଟ୍ଟା ପାଇବାରୁ ବଞ୍ଚିତ ହୋଇଛନ୍ତି ।
ପ୍ରେସ ବିଜ୍ଞପ୍ତିର ମୁଖ୍ୟ ବିନ୍ଦୁ :
ଦୀର୍ଘଦିନର ସମସ୍ୟା ନେଇ ୨୦୧୦ ମସିହାରୁ (ଗୋପାଳପୁରର ତତ୍କାଳୀନ ବିଧାୟକ ଭାବେ) ଗ୍ରାମବାସୀଙ୍କ ନିବେଦନ କ୍ରମେ ସାଂସଦ ଏହି ଜମି ପଟ୍ଟା ସମସ୍ୟାର ସମାଧାନ ପାଇଁ ପ୍ରଶାସନିକ ସ୍ତରରେ ନିରନ୍ତର ପ୍ରଚେଷ୍ଟା ଚଳାଇ ଆସୁଛନ୍ତି । ଆଇନଗତ ଆଧାର ଓଡ଼ିଶା ସରକାରୀ ଜମି ବନ୍ଦୋବସ୍ତ ଆଇନର ଧାରା ୩(ଜି) ଏବଂ ଓଡ଼ିଶା ଜମି ଜବରଦଖଲ ନିଷେଧ ଆଇନର ଧାରା ୭ ଅନୁଯାୟୀ, ଦୀର୍ଘ ଦିନର ଜନବସତି ହୋଇସାରିଥିବା ଏବଂ ଗୋଚର ପାଇଁ ଅବ୍ୟବହୃତ ଜମିକୁ ସରକାର ଅନାବାଦୀ ବା ବାସଗୃହ ଯୋଗ୍ୟ ଜମି ଭାବେ ପରିବର୍ତ୍ତନକରି ଜମିହୀନ ପରିବାରଙ୍କୁ ପଟ୍ଟା ପ୍ରଦାନ କରିବାର ଆଇନଗତ ପ୍ରାବଧାନ ରହିଛି । ସମାନତାର ଅଧିକାର: ବିଗତ କିଛି ବର୍ଷ ମଧ୍ୟରେ ରାଜ୍ୟର ବହୁ ସ୍ଥାନରେ ଗୋଚର ଜମିକୁ ସାଧାରଣ ବ୍ୟବହାର ଓ ଜନବସତି ପାଇଁ ପରିବର୍ତ୍ତନ କରାଯାଇଛି । ସେହିପରି ନୂଆ କମଳାପୁର ଗ୍ରାମବାସୀଙ୍କୁ ମଧ୍ୟ ସମାନ ସୁବିଧା ଯୋଗାଇ ଦିଆଯାଉ।
ମୌଳିକ ଅଧିକାର ଓ ଯୋଜନାରୁ ବଞ୍ଚିତ: ପଟ୍ଟା ଅଭାବରୁ ଗ୍ରାମବାସୀମାନେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଭଳି ଗୁରୁତ୍ୱପୂର୍ଣ୍ଣ ସରକାରୀ ଗୃହ ନିର୍ମାଣ ଯୋଜନାରୁ ବଞ୍ଚିତ ହେଉଛନ୍ତି । ସାଂସଦ ଡଃ. ପାଣିଗ୍ରାହୀ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ଯେ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଏବଂ ଗଞ୍ଜାମ ଜିଲ୍ଲାପାଳଙ୍କୁ ତୁରନ୍ତ ନିର୍ଦ୍ଦେଶ ଦେଇ ନୂଆ କମଳାପୁର ଗ୍ରାମର ଗୋଚର ଜମିକୁ ପରିବର୍ତ୍ତନ କରାଯାଉ ଏବଂ ଗ୍ରାମବାସୀଙ୍କୁ ଶୀଘ୍ର ଜମି ପଟ୍ଟା ପ୍ରଦାନ କରାଯାଉ । ଏହି ଦାବିପତ୍ରର ନକଲ ରାଜସ୍ୱ ମନ୍ତ୍ରୀ, ରାଜସ୍ୱ ବିଭାଗର ପ୍ରମୁଖ ଶାସନ ସଚିବ, ଦକ୍ଷିଣାଞ୍ଚଳ ରାଜସ୍ୱ ଆୟୁକ୍ତ, ଗଞ୍ଜାମ ଜିଲ୍ଲାପାଳ ଏବଂ ରଙ୍ଗେଇଲୁଣ୍ଡା ତହସିଲଦାରଙ୍କୁ ଜରୁରୀ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରେରଣ କରାଯାଇଛି ।